Tuesday 22 March 2016

ଆକବର ଏବଂ ବୀରବଲଙ୍କ କାହାଣୀ

ବୀରବଲଙ୍କ ଉପରେ କ୍ରୋଧ ହୋଇ କାଙ୍କୁ ନଗର ତ୍ୟାଗ ନିମିତ୍ତ ବାଦସାହ ହୁକୁମ ଦେବା

              କୌଣସି କାରଣ ବଶତଃ ସ୍ବୟଂ ଆକବର ବାଦସାହା ବୀରବଲଙ୍କ ଉପରେ କ୍ରୋଧ ହୋଇ ତାଙ୍କୁ ନଗର ତ୍ୟାଗ କରିବା ନିମିତ୍ତ ଆଦେଶ ଦେଲେ, ଏପରିକି ତାଙ୍କ ରାଜ୍ୟରେ ମଧ୍ୟ ଯେପରି ସେ ବୀରବଲଙ୍କୁ ଦେଖିବାକୁ ନ ପାଆନ୍ତି ତା ମଧ୍ୟ କହିଲେ | ସମ୍ରାଟଙ୍କ ହୁକୁମ ପାଇ ବୀରବଲ ସାଥେ ସାଥେ ରାଜସଭା ତ୍ୟାଗକରି ଅନ୍ୟତ୍ର ଚାଲିଗଲେ | ସେ କିଛି ଦୂର ଯାଇ ବେଶ ବଦଳକରି ଜୀବନ ବିତେଇବାକୁ ଲାଗିଲେ |
ବୀରବଲ ଭାରି ସ୍ବ-ଅଭିମାନୀ ପୁରୁଷ ରତ୍ନ ଥିଲେ | ବାଦସାହାଙ୍କ ବିନାଅନୁମତିରେ ସେ ଆଉ ଫେରିଲେ ନାହିଁ | ଏଣେ ଏକ ଦିନେ ବାଦସାହଙ୍କ ମନ ହଠାତ୍ ପରିବର୍ତ୍ତନ ହୋଇଗଲା | ସେ କିପରି ବୀରବଲଙ୍କୁ ପାଇବେ ଏଇ ଭାବନା କରିବାରେ ଲାଗିଲେ | ହଠାତ୍ ତାଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ଢ଼ୁକିଗଲା, - ସେ ସାରା ରାଜ୍ୟ ଓ ସହରରେ ନାଗରାଦାର ପଠାଇ ସୂଚ଼ନା ଜଣାଇ ଦେଲେ କି ଯଦି କେହି ଲୋକ (ଅଧା ଖରା ଆଧା ଛାଇ) ଅର୍ଥାତ୍ ଅଧେ ଦୂର ଖରା ତଥା ଅଧେଦୂର ଛାଇ ହୋଇ କରି ମୋ ନିକଟରେ ହାଜର ହେବ ମିଁ ତାକୁ ଏକ ହଜାର ସୁନା ମୋହର ପୁରସ୍କାର ଦେବି | ସମ୍ରାଟଙ୍କର ଘୋଷଣା ସାରା ଗ୍ରାମ ଓ ସହର ମଧ୍ୟରେ ଗୋଟିଏ ଦିନରେ ବିଜୁଳିବତ୍ ଖେଳି ଯିବାରେ ଲାଗିଲା | ଲୋକମାନେ ଏତେ ଗୁଡ଼ାଏ ସୁନା ମୋହର ପାଇବା କଥା ଶୁଣି ତାଙ୍କ ପାଟିରୁ ପାଣି ବୋହିବାରେ ଲାଗିଲା | କିନ୍ତୁ କେହି କିଛି ଉପାୟ ନ ପାଇ ନିରାଶ ହେବାରେ ଲାଗିଲେ | ଅଧେ ବାଟ ଖରା ଅଧେ ବାଟ ଛାଇ ହୋଇ କିପରି ବା କିଏ ସମ୍ରାଟଙ୍କ ପାଖକୁ ଯାଇ ପାରିବ | କେହି ଏହାର ମୀମାଂସା କରି ପାରିଲେ ନାହିଁ | ବଡ଼ ବଡ଼ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ନିରାଶ ହୋଇ ରହିଲେ | ଦୈବାତ୍ ଏ ଖବରଟି ଯାଇ ବୀରବଲଙ୍କ ନିକଟରେ ପହଞ୍ଚିଲା | ସେ ନିଜ ହାତରେ ବିଏଁ ବିଏଁ ଛାଡ଼ି ଗୋଟିଏ ଖଟ ତିଆରି କଲେ | ତା ପରେ ସେ ଜଣେ ପାଖ ପଡ଼ୋଶୀକୁ ଡକାଇ କହିଲେ ଦେଖ ଏ ଖଟଟିକୁ ତିମେ ନିଜେ ମୁଣ୍ଡରେ ମୁଣ୍ଡାଇ ସମ୍ରାଟଙ୍କ ପାଖକୁ ଯାଅ | ଆଉ ମଧ୍ୟ ତାଙ୍କୁ ନିବେଦନ କରକି ଆପଣଙ୍କ ଆଜ୍ଞନୁସାରେ ଆଧେଦୂର ଖରା ତଥା ଅଧେଦୂର ଛାଇ ହୋଇ ଆପଣଙ୍କ ସମ୍ମୁଖକୁ ଆସିଛି | ଅତଏବ ପରସ୍କାର ମୋତେ ଦିଆଯାଉ |
ବୀରବଲଙ୍କ ଆଦେଶ ମୁତାବକ ଉକ୍ତ ପଡ଼ୋଶୀ ତଥା ଗରିବ ଚାଷୀ ସେ ଖଟଟିକୁ ମୁଣ୍ଡରେ ମୁଣ୍ଡାଇ ଆକବରଙ୍କ ସଭାରେ ଯାଇ କହିଲା ଦେଖନ୍ତୁ ହଜୁର ଆପଣଙ୍କ ଆଦେଶ ଅନୁଶାରେ ମୁଁ ଅଧେ ଦୂର ଖରା ତଥା ଅଧେ ଦୂର ଛାଇ ହୋଇ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି ଅତଏବ ଏକ ହଜାର ସୁନା ମୋହର ମୋତେ ଦିଆ ଯାଉ | ବାଦସାହା ସେ ଚାଷୀର ରଙ୍ଗ ଢଙ୍ଗ ଦେଖି ବୁଝିପାରିଲେ ଏ ବୁଦ୍ଧି ଏ ଚାଷୀର ନୁହେଁ | ଏ ଜଣେ କୌଣସି ଉର୍ବର ମସ୍ତିଷ୍କ ବ୍ୟକ୍ତି ଦ୍ବାରା ସମ୍ଭବ ହୋଇଛି | ତେଣୁ ସେ ଚାଷୀକୁ ପଚାରିଲେ ତୁମେ ତ ନିଶ୍ଚୟ ପୁରସ୍କାର ପାଇବ, କିନ୍ତୁ ସତ କୁହ ଏ ଖଟଟି ତୁମେ ନିଜ ବୁଦ୍ଧିରେ ତିୟାରି କରିଛ ନା ଅନ୍ୟ କିଏ କରି ଦେଇଛି | ସେ ଗରିବ ଚାଷୀଟି ଦୁଇହାତ ଯୋଡ଼ି ବିନୟ ହୋଇ କହିଲା ହଜୁର ଯଦି ଏ ମୁଣ୍ଡ ରହିବ ତାହେଲେ ଅଭୟ ଦେଲେ ସବୁକଥା କହିବି |
ସମ୍ରାଟ ଆକବର କହିଲେ ମୁଁ ଅଭୟ ଦେଲି ତିମେ ସତ୍ୟକଥା ପ୍ରକାଶ କର | ତାଙ୍କଠାରୁ ସହାନୁଭୂତି ପାଇ ଉକ୍ତ ଚାଷୀ କହିଲା ହଜୁର ମୋର ଏ ବୁଦ୍ଧି ନୁହେଁ | ଯେତେବେଳେ ଆପଣଙ୍କ ଆଦେଶରେ ନାଗରାଦାରମାନେ ଯାଇ ଗାଏଁ ଗାଏଁ ବୁଲି ଏକଥା ଏକଥା ପ୍ରଚାର କଲେ ସେତେବେଳେ ଆମ୍ଭ ଗ୍ରାମରେ ବାସ କରିଥିବା ବୀରବଲ ନାମରେ ଜଣେ ବ୍ରାହ୍ମଣ ପଣ୍ଡିତ ଏ ଖଟଟିକୁ ତିଆରି କରାଇ ମୋ ମୁଣ୍ଡରେ ଲଦି ସମସ୍ତ କଥା ବତାଇ ପଠାଇଦେଲେ | ତାଙ୍କରି ନିର୍ଦ୍ଦେଶରେ ମୁଁ ଖଟଟିକୁ ଆଣି ଆପଣଙ୍କ ପାଖରେ ପହଞ୍ଚିଲି | ଗରିବ ଚାଷୀଟିର ସତ୍ୟବାଦୀତାରେ ସମ୍ରାଟ ଆକବର ଅତ୍ୟନ୍ତ ଖୁସିହୋଇ ସାଥେ ସାଥେ ତାଙ୍କୁ ଏକ ହଜାର ସୁନାର ମୋହର ପୁରସ୍କାର ଦେଇ, ତା ସାଙ୍ଗରେ ଦୁଇଜଣ ରାଜକର୍ମଚାରୀଙ୍କୁ ପଠାଇ ଦେଲେ | କହିଲେ ତୁମେ ବୀରବଲଙ୍କୁ କହିବ ତିମେ ଗଲା ଦିନୁଁ ସମ୍ରାଟଙ୍କ ମନ ଆଦୌ ଭଲ ନାହିଁ | ସେ ସିନା କେଉଁ କୁକ୍ଷଣରେ ବହିଷ୍କାର ଆଦେଶ ଦେଇ ଦେଲେ କିନ୍ତୁ ଚାଲିଯିବା ପରେ ସେ ବଡ଼ ଅବଶୋଷ କଲେ | ତେଣୁ ସାଥେ ସାଥେ ସେ ତୁମମାନଙ୍କ ସଙ୍ଗରେ ରାଜ ସଭାକୁ ଫେରି ଆସନ୍ତୁ | ସମ୍ରାଟଙ୍କ ଆଦେଶ ମତେ ସେ ଦୁଇଜଣ କର୍ମଚାରୀ ଯାଇ ସମ୍ରାଟଙ୍କ କହିବା ମତେ ବୀରବଲଙ୍କ ଆଗରେ ସମସ୍ତ କଥା କହି ତାଙ୍କୁ ରାଜ ସଭାକୁ ଫେରାଇ ଆଣିଲେ | ତାଙ୍କୁ ଦେଖିବା ମାତ୍ରେ ସମ୍ରାଟ ଆକବର ଅତିଶୟ ଆନନ୍ଦିତ ହୋଇଗଲେ | ପୂର୍ବବତ୍ ହସ ଖୁସିରେ ସମୟ ଅତିବାହିତ କଲେ |

ଖୋଜାସାହେବଙ୍କର ବୀରବଲଙ୍କୁ ତିନିଗୋଟି ପ୍ରଶ୍ନ

ଦିନକର କଥା ଆକବର ବାଦସାହା ଗୋଟିଏ ଖୋଜାସାହେବଙ୍କ ସାଥିରେ ବସି ସାମନା ସାମନୀ କଥାବାର୍ତ୍ତା ହେଉଥାନ୍ତି | ପ୍ରସଙ୍ଗ କ୍ରମେ ସମ୍ରାଟଙ୍କ ମୁହଁରୁ ବାର ବାର ବୀରବଲଙ୍କର ପ୍ରଶଂସା ଶୁଣି ଖୋଜା ମନେ ମନେ ଭାରି ବିରକ୍ତ ହୋଇଗଲେ | କାରଣ ସେ ହେଉଛନ୍ତି ମୁସଲମାନ, ହିନ୍ଦୂର ପ୍ରଶଂସା ଶୁଣି ତାଙ୍କ ଦେହରେ ଛୁରି ଚାଲି ଯାଉଥାଏ | ଆଉ ମଧ୍ୟ ସେ ମନେ ମନେ ଭାବନ୍ତି ମୁଁ ହେଉଛି ଭାରି ବୁଦ୍ଧିମାନ ତା ସଙ୍ଗେ ସଙ୍ଗେ ବି ପ୍ରଧାନମନ୍ତ୍ରୀ ପଦପାଇ ଦାବୀ କରୁଥାନ୍ତି | କିନ୍ତୁ ଆକବର ଜଣେ ଧର୍ମ ନିରପେକ୍ଷ ରାଜାଥିଲେ କିବା ହିନ୍ଦୂ କିବା ମୁସଲମାନ ଯେ ଗୁଣୀଲୋକ ସେ ତାକୁ ସମ୍ମାନ କରନ୍ତି | ତେଣୁ ସେ ବୀରବଲଙ୍କୁ ବାର ବାର ପ୍ରଶଂସା କରୁଥାନ୍ତି ଏକଥା ଦେଖି ଖୋଜା ମନେ ମନେ ଭାବୁଥାନ୍ତି ଏ ବୀରବଲଟା ହେଉଛି ମୋର ପ୍ରଧାନ ଶତ୍ରୁ | ଏ ଥିବାତକ ମୁଁ କେବେ ମନ୍ତ୍ରୀ ହୋଇ ନ ପାରେ | କିପରି କୌଶଳକ୍ରମେ ତାକୁ ବିଦା କରିଦେଲେ ମୋର କଣ୍ଟା ଚାଲିଯିବ | ଏହି ଓର ସେ ବରାବର ଉଣ୍ଡୁଥାନ୍ତି | ଦିନେ ଦିନେ ମୌକା ଦେଖି ସେ ବୀରବଲଙ୍କ କଥା ଆକବରଙ୍କ ଆଗରେ କହିବାକୁ ପଛନ୍ତି ନାହିଁ | ହେଲେ ମଧ୍ୟ ସେ ସ୍ବୟଂ ସମ୍ରାଟଙ୍କ ମୁହଁରୁ ବୀରବଲଙ୍କ ପ୍ରଶଂସା ଶୁଣି ମନେ ମନେ ବିରକ୍ତ ହୋଇ ଯାନ୍ତି | କେବେ କେବେ ବି କୁହନ୍ତି ଆପଣ ବୃଥାଟାରେ ଖାଲି ସେ ବୀରବଲଟାକୁ ପୋଷୁଛନ୍ତି | ମୋ ମତରେ ସେଟା ଗୋଟାଏ ତୁଚ୍ଛା ବୁଦ୍ଧୁଟାଏ ଅଟେ ଅଯଥାରେ ରାଜକୋଷରୁ ତା ପିଛାରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି | ହେଲେ ପଇସାଟିକର ଲାଭ ତା ଦ୍ବାରା ନାହିଁ |
ବାଦସାହା ଉତ୍ତରରେ କୁହନ୍ତି | ବୀରବଲ ନ ଥିଲେ ମୋର ଏ ସଭା କେବେ ସୁନ୍ଦର ଦିଶନ୍ତା ନାହିଁ | ତାଙ୍କପରି ଅକାଟ୍ୟ ପ୍ରଶ୍ନର ଉତ୍ତର ଦେବା ବ୍ୟକ୍ତି ଏ ରାଜ୍ୟରେ କାହାକୁ ମୁଁ ଦେଖିବାକୁ ପାଉନାହିଁ | ଖୋଜା କହିଲେ ଅନ୍ୟକେହି ଉପଯୁକ୍ତ ବ୍ୟକ୍ତି ନ ଥିବାରୁ ସେ ଅପାଳକ ରାଜ୍ୟରେ ବିଜୁଳୀ ମାରିଲା ପରି ବୋଲାଇଛି | ମୋ ମତରେ ଆପଣ ତାକୁ ଯେଉଁ ସମ୍ମାନ ଦେଉଛନ୍ତି ତା ପାଇବାର ସେ ହକଦାର ନୁହେଁ, ଗୋଟିଏ କଥାରେ ସମସ୍ତ ବ୍ୟର୍ଥ ହୋଇଯିବ | ଯଦି ସେ ବୀରବଲ ପ୍ରଶ୍ନର ଖୁବ୍ ଭଲ ଉତ୍ତର ଦେଇପାରୁଛି ତେବେ ମୁଁ ତାକୁ ତିନୋଟି ପ୍ରଶ୍ନ ଏ ସଭାରେ ପଚାରିବି | ସେ ଯଦି ତାର ସନ୍ତୋଷଜନକ ଉତ୍ତର ସାଥେ ସାଥେ ଦେଇ ପାରିବ ତାହେଲେ ମୁଁ ମଧ୍ୟ ତାକୁ ମାନିବି | ନଚେତ୍ ଉତ୍ତର ନ ଦେଇ ପାରିଲେ ସାତ ବେଣ୍ଟିଆ କରି ତା ଚୁଟି କାଟି ମୁହଁରେ ଚୁନକଳା ମାରି ବିଦା କରି ଦେବାକୁ ହେବ | ଏହି ପଣ ରଖି ତାକୁ ସଭାକୁ ଡକାନ୍ତୁ ଏକଥା ଶୁଣି ବାଦଶାହା କହିଲେ ତାହେଲେ ତୁମର ପ୍ରଶ୍ନ ଶୁଣାନ୍ତୁ, ଆଗ ଆମେ ପରୀକ୍ଷା କରିବା, ଯଦି ମନକୁ ପାଇବ ତାହେଲେ ଲୋକ ପଠାଇ ତୁରନ୍ତ ବୀରବଲଙ୍କୁ ଡକାଇବାର ବ୍ୟବସ୍ଥା କରିବା |
ଖୋଜା କହିଲେ ଶୁଣନ୍ତୁ ଆଜ୍ଞା, ପ୍ରଶ୍ନ ଏହିଯେ, (୧) ଆକାଶରେ ଯେଉଁ ତାରାମାନେ ଅଛନ୍ତି ତାଙ୍କର ସଂଖ୍ୟା କେତେ (୨) ପୃଥିବୀର ମଧ୍ୟସ୍ଥଳ କେଉଁଠି, (୩) ଦୁନିଆରେ କେତେ ସ୍ତ୍ରୀ ଓ ପୁରୁଷ ଅଛନ୍ତି, ସେମାନଙ୍କ ସଂଖ୍ୟା ଅଲଗା ଅଲଗା କରି ବତାଇବା | ଏହି ହେଉଛି ମୋର ତିନିଗୋଟି ପ୍ରଶ୍ନ |
ବାଦଶାହା, ଖୋଜାଙ୍କଠାରୁ ତିନିଗୋଟି ପ୍ରଶ୍ନ ଶୁଣିବା ମାତ୍ରେ ମନେ ମନେ ବଡ଼ ଆନନ୍ଦିତ ହୋଇ, ଭାବିଲେ ଆଜି ଦେଖାଯିବ ବୀରବଲଙ୍କର କେତେ ବୁଦ୍ଧି ଅଛି | ତେଣୁ ସେ ତୁରନ୍ତ ଦୁଇଜଣ ସିପାହିଙ୍କୁ ଡାକି, ବୀରବଲଙ୍କୁ ସଭାକୁ ଆଣିବା ସକାଶେ ଆଦେଶ ଦେଇ କହିଲେ ତିମେ ତାଙ୍କୁ କହିବ ଏଇ ମୁହୂର୍ତ୍ତରେ ସେ ଆସି ସଭାରେ ଉପସ୍ଥିତ ହେବେଏତିକିବେଳେ ବୀରବଲ ଉଠି କହିଲେ ହଜୁର କାହିଁକି ମୋତେ ଏ ଅସମୟରେ ଡକାଇଲେ | ବାଦଶାହ ତାଙ୍କୁ ଖୋଜାଙ୍କର କଥିତ ପ୍ରଶ୍ନ ତିନିଗୋଟି ବୁଝାଇ ଦେଇ କହିଲେ ଦେଖନ୍ତୁ ଦେଓ୍ବାନ୍ ଆଜି ତୁମର ହେଉଛି ଅସଲ ପରୀକ୍ଷା | ଏହା ଉପରେ ତୁମ ଭବିଷ୍ୟତ ନିର୍ଭର କରେ | ଅର୍ଥାତ୍, ତୁମେ ଯଦି ପ୍ରଶ୍ନ ଗୁଡିକର ପ୍ରକୃତ ଉତ୍ତର ଦେଇ ପାରିବ ତାହେଲେ ଉପଯୁକ୍ତ ପୁରସ୍କାର ପାଇବ, ନ ହେଲେ ଖୋଜାଙ୍କର ପଣ ହୋଇଛି | ହାରିଗଲା  | ଏକଥା ଶୁଣି ସିପାହି ଦୁଇଜଣ ସାଥେ ସାଥେ ଯାଇ ବୀରବଲଙ୍କୁ ସଙ୍ଗରେ ଆଣି ହାଜର କରାଇଲେ |
ସେତେବେଳକୁ ସଭାସ୍ଥଳ ଖାଲି ଦଲ ଦଲ ହେଉଥାଏ | ରାଜ କର୍ମଚାରୀଙ୍କଠାରୁ ଆରମ୍ଭ କରି ଦେଖଣାହାରି ପର୍ଯ୍ୟନ୍ତ ସମସ୍ତେ ଏକଲୟରେ ଅନାଇଁ ରହିଥାନ୍ତି | ସମସ୍ତଙ୍କର ଇଚ୍ଛା କିପରି ବୀରବଲ ଏତେବଡ଼ ପ୍ରଶ୍ନର ଉତ୍ତର ଦେବେ ଦେଖିବା | କେହି କେହି ମଧ୍ୟ ପରସ୍ପରରେ ଫୁସ୍ ଫାସ ହୋଇ କଥାବାର୍ତ୍ତା ହେବାରେ ଲାଗିଥାନ୍ତି କି ଆଜି ବାରବଲ ନିଶ୍ଚୟ ପରାସ୍ତ ହେବେ | ସେ କଣ ସତେ ଏଡ଼େଏଡ଼େ ଗହନ ପ୍ରଶ୍ନର ଉତ୍ତର ଦେଇ ପାରିବେ |
ଏତିକିବେଳେ ବୀରବଲ ଉଠି କହିଲେ ହଜୁର କାହିଁକି ମୋତେ ଏ ଅସମୟରେ ଡକାଇଲେ | ବାଦଶାହ ତାଙ୍କ ଖୋଜାଙ୍କର କଥିତ ପ୍ରଶ୍ନ ତିନିଗୋଟି ବୁଝାଇ ଦେଇ କହିଲେ ଦେଖନ୍ତୁ ଦେଓ୍ବାନ୍ ଆଜି ତୁମର ହେଉଛି ଅସଲ ପରୀକ୍ଷା | ଏହା ଉପରେ ତୁମ ଭବିଷ୍ୟତ ନିର୍ଭର କରେ | ଅର୍ଥାତ୍, ତୁମେ ଯଦି ପ୍ରଶ୍ନ ଗୁଡ଼ିକର ପ୍ରକୃତ ଉତ୍ତର ଦେଇ ପାରିବ ତାହେଲେ ଉପଯୁକ୍ତ ପୁରସ୍କାର ପାଇବ, ନ ହେଲେ ଖୋଜାଙ୍କର ପଣ ହୋଇଛି ହାରିଗଲେ ଏହି ସଭା ମଧ୍ୟରେ ସାତବେଣ୍ଟି ହୋଇ ମୁହଁରେ ଚୁନକାଳି ମାରି ସାତଘେରା ବୁଲି ସାରିବା ପରେ ସବୁଦିନ ଲାଗି କାର୍ଯ୍ୟରୁ ଅନ୍ତର ହେବ | ଏକଥା ଶୁଣି ବୀରବଲ କହିଲେ ହଜୁର ଯାହା ଆଦେଶ ଦେଲେ ତାହା ମୁଁ ସ୍ବାଗତ କରୁଛି | କିନ୍ତୁ ଖୋଜା ସାହେବଙ୍କର ଜାଣି ରଖିବା ଉଚୁତ ତାଙ୍କ ପ୍ରଶ୍ନର ଉତ୍ତର ଯଦି ମୁଁ ଦେଇ ପାରିବି ତାହେଲେ ସେ ଯେଉଁ ଦଣ୍ଡ ବିଧାନର ଆଦେଶ ଦେଇଛନ୍ତି ନିଜେ ତାହା ତାଙ୍କୁ ଗ୍ରହଣ କରିବାକୁ ପଡ଼ିବ |
ଏକଥା ଶୁଣି ବାଦଶାହା କହିଲେ ହଁ, ତା ତ ହେବାର କଥା, କିନ୍ତୁ ତୁମେ ଆଗେ ପ୍ରଶ୍ନର ଉତ୍ତର ଦିଅ |
କରଯୋଡ଼ି ବୀରବଲ କହିଲେ ହଜୂରୁ, ମୋତେ ଏ ପ୍ରଶ୍ନମାନଙ୍କର ଉତ୍ତର ଦେବାକୁ ଗୋଟିଏ ଘଣ୍ଟା ସମୟ ଦିଆଯାଉ ତା, ପରେ ମୁଁ ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଦେବି | ବାଦଶାହ କହିଲେ ଘଣ୍ଟାଏ କାହିଁକି ମୁଁ ତୁମକୁ ତିନି ଘଣ୍ଟା ସମୟ ଦେଲି | ତୁମେ ଭାବି ଚିନ୍ତି ଉତ୍ତର ଦିଅ | ଆଜ୍ଞା ହେଉ ବୋଲି କହି ବୀରବଲ ସଭାରୁ ବାହାରି ଗୋଟିଏ ଚାକରକୁ ଡାକି କହିଲେ ତୁମେ ତୁରନ୍ତ ଗୋଟିଏ ବହୁତ ବାଳଥିବା ବଡ଼ ମେଣ୍ଡା ଖର୍ଦ୍ଦିକରି ନେଇଆସ, ଯେତେ ଟଙ୍କା ପଡ଼ିବ ତା ମୁଁ ଦେବା ପାଇଁ ପ୍ରସ୍ତୁତ ଅଛି |
ତାଙ୍କର କଥିତମତେ ଚାକର ଯାଇ ଗୋଟିଏ ମେଣ୍ଡା ରଖୁଆଳର ପଲ୍ଲା ଭିତରୁ ବାଛି ବାଛି ବହୁତ ବାଳଥିବା ବଡ଼ ମେଣ୍ଡା ଆଣି ସାଥେ ସାଥେ ହାଜର କରାଇ ଦେଲା | ବୀରବଲ ସେ ମେଣ୍ଡାଟିକୁ ରାଜ ସଭାକୁ ନେଇ, ବାଦଶାହାଙ୍କ ସମ୍ମୁଖରେ ଉପସ୍ଥିତ କରାଇ କହିଲେ ହଜୁର ଏଇ ହେଉଛି ଖୋଜା ସାହେବଙ୍କର ପ୍ରଥମ ପ୍ରଶ୍ନର ଉତ୍ତର, ଏଇ ମେଣ୍ଡାଟିର ଦେହରେ ଯେତେଗୁଡ଼ିଏ ବାଳ ଅଛି ଆକାଶରେ ତାରାଙ୍କ ସଂଖ୍ୟା ହେଉଛି ଠିକ୍ ସେତିକି, ଖୋଜା ସାହେବଙ୍କୁ କହିବେ ନିଜେ ଏ ଗୁଡିକ ଗୋଟି ଗୋଟି ଗଣିଲେ ତାଙ୍କ ପ୍ରଶ୍ନର ପ୍ରକୃତ ଉତ୍ତର ପାଇ ପାରିବେ | ଆପଣଙ୍କୁ ମଧ୍ୟ ତାର ସଂଖ୍ୟା ବତାଇ ଦେବେ |
ଦୋଷରା ପ୍ରଶ୍ନର ଉତ୍ତରରେ ବୀରବଲ ଟିକେ ମାପିବାର ଅଭନୟ କରି ଥୋକାଏ ବେଳ ପର୍ଯ୍ୟନ୍ତ ଏପଟ ସେପଟ ହୋଇ ଗୋଡ଼ ପକାଇ ଠିକ୍ ମଧ୍ୟଭାଗରେ ସାବଳ ଦ୍ବାରା ଗୋଟିଏ ଗାତ ଖୋଳି ଦେଇ କହିଲେ ଦେଖନ୍ତୁ ହଜୁର, ଏଇ ହେଉଛି ପୃଥିବୀର ମଧ୍ୟଭାଗ | ଯଦିଓ ଖୋଜା ମହାଶୟଙ୍କର ବିଶ୍ବାସ ନ ହେଉଛି ତା,ହେଲେ ସେ ନିଜେ ଆଉ ଥରେ ମାପ କରାଇ ଦେଖି ନିଅନ୍ତୁ | ମୋ କଥା ସତ କି ମିଛ ବୁଝି ପାରିବେ | ଖୋଜାତ ନିଜେ ପୃଥିବୀ ମଧ୍ୟସ୍ଥଳ ଜାଣି ନାହାନ୍ତି | ତେଣୁ ପ୍ରତିବାଦ କିପରି କରନ୍ତେ | ସେ କୌଣସି ଉତ୍ତର ନ ଦେଇ ନିରବରେ ରହିଲେ |
ତୃତୀୟ ପ୍ରଶ୍ନର ଉତ୍ତରରେ ବୀରବଲ ବାଦଶାହାଙ୍କୁ ସମ୍ବୋଧନ କରି କହିଲେ ଦେଖନ୍ତୁ ଯାହାଁପନ୍ନା | ଦୁନିଆରେ ସ୍ତ୍ରୀ ପୁରୁଷମାନଙ୍କ ସଂଖ୍ୟା ନିର୍ଣ୍ଣୟ କରିବାକୁ ଭାରି କଷ୍ଟ ହେଉଛି | କାରଣ ଏହି ଖୋଜା ହେଉଛନ୍ତି ଅନର୍ଥର ମୂଳ | ସେଇ ବରାବର ସଂଖ୍ୟା ବିଗାଡୁ ଅଛନ୍ତି | ଇଏ ହୁଏତ ମରଦ ଶ୍ରେଣୀରେ ଭୁକ୍ତ ହେଉ ନାହାନ୍ତି କିମ୍ବା ମାଇପଙ୍କ ଶ୍ରେଣୀରେ ଆସୁ ନାହାନ୍ତି | ଯଦି ଏ ବର୍ତ୍ତମାନ ମରିଯାନ୍ତେ ତା, ହେଲେ ନିଶ୍ଚିତ ଭାବରେ ମୁଁ ସ୍ତ୍ରୀ ପୁରୁଷଙ୍କ ସଂଖ୍ୟା ନିର୍ଣ୍ଣୟ କରି ସାଥେ ସାଥେ ଆପଣଙ୍କୁ କହି ଦିଅନ୍ତି | କେବଳ ଏଇ ଲୋକଟା ଦ୍ବାରା ସବୁ ହିସାବ ଗୋଳମାଳ ହେଇ ଯାଉଛି | ଏକଥା ଶୁଣିଲାମାତ୍ରେ ଆକବରଙ୍କଠାରୁ ଆରମ୍ଭ କରି ସଭାରେ ଥିବା ସମସ୍ତ ବ୍ୟକ୍ତିମାନେ ତାଳିମାରି ହୋ ହୋ ହୋଇ ହସି ଉଠିବାରେ ଲାଗିଲେ | ଖୋଜାଙ୍କ ମୁହଁ ଲଜ୍ୟାରେ ଏକବାରେ କଳାକାଠ ପଡ଼ିଗଲା, ସେ କୌଣସି ପ୍ରତିବାଦ ନକରି ତଳକୁ ଅନାଇ ବସି ରହିଲେ | ଦେଖଣାହାରିମାନେ ବୀରବଲଙ୍କୁ ଧନ୍ୟ ଧନ୍ୟ କହି ତାଙ୍କର ଉପସ୍ଥିତ ବୁଦ୍ଧିକୁ ତାରିଫ୍ କରିବାରେ ଲାଗିଲେ |
ବୀରବଲ ପ୍ରଶ୍ନର ଉତ୍ତର ଦେଇସାରି ବାଦଶାହାଙ୍କ ସାମନାରେ ଦୁଇ ହାତ ଯୋଡ଼ି କହିଲେ, ମଣିମା ଯେଉଁ ଦଣ୍ଡ ଦେବାକୁ ଖୋଜାଙ୍କ ନିର୍ଦ୍ଦେଶରେ ଆଦେଶ ଦେଇଥିଲେ ତାର ବିଚାରଟା ଏଇ ସଭାରେ ହେବା ସକାଶେ ଅନୁମତି ଦିଅନ୍ତୁ | ଏକଥା ଶୁଣି ବାଦଶାହ କହିଲେ ଦେଖ ବୀରବଲ ତିମେ ଆଜି ଯେଉଁ ଅକାଟ୍ୟ ପ୍ରଶ୍ନର ସମାଧାନ କରି ଉତ୍ତର ଦେଇଛ ସେ ନିମନ୍ତେ ମୁଁ ତୁମ ଉପରେ ଅତ୍ୟନ୍ତ ଖୁସି ହୋଇଛି | ତେଣୁ ତାର ଫଳ ସ୍ବରୂପ ତୁମକୁ ଏକ ହଜାର ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦିଆଗଲା | ଖୋଜାଙ୍କୁ ସାଥେ ସାଥେ ସଭାରୁ ବହିଷ୍କାର କରାଗଲା, ଅନ୍ୟ ଦଣ୍ଡ ତାଙ୍କୁ ପ୍ରଥମଥର ପାଇଁ ମାଫ୍ କରାଗଲା |
ଏହାଶୁଣି ସମସ୍ତେ ଆନନ୍ଦରେ କରତାଳି ଦ୍ବାରା ସମର୍ଥନ ଜଣାଇ କହିଲେ ସମ୍ରାଟଙ୍କ ବିଚାର ଠିକ୍ ହୋଇଛି |
ତା,ପରେ ସାଥେ ସାଥେ ଏକହଜାର ସ୍ବର୍ଣ୍ଣମୁଦ୍ରା ରାଜଭଣ୍ଡାରରୁ ଆସି ବୀରବଲଙ୍କୁ ପୁରସ୍କାର ଦିଆଗଲା | ଖୋଜାଙ୍କୁ ଅପମାନ ଦିଆଯାଇ ସଭାରୁ ବିଦାୟ କରାଗଲା | ଏଇ ହେଲା ବୀରବଲଙ୍କର ବୁଦ୍ଧିର ବାହାଦୂରୀ |
ଶେଷରେ ସମସ୍ତେ ସମସ୍ବରରେ କହି ଉଠିଲେ ....
ପ୍ରଧାନ ସଚ୍ଚୀବ ହୋଇବା ପାଇଁ
ଆସିଥିଲେ ଖୋଜା ଦାଢ଼ୀ ଲମ୍ବାଇଁ |
ଚୈତନ ଚୁଟିଆ ନନା ଠାକୁର
ସଙ୍ଗରେ ପରୀକ୍ଷା ହେଲା ତାଙ୍କର
ଆଉ ବି ବୁଦ୍ଧି ସେ ବାହାର କରି
ହଟାଇବେ ବୋଲି ଥିଲେ ବିଚାରି ||
କିନ୍ତୁ ତାଙ୍କ ବୁଦ୍ଧି ପେଙ୍ଗା ମାରିଲା
ଠୁକୁରା ବ୍ରାହ୍ମଣ ହରାଇ ଦେଲା ||
ଭାରତୀୟଙ୍କର ରହିଲା ଟାଣ
ହଟିଗଲା ଦୂରଦେଶ ପଠାଣ ||
ଜାଣିଲା ଆପଣା ମନରେ ସେହି
ଏଠା ଗୋଡ଼ି ଶାଳଗ୍ରାମ ଅଟଇ ||
ତେଣୁ ସେ ନିଜକୁ କରି ଧିକକାର
ପଳାଇଲା ଛାଏଁ ହୋଇଲା ଚୋର ||
ସମ୍ରାଟ ମନରେ ଆନନ୍ଦ ହେଲେ
ବୀରବଲ ସ୍ବର୍ଣ୍ଣ ମୁଦ୍ରା ଅର୍ପିଲେ ||
ସାରା ସଭା ମଧ୍ୟେ ପଡ଼ିଲା ହୁରି
ଧନ୍ୟ ବୀରବଲ ବୁଦ୍ଧି ତୁମ୍ଭରି ||
ତୁମ୍ଭ ଯୋଗେ ଆଜି ଭାରତୀୟଙ୍କ
ପୃଥିବୀ ମଧ୍ୟରେ ରହିଲା ଟେକ ||
ଭାରତୀଙ୍କ ପାଖେ କରୁ ବିନତି
ଆହୁରି ଅଧିକ ଦିଅନ୍ତୁ ଶକ୍ତି ||
ଏତିକି ପ୍ରାର୍ଥନା ଅଟେ ଆମ୍ଭର
ସୁରେନ୍ଦ୍ର ପାତ୍ର ଯେ କରେ ଜୁହାର ||


ବାପା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି

ଦିନେ ରାଜସଭାରେ ସମ୍ରାଟ ଆକବର ବୀରବଲଙ୍କୁ କହିଲେ ଦେଖ ଦେଓ୍ବାନ୍, ଗତକାଲି ଜଣେ ଚିକିତ୍ସକ ମୋତେ ବତାଇଛନ୍ତି କିଛି ବଳଦ ଦୁଧ ଯୋଗାଡ଼ କରି ଦେଲେ ସେ ଗୋଟିଏ ଔଷଧ ତିଆରି କରିଦେବେ | ତୁମେ ଯେତେ ଶୀଘ୍ର ପାର ଏକ କିଲୋଗ୍ରାମ ଖାଣ୍ଟି ବଳଦ ଦୁଧ ଆଣି ହାଜର କରାଅ | ଟଙ୍କା ପାଇଁ କିଛି ଭାବନା କରିବ ନାହିଁ, କିଲେ ଦୁଗ୍ଧକୁ କିଲେ ସୁନା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି | ଏକଥା ଶୁଣି ବୀରବଲ କହିଲେ, ଯଦି ହଜୁରଙ୍କର ନିତାନ୍ତ ଦରକାର ତାହାହେଲେ ମୁଁ ନିଶ୍ଚୟ ଯୋଗାଡ଼ କରିବି, କିନ୍ତୁ ଟିକେ ସମୟ ଲାଗିବ |
ହେଉ ସେ ସକାଶ କିଛି ଚିନ୍ତା ନାହିଁ , ବରଂ ମୁ ସେ ଚିକିତ୍ସକଙ୍କୁ ଏକ ସପ୍ତାହ ଦରବାରରେ ଅଟକାଇ ଦେଉଛି | ତୁମେ ତା ମଧ୍ୟରେ ଦୁଧ ବନ୍ଦୋବସ୍ତ କର | ପ୍ରକୃତରେ ବାଦସାହାଙ୍କର ବଳଦ ଦୁଧ ଦରକାର ନଥିଲା କି ତାଙ୍କୁ କେହି ଚିକିତ୍ସକ ବତାଇ ନାହାନ୍ତି | କେବଳ ସେ ବୀରବଲଙ୍କର ଚତୁରତା ପରୀକ୍ଷା କରିବାକୁ ଏପରି କହିଛନ୍ତି |
ବୀରବଲ କହିଲେ ସାତଦିନ କାହିଁକି ମୁଁ ତିନି ଦିନରେ ଆଣି ପହଞ୍ଚାଇ ଦେବି, କିନ୍ତୁ ସେ କବିରାଜଙ୍କୁ କହିବେ ଆଉ ସବୁ ଦ୍ରବ୍ୟ ବନ୍ଦୋବସ୍ତ କରିଥିବେ | ଦୁଧଟା ଶେଷରେ ମିଶାଇ ଦେବେ | ଏ କଥା କହି ବୀରବଲ ରାଜସଭା ତ୍ୟାଗକରି ନିଜ ଘରକୁ ଚାଲିଗଲେ, କିନ୍ତୁ ସେ ଦିନ ରାତିରେ ଆଦୌ ଖିଆ ପିଆ କଲେ ନାହିଁ | ଦୁଃଖ ମନରେ ଗୋଟିଏ ଖଟ ଉପରେ ଶୋଇ ରହିଲେ |
ତାଙ୍କୁ ଯିଏ ଯେତେ ଡାକିଲେ ସେ ଆଦୌ ଉଠିଲେ ନାହିଁ କି କାହାକୁ କିଛି କହିଲେ ନାହିଁ | ତାଙ୍କର ଏକମାତ୍ର ପୁତ୍ରୀ କନକବାଳା ଯେତେବେଳେ ପାଖରେ ଉପସ୍ଥିତ ହେଲା ସେ ରାଜସଭାରେ ଘଟି ଥିବା ସମସ୍ତ ଘଟଣା ତାରି ଆଗରେ ବର୍ଣ୍ଣନା କରି କହିଲେ ମା ଏ ବିପଦରୁ ଏକମାତ୍ର ତୋ ବ୍ୟତିି ଅନ୍ୟ କେହି ଉଦ୍ଧାର କରି ପାରିବେ ନାହିଁ | ତୁ ଯଦି ଚେଷ୍ଟା କରିବୁ ତା ହେଲେ ତୋ ପିତାର ମାନ ରହିବ, ନ ହେଲେ ବାଦଶାହଙ୍କ ହୁକୁମରେ ମୁଣ୍ଡକାଟ ବ୍ୟତିତ ଅନ୍ୟ କିଛି ହୋଇ ନ ପାରେ |
ପିତାଙ୍କ ମନଦୁଃଖ ଦିଖି କନକବାଳା କହିଦେଲା, ଦେଖନ୍ତୁ ପିତା ମୁଁ ଆପଣଙ୍କ ଚରଣ ଛୁଇଁ ଶପଥ କରୁଛି ଯାହା ଆଦେଶ ଦେବେ ତା ଅକ୍ଷରେ ପାଳା କରିବି | ଦରକାର ହେଲେ ନିଜର ହୃଦୟ ଦାନ କରି ମଧ୍ୟ ଆପଣଙ୍କୁ ରଖିବାର ଚେଷ୍ଟା କରିବି | କହନ୍ତୁ ଏ କନ୍ୟାଦ୍ବାରା କେଉଁକାର୍ଯ୍ୟ ସାଧିତ ହୋଇ ପାରିବ | ସାଥେ ସାଥେ ତା କରିବାକୁ ବାହାରି ପଡ଼ିବି |
ବୀରବଲ କହିଲେ ଦେଖ ମା, ତୁ କାଲି ରାତି ବାରଟା ବେଳେ ଥୋଡ଼ାଏ ଚିରା ଫଟା ଲୁଗା ଗଣ୍ଠିରା କରି ନେବୁ | ସମ୍ରାଟ ଆକବରଙ୍କ ଶୋଇବା ଘର ସାମନାରେ ଯେଉଁ ଘାଟଟି ଅଛି ସେଇ ଘାଟ ଉପରେ ମଣ୍ଠିରାକୁ ରଖି ଦେଇ ଖଣ୍ଡ ଖଣ୍ଡ କରି ଲୁଗା ନେଇ ରାଜକିନୀ ମାନେ କାଚୁଲା ପରି, ନଇଁ ପଡ଼ି ଖୁବ୍ ଯୋରରେ ପିଟିବୁ | ଅନ୍ୟ କେହି ଶୁଣିପାରି ଯଦି ଆସି ତୋତେ କିଛି କାରଣ ପଚାରିବେ, ତୁ ଆଦୌ କାହାକୁ ଉତ୍ତର ଦେବୁ ନାହିଁ ଏପରିକି ନିଜେ ବେଗମସାହେବା ଆସିଲେ ସୁଦ୍ଧା ତାଙ୍କୁ ଜଣାଇବୁ ନାହିଁ  | ଯେତେବେଳେ ପର୍ଯ୍ୟନ୍ତ ବାଦଶାହ ନ ଆସିବେ ସେତେବେଳେ ଯାଏ କେଭେ କାର୍ଯ୍ୟ ବନ୍ଦ ରଖୁବୁ ନାହିଁ  | ତାପରେ ଯାହା ଯାହା କରିବୁ ମୁଁ ତୋତେ ସବୁକିଛି ବତାଇ ଦେଉଛି | ଏହାକହି କନକବାଳାକୁ ସେ ସମସ୍ତ କଥା ଗୋଟି ଗୋଟି କରି ବୁଝାଇ ଦେବାରେ ଲାଗିଲେ |
ତା,ପର ଦିନ ରାତି ଅଧରେ ବୀରବଲଙ୍କ କନ୍ୟା କନକବାଳା ଥୋଡ଼ାଏ ଚିରା ଫଟା ପୁରୁଣା ପୁରୁଣା ଲୁଗା ନେଇ, ବାଦଶାହଙ୍କର ଶୟନ ଗୃହର ଠିକ୍ ପାଖାପାଖି ଘାଟରେ, ସେ ଲୁଗା ଗୁଡ଼ିକ ପାଣିରେ ଭେଦାଇ ଦେଇ ପଥର ଉପରେ ପିଟିବାକୁ ଆରମ୍ଭ କଲା | ଫଟ୍ ଫଟ୍ ଶଦ୍ଦରେ ବାଦଶାହଙ୍କର ନିଦ୍ରା ହଠାତ୍ ଭାଙ୍ଗି ଯିବାରେ ଲାଗିଲା | ସେ ମନେ ମନେ ଅତ୍ୟନ୍ତ କ୍ରୋଧ ହୋଇ, ପ୍ରହରାବାଲା ସିପାହୀକୁ ଡାକି କହିଲେ, ଯାଅ ଯିଏ ଏପରି ଫଟାଫଟ ଅବାଜ କରି ଲୁଗା କାଚୁଛି ତାକୁ ମୋ ପାଖକୁ ଧରି ଆଣ |
ବାଦଶାହଙ୍କ ହୁକୁମ ପାଇ ସିପାହୀ ଘାଟ ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ସତର ଅଠର ବର୍ଷର ଅପୂର୍ବ ସୁନ୍ଦରୀ ଯୁବତୀ ଲୁଗା କାଚିବାରେ ଲାଗିଛି |
ଏତେ ରାତିରେ ତୁମେ କାହା ଆଦେଶରେ ସମ୍ରାଟଙ୍କ ଶୟନ କକ୍ଷ ସାମନା ଘାଟରେ ଲୁଗା କାଚୁଛ ବୋଲି ପଚାରି କହିଲା, ଚାଲ ଶିଘ୍ର ମୋର ସଙ୍ଗରେ ଚାଲ | ସ୍ବୟଂ ବାଦସାହା ତୁମ ଉପରେ ବିରକ୍ତ ହୋଇ ଧରିନେବା ସକାଶେ ମୋତେ ପଠାଇଛନ୍ତି |
ଯେତେ ପ୍ରକାର ସେ ସିପାହୀ ଜଣକ କହିଲା ଯୁବତୀ ତିଳେମାତ୍ର କଥାକୁ ଭ୍ରୁକ୍ଷେପ ନ କରି ସେହିପରି ଅବିଚଳିତ ଭାବରେ ଫଟା ଫଟ୍ ଲୁଗା ପିଟିବାରେ ଲାଗିଥାଏ | ତାର ଏପରି ବେଖାତିର ଢଙ୍ଗ ଦେଖି ସିପାହୀ ଜଣକ ଅତ୍ୟନ୍ତ କ୍ରୋଧହୋଇ କହିଲା, ତୁମର ତ ଭାରି ସାହାସ ଦେଖୁଛି | ଯେଉଁଠି ଖଣ୍ଡା ଦାଢ଼ରେ ବାଟ ଚାଲିଯିବାର କଥା, ତୁମେ ସେ ଜାଗାରେ ନିର୍ଜ୍ଜନ ରାତିରେ ବିନାନୁମତିରେ ପ୍ରବେଶ କରି ପୁଣି ସ୍ବୟଂ ସମ୍ରାଟଙ୍କ ଶୟନ କକ୍ଷ ସାମନାରେ ଲୁଗା କାଚି, ତାଙ୍କ ନିଦ୍ରା ଭଙ୍ଗ କରିଛ | ଡକେଇ ପଠାଇବାରୁ ମୋ କଥା ଭ୍ରୁକ୍ଷେପ ନକରି ଲୁଗା ବାଡ଼େଇବାରେ ଲାଗିଛ | ଏପରିକି ଉତ୍ତର ସୁଦ୍ଧା ପଦେ ମାତ୍ର ଦେଉ ନାହଁ | ଆଚ୍ଛା ଦେଖିବ ତୁମର କେତେ ସାହାସ |
ଏହାକହି ସିପାହୀ ଜଣକ ତମତମ ହୋଇ ସେଠାରୁ ଯାଇ ସମ୍ରାଟ ଆକବରଙ୍କ ଆଗରେ ଆମୂଳଚୂଳ ସମସ୍ତ କଥା ବର୍ଣ୍ଣନା କରିବାରେ ଲାଗିଲା | ଏକଥା ଶୁଣି ବାଦଶାହ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ନିଜେ ଯାଇ ଘାଟ କୂଳରେ ଉପସ୍ଥିତ ହେଲେ | ପ୍ରଥମରେ ଯୁବତୀଟିର ଅପୂର୍ବ ରୂପ ଦେଖି ମନେ ମନେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ | ଭାବିଲେ କିଏ ଏ ସୁନ୍ଦରୀ କାହିଁକି ଆସି ନିର୍ଜନ ରାତ୍ରିରେ ଏକା ଏକା ଏଠାରେ ଏପରି ଭାବରେ ନିଃସଙ୍କୋଚରେ ଲୁଗା କାଚୁଛି | କାରଣ କ,ଣ ? ସେ ଏହିପରି ମନେ ମନେ ବିଚାର କରି ନିଜର ସମ୍ମାନ ବଜାୟରଖି ଯୁବତୀ ଜଣଙ୍କୁ କହିଲେ ତୁମେ କିଏ ସେ କାହିଁକି ଆସି ଏତେ ରାତିରେ ଏଠି ଲୁଗା କାଚୁଛ | ତୁମର ନାମ କ,ଣ ଆଉ ତୁମେ କେଉଁଠାରେ ରୁହ ?
ସମ୍ରାଟଙ୍କର ସାରା ଶରୀର ରାଗରେ ନିଆଁବାଣ ହୋଇଉଠିଲା | କ୍ରୋଧ ବଶତଃ ତାଙ୍କର ଚକ୍ଷୁ ଦୁଇଟି ଏକବାରେ ରକ୍ତବର୍ଣ୍ଣ ଦେଖାହେଲା |
ଯୁବତୀ ବାଦସାହାଙ୍କର ଏପରି ଭୟାନକ ମୂର୍ତ୍ତି ଦେଖି ଭୟରେ ଥରହର ହୋଇ ଦୁଇହାତ ଯୋଡ଼ି କହିଲା, ଆଲ୍ଲିଯାଁହା ! ମୁଁ ନାଚାର ହୋଇ ଏତେ ରାତିରେ ଏଠାକୁ ଆସିଛି | ଏତିକି ମାତ୍ର କହି ସେ ପୁଣି ଥରିବାକୁ ଲାଗିଲା, ଯାହା କହିବାକୁ ମନସ୍ଥ କରିଥିଲା, ତା ସମସ୍ତ ବାଦସାହାଙ୍କ କ୍ରୋଧାନ୍ବିତ ରୂପ ଦେଖି କ୍ଷଣକ ଭିତରେ ଲୋପ ହୋଇ ଯିବାରେ ଲାଗିଲା |
ଷୋଡ଼ଶୀ ତରୁଣୀଟିର ଏପରି ଭୟାର୍ଥ ଢଙ୍ଗ ଦେଖି ଆକବରଙ୍କ ମନରେ ଦୟା ଜାତ ହେଲା, ତେଣୁ ସେ ଯୁବତୀଟିର ମୁଖକୁ ଯାହିଁ ନରମ ସ୍ବରରେ ଅଭୟ ଦେଇ କହିଲେ, ଦେଖ ତୁମେ ଯଦି ପ୍ରକୃତ ସତ କଥା ମୋ ଆଗରେ ମାନିଯିବ ତାହେଲେ ନିଶ୍ଚୟ ତୁମକୁ ମୁକ୍ତି ଦେବି | ନୋହିଲେ ଭୀଷଣ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ, ଏକଥା ମନେ ରଖି ଯାହାକର | ଏପରି ଆଶ୍ବସ୍ତବାଣୀ ସମ୍ରାଟଙ୍କ ମୁହଁରୁ ଶିଣିଲା ମାତ୍ରେ ଯୁବତୀଙ୍କ ମନରେ କିଞ୍ଚିତ ସାହାସ ସଞ୍ଚାର ହେଲା | ତେଣୁ ସେ ଦମ୍ଭଧରି ଠାଆହୋଇ ଯୋଡ଼ ହସ୍ତରେ କହିଲା, ଯାହାଁପନା | ଆପଣ ହେଉଛନ୍ତି ମୋର ପିତା ସଦୃଶ୍ୟ, ଆପଣଙ୍କ ଆଗରେ ସତ ନକହି ଯଦି ଏ ଗରିବ କନ୍ୟା କଥା ମନଯୋଗସହ ଶୁଣି ପ୍ରକୃତ ବିଚାର କରିବେ ତାହେଲେ ଛାମୁରେ ସମସ୍ତ ଗୋଟି ଗୋଟି କରି ବୟାନ କରିବି |
ହଉ ମୁଁ ତୁମର ସମସ୍ତ କଥା ମନଯୋଗ ଦେଇ ଶୁଣିବାକୁ ପ୍ରତିଶ୍ରୂତି ଦେଲି | କୁହ ଯାହା ଅଛି ନିର୍ଭୟରେ ପ୍ରକାଶକର |
ଏ କଥା ବାଦସାହାଙ୍କ ମୂହଁରୁ ଶୁଣି କନକଲତା ଲାଜ ଲାଜ ହୋଇ କହିଲା, ହଜୁର ଆଜି ଭୋର ଛଅଟା ସମୟରେ ମୋର ପିତା ଗୋଟିଏ ପୁତ୍ର ସନ୍ତାନ ପ୍ରତ୍ସବ କରିଛନ୍ତି | ସାରା ଦିନଯାକ ତାଙ୍କ ସେବା ଶୁଶ୍ରୁଷାରେ ରହିବାକୁ ପଡ଼ିଲା | ବର୍ତ୍ତମାନ ଟିକେ ସମୟ ମିଳିବାରୁ ମଇଳା ଲୁଗାଗୁଡ଼ି ସଫା କରିବାକୁ ଆସିଲି | କାରଣ କାଲି ସକାଳୁ ଲୁଗାର ନିହାତି ଦରକାର, ସେଇ ନେଇ ଭାବିଲି ବରଂ ରାତି ହେଉ ପଛେ ଏତିକି ବେଳୁଁ ବ୍ୟବସ୍ଥା ନକଲେ ସକାଳୁ ହଇରାଣ ହେବି | ସେଇଥି ନେଇ ଏତେ ରାତିରେ ଲୁଗା କାଚିବାକୁ ଆସିଛି ଯାହାଁପନା, ଯାହା ତ୍ରୁଟିଥିବ ଦୟାକରି ଏ ଅବାଧ୍ୟ ବାଳିକାକୁ କ୍ଷମାଦେବେ, ଏହିମାତ୍ର ମୋର ଅନୁରୋଧ | ଯୁବତୀଟିଠାରୁ ତାଙ୍କର ପିତା ପୁତ୍ର ପ୍ରସବ କରିଥିବା କଥା ଶୁଣି ସମ୍ରାଟ ଆକବର ମନେ ମନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ବିତ ହୋଇ ପଚାରିଲେ, ଆଚ୍ଛା ବାଳିକା, ତୁମର ପିତା କିପରି ସନ୍ତାନ ପ୍ରସବ କଲେ, ଏ କଥାତ ମୁଁ ତୁମଠାରୁ ଆଜି ପ୍ରଥମ ହୋଇ ଶୁଣିବାକୁ ପାଉଛି | ପୁରୁଷ କଣ କେବେ ସନ୍ତାନ ପ୍ରସବ କରନ୍ତି | ଏହାତ ମୋର ବିଶ୍ବାସ ହେଉନାହିଁ |
ଏତିକି ବେଳେ ଯୁବତୀ ଜଣକ କହିବାର ଉପଯୁକ୍ତ ଅବସର ପାଇ, ଦୁଇ ହାତ ଯାଡ଼ି ବିନମ୍ର ଭାବରେ କହିଲା କାହିଁକି ଅବିଶ୍ବାସ କରୁଛନ୍ତି ଜାହାଁପନ୍ନା ଯେଉଁ ଦେଶରେ ବଳଦଠାରୁ ଦୁଧ ମିଳିବା ସମ୍ଭବ ହେଉଛି, ସେ ଦେଶରେ ବା ପୁରୁଷମାନେ କାହିଁକି ପୁତ୍ର ଜନ୍ମ ନ କରିବେ |
ଏତେ ବେଳକେ ପ୍ରକୃତ କଥାର ରହସ୍ୟ ବାଦସାହ ଜାଣି ପାରିଲେ ଯେ ଏ ହେଉଛି ବୀରବଲଙ୍କର ବୁଦ୍ଧିର ତାତ୍ପର୍ଯ୍ୟ | ତେଣୁ ସେ ଅତ୍ୟନ୍ତ କୋମଳ ସ୍ବରରେ ଯୁବତୀକୁ ପଚାରିଲେ, ଆଚ୍ଛା ଯୁବତୀ, ତୁମେ ସତକୁହ, ଏ ବୁଦ୍ଧି ତୁମର ନାଁ ଅନ୍ୟ କେହି ତୁମକୁ ପ୍ରେରଣା ଦେଇ ଏଠାକୁ ପଠାଇଛି |
ଯୁବତୀ କହିଲା ମୋର ପିତାଜିଙ୍କ ଆଦେଶରେ ମୁଁ ଏହା କରିବାକୁ ଆସିଛି | ଏ ବୁଦ୍ଧି ମୋର ନୁହେଁ |
ଏକଥା ଶୁଣି ସମ୍ରାଟ୍ ପୁନଶ୍ଚ ପଚାରିଲେ, ଆଚ୍ଛା ତୁମେ କଣ ବୀରବଲଙ୍କ କନ୍ୟା କି ?
ଯୁବତୀ କୌଣସି ଉତ୍ତର ନ ଦେଇ ତଳକୁ ମୁହଁପୋତି ନୀରବରେ ଛିଡା ହୋଇ ରହିଲା | ଯଥା, ମଉନେ ସମ୍ମତି ଲକ୍ଷଣଃ |
ସମ୍ରାଟ ଆକବର ସମସ୍ତ କଥା ଜାଣିପାରି ମନେ ମନେ ଅତ୍ୟନ୍ତ ଖୁସିହୋଇ ଯୁବତୀର କର ଧରି ନବର ମଧ୍ୟକୁ ନେଇଯାଇ ତା ହସ୍ତରେ ଏସ ହଜାର ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦେଇ ସସମ୍ମାନ ସହିତ ପାଲିଙ୍କିରେ ବସାଇ ପିତ୍ରାଳୟକୁ ପଠାଇ ଦେଲେ |
ତାପର ଦିନ ସିପାହୀ ଦ୍ବାରା ବୀରବଲଙ୍କ ପାଖକୁ ପତ୍ର ଲେଖି ପଠାଇଲେକି ମୁଁ ତୁମକୁ ଯେଉଁ ବଳଦ ଦୁଧ ନିମନ୍ତେ ଆଦେଶ ଦେଇଥିଲି ତାହା ଗତ ରାତିରେ ପାଇ ଯାଇଛି | ଆଉ ମୋର ଦୁଧ ଆବଶ୍ୟକ ନାହିଁ | ତୁମେ ତୁରନ୍ତ ରାଜସଭାରେ ଆସି ମୋ ସହିତ ସାକ୍ଷାତ କର |

ମୁର୍ଖମାନଙ୍କର ତାଲିକା

ଆକବର ବାଦସାହାଙ୍କ ଦରବାରକୁ ଥରେ ଗୋଟିଏ ଆରବ ଦେଶର ଘୋଡା ବେପାରୀ କେତେଗୁଡ଼ିଏ ବଚ୍ଛା ବଚ୍ଛା ଘୋଡ଼ା ଆଣି ପହଞ୍ଚଲା | ବାଦଶାହା ଆରବୀ ଘୋଡ଼ାକୁ ଭାରି ପସନ୍ଦ କରନ୍ତି | ଏ ଘୋଡ଼ା ଗୁ଼ଡ଼ିକୁ ଦେଖିଲା ମାତ୍ରେ ସେ ମନେ ମନେ ଭାରି ଆନନ୍ଦ ହୋଇ ସେ ବେପାରୀ ପାଖରେ ଯେତେ ଘୋଡ଼ା ଥିଲା ସବୁଯାକ ଟଙ୍କାଦେଇ କିଣିନେଲେ | ତାପରେ ଆହୁରି ଭଲ ଘୋଡ଼ା ଆଣି ଦିଅ ବୋଲି କହି ବେପାରୀକୁ ଆଦେଶ ମଧ୍ୟ ଦେଲେ | ସେ ବେପାରୀର ଘର ଦୂର ଦେଶରେ ହୋଇଥିବାରୁ ତାକୁ ଏକ ହଜାର ଟଙ୍କା ସାଥେ ସାଥେ ଅଗ୍ରୀମ ଦେଇ କହିଲେ ତୁମେ ଘୋଡ଼ା ଆଣି ଶୀଘ୍ର ଆସିଲେ ଏ ଟଙ୍କା ମଜୁରୀ ହୋଇଯିବ | ବେପାରୀ ସମସ୍ତ କଥାରେ ହଁ ହଁ ମାରି ଚାଲିଗଲା, କିନ୍ତୁ ତାର ନାମ ଧାମ ଇତ୍ୟାଦି କିଛି ଲେଖିଲେ ନାହିଁ | ସେତେବେଳେ ବାଦସାହାଙ୍କର ଏସବୁ ସ୍ମରଣ ନଥିଲା |
ତାପରେ କିଛି ସମୟ ପରେ ବୀରବଲଙ୍କୁ ଡକାଇ ବାଦସାହା କହିଲେ, ଦେଖ ଦିନକୁ ଦିନ ମୂର୍ଖମାନଙ୍କର ସଂଖ୍ୟା ରାଜ୍ୟରେ ବଢିବାକୁ ଲାଗିଛି | ସେମାନେ ଭଲମନ୍ଦ କିଛି ବୁଝି ପାରୁନାହାନ୍ତି | ତାଙ୍କ ଭିତରେ ଯେଉଁ ଗୁଡାକ ଅଜବ ମୂର୍ଖ ସେଇମାନେ ବେଶି ବିଗାଡୁଛନ୍ତି | ଏକଥା ମୁଁ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଛି |
ତେଣୁ ତୁମକୁ ମୁଁ ଆଜି ଆଦେଶ ଦେଉଛି, ଏ ସହର ଭିତରେ କେତେ ଅଜବ ମୁର୍ଖ ବା ବେକୁବ୍ ଅଛନ୍ତି, ତୁମେ ଦୁଇଦିନ ଭିତରେ ସେମାନଙ୍କର ତାଲିକା ଆଣି ମୋ ପାଖରେ ହାଜର କରାଅ | ତାପରେ ଅନ୍ୟ ଅଞ୍ଚଳ କଥା ଦେଖାଯିବ |
ବହୁତ ଆଛା, କହି ବୀରବଲ ମୁର୍ଖ ତାଲିକା ସଂଗ୍ରହ କରିବାକୁ ବାହାରିଗଲେ | ଅନ୍ୟ ଗୋଟିଏ ଘରେ କାର୍ଯ୍ୟ ଆରମ୍ଭ ହେଲା | ଠିକ୍ ଦୁଇଦିନ ପରେ ସହରରେ ସମସ୍ତ ମୁର୍ଖଙ୍କ ତାଲିକା ପ୍ରସ୍ତୁତ କରି ସାରି ସେ ରାଜସଭାରେ ଆସି ହାଜର ହୋଇ କହିଲେ, ହଜୂର, ଆପଣଙ୍କ ଆଦେଶ ମତେ ଅଜବ ମୁର୍ଖ ଓ ତାଙ୍କର ସର୍ଦ୍ଦାରମାନଙ୍କ ନାମ ତାଲିକା ପ୍ରସ୍ତୁତ କରି ନେଇ ଆସିଛି | ଆଦେଶ ଦେଲେ ତାହା ଏ ସଭାରେ ପେଶ୍ କରିବି |
ହଁ ହଁ ବହୁତ ଖୁସି, ବହୁତ ଖୁସି, ଦେଖାଅ ଦେଓ୍ବାନ କେତେ ମୂଖ ମୋର ଏ ସହର ମଧ୍ୟରେ ଅଛନ୍ତି ଶୀଘ୍ର ସେମାନଙ୍କ ତାଲିକା ପେଶ୍ କରି ଦିଅ |
ବାଦସାହାଙ୍କ ଠାରୁ ଅନୁମତି ପାଇ ବୀରବଳ ତାଲିକାଟିକୁ ବାହାର କରି ଯତ୍ନର ସହିତ ତାଙ୍କ ହାତକୁ ବଢ଼ାଇ ଦେଲେ |
ସମ୍ରାଟ ସେ ତାଲିକାଟିକୁ ଖୋଲିଦେଇ ଦେଖିଲା ବେଳକୁ ସର୍ବ ପ୍ରଥମେ ତାଙ୍କରି ନାଆଁ ବଡ଼ ଅକ୍ଷରରେ ଲେଖା ହୋଇ ତଳେ ଦିଆଯାଇଛି ମୂର୍ଖମାନଙ୍କ ସରଦାର ବୋଲି | ଏକଥା ଦେଖି ସେ ମନେ ମନେ ଆଶ୍ଚର୍ଯ୍ୟାନ୍ବିତ ହୋଇ ପଚାରିଲେ, ଏହାର କାରଣ କଣ ମୋତେ ଶୀଘ୍ର ବତାଅ |
ଅତ୍ୟନ୍ତ ନମ୍ରତା ପୂର୍ବକ ବୀରବଳ ଉତ୍ତରରେ କହିଲେ ଦେଖନ୍ତୁ ଜାହାଁପନା, ଆରବ ଦେଶରୁ ଯେଉଁ ଘୋଡ଼ା ବେପାରୀ ଆସିଥିଲା, ଆପଣ ତାକୁ ଏକ ହଜାର ଟଙ୍କା ଅଗ୍ରୀମ ଦେଇଛନ୍ତି | କିନ୍ତୁ ତାର ନାମ, ତାର ଠିକଣା କିଛି ରଖିଛନ୍ତି କି ? କେଉଁ ଭାବରେ ତାଠାରୁ ଟଙ୍କା ଆଦାୟ କରିବେ କୁହନ୍ତୁ ? କେଉଁ ଭାବରେ ତାଠାରୁ ଟଙ୍କା ଆଦାୟ କରିବେ ଜାହାଁପନା | ଏ କଣ ଆପଣଙ୍କର ମୂର୍ଖତା ନୁହେଁ କି ? ୟାଠାରୁ ଆଉ ବଡ଼ ମୂର୍ଖ ଦୋଷ କଣ ଅଛି | ବାଦସାହା ନିଜ ମନକୁ ନିଜର ଦୋଷ ବିଚାର କରି ଭାବିଲେ ବୀରବଲ ଯାହା କହୁଛୁ ତାହା ଅକ୍ଷରେ ଅକ୍ଷରେ ସତ, ତେବେ ଏତେ ଶାଘ୍ର କିପରି ସେ ହାର ମାନନ୍ତେ | ତେଣୁ ପୁନଶ୍ଚ ଗୋଟିଏ ବୁଦ୍ଧି ବାହାର କରି କହିଲେ, ଧରନ୍ତୁ ଯଦି ସେ ବେପାରୀ ଘୋଡ଼ା ଆଣି ଆସିବ ତେବେ ?
ବୀରବଲ ଉତ୍ତରରେ କହିଲେ, ତେବେ ଆପଣଙ୍କ ସ୍ଥାନରେ ତା ନାଁ ଟିକୁ ଲେଖି ଦେବାକୁ ହେବ |
ଏକଥା ଶୁଣି ବାଦସାହା ଆହୁରି ଲଜ୍ଜିତ ହୋଇଗଲେ |

ବାଦସାହାଙ୍କୁ ହଜାର ଜୋତା ମିଳୁ

ଏକଦିନେ ବାଦସାହା ଦରବାରରେ ବସିଥାନ୍ତି | ବୀରବଲ ମଧ୍ୟ ସେ ସଭାରେ ଉପସ୍ଥିତ ଥାନ୍ତି |  ସେ ଅନ୍ୟମାନଙ୍କ ସାଥିରେ ବସି ହସି ଖୁସିରେ କଥାବାର୍ତ୍ତା ହେବାରେ ଲାଗିଥାନ୍ତି | ଏତିକିବେଳେ ବାଦସାହା ଗୋଟିଏ ଚାକରକୁ ଡାକି କହିଲେ, ବୀରବଲଙ୍କ ଯୋତା ନେଇ ଅନ୍ୟତ୍ର ଲୁଚାଇ ଦେବାକୁ | ଏକଥା ବୀରବଲ ଜାଣିପାରିନଥାନ୍ତି | ସେ ସେହିପରି ହସ ଖୁସିରେ ବ୍ୟସ୍ତ ରହିଥାନ୍ତି |
ସମ୍ରାଟ ଜାଣି ଜାଣି ତାଙ୍କୁ ହଇରାଣ କରିବା ମତଲବରେ ଗୋଟିଏ କାମର ବାହାନା ଦେଖାଇ ଦେଲେ | ଏପରି ସ୍ଥାନକୁ ପଠାଇଲେ କି ଯଦ୍ବାରା ଦରବାରଠାରୁ କିଛି ଦୂର ବାହାରକୁ ଯିବାକୁ ପଡ଼ିପାରେ | ବୀରବଲ ସଭାରୁ ଉଠି ଯିବା ସକାଶେ ବାହାରି ଦ୍ବାର ମୁହଁରେ ପହଞ୍ଚି ଦେଖିଲା ବେଳକୁ ତାଙ୍କର ଯୋତା ନାହିଁ | ତେଣୁ ସେ ଅସ୍ତବ୍ୟସ୍ତ ହୋଇ ଏପଟ ସେପଟ ଖୋଯିବାରେ ଲାଗିଲେ | ବାଦସାହା ତାଙ୍କୁ ଏପରି କାମ ବରାଦ କରିଥାନ୍ତି କି ଦଶ ମିନିଟ୍ ଭିତରେ ନ ହେଲେ ସେ କାମଟି ଖରାପ ହୋଇଯିବ | କଣ କରିବେ ବୋଲି ବୀରବଲଙ୍କ ମୁଣ୍ଡ ଏକାବାର ଖରାପ ହୋଇଗଲା | ଏଣେ ବାଦସାହା ତାଙ୍କରି ବ୍ୟସ୍ତତାକୁ ଲକ୍ଷ୍ୟକରି ହସି ହସି କହିଲେ କିହୋ କଣ ହେଲାକି ଦେଓ୍ବାନ, ସେହି ବ୍ୟସ୍ତ ଭିତରେ ରହି ବୀରବଲ ଉତ୍ତର ଦେଲେ ଯୋତା ହଜିଛି ? ଓହୋ ତୁମର ଯୋତା ହଜିଛି | ଏହାକହି ବାଦସାହା ଗୋଟିଏ ନୌକରକୁ ଡାକି ହୁକୁମ ଦେଲେ କି ଆମ ତରଫରୁ ତାଙ୍କୁ ଦି ଯୋତା ଦେଇ ଦିଅ | ବାଦସାହାଙ୍କର ହୁକୁମ ପାଇ ଚାକର ସାଥେ ସାଥେ ଦୁଇଟି ନୂଆ ଯୋତା ନେଇ ବୀରବଲଙ୍କ ଗୋଡ଼ରେ ପିନ୍ଧାଇ ଦେଲା |
ନୂଆ ଯୋତା ପିନ୍ଧି ସାରିବାରୁ ବୀରବଲ ମନ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ହୋଇଯାଇ କହିଲେ, ମୋତେ ଯାହା ଦେଲେ ତା ବଦଳରେ ଆପଣଙ୍କୁ ବିଷ୍ଣୁଲୋକରେ, ପରଲୋକରେ ହଜାର ଯୋତା ମିଳୁ | ମୋର ଏହି ମଙ୍ଗଳ କାମନା |
ବୀରବଲଙ୍କ କଥା ଶୁଣି ବାଦସାହା ସରମରେ ମୁଣ୍ଡ ତଳକୁ ପୋତି ବସି ରହିଲେ |

ଚତୁର ଓ ମୂର୍ଖ

ଦିନେ ଆକବର ବାଦସାହା ବୀରବଲକୁ ପଚାରିଲେ ଆଛା ତୁମେ କହିପାରିବ ଏ ଦୁନିଆରେ କଥା କହିବାରେ କେଉଁ ଜାତି ବେଶି ଚତୁର ଓ କେଉଁଜାତି କଥା କହିବାରେ ବେଶି ବୋକା ?
ବୀରବଲ ତତକ୍ଷଣାତ୍ ଉତ୍ତର ଦେଇ କହିଲେ ଆଲିଜାହାଁ | ମୋ ଜାଣିବାରେ ସଂସାରରେ ସବୁଠାରୁ ଚତୁର ହେଉଛି ବଣିଆ ଜାତି ଏବଂ ସବୁଠାରୁ ବେଶୀ ମୁର୍ଖ ଓ ବୋକା ହେଉଛି ଆପଣଙ୍କର ମୌଲବୀ ଜାତି |
ବାଦସାହ କହିଲେ ଏ କଥାରେ ମୋର ମୋଟେ ବିଶ୍ବାସ ହେଉନାହିଁ, କାରଣ ଯେଉଁ ମୌଲବୀ ଜାତି ଏତେ ପାଠ ଶାଠ ପଢିଛନ୍ତି ସେମାନେ ମୁର୍ଖ ହେବେ କେମିତି, ଆଉ ବଣିଆ ଗୁଡ଼ାକ ବିଶେଷତଃ ସେତେ ପାଠ ପଢ଼ିନାହାନ୍ତି ସେମାନେ ପୁଣି ଚତୁର ହେବେ କେମିତି | ମୋ ମତରେ ତୁମେ ଯାହା କହୁଛ ତାହା କଦାପି ଠିକ୍ ନୁହେଁ | ଏହା ତୁମର କପୋଳ କଳ୍ପିତ ପରି ମନେହୁଏ |
ବୀରବଲ କହିଲେ ହଜୁର, ଯଦି କିଛି ଟଙ୍କା ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେବେ ତାହେଲେ କିଏ ମୁର୍ଖ କିଏ ଚତୁର ମୁଁ ଆପଣଙ୍କ ସାମନାରେ ପରୀକ୍ଷା କରାଇ ଛାଡ଼ିଦେବି |
ବାଦସାହା ଉତ୍ତରରେ ବୀରବଲଙ୍କୁ ଆଦେଶ ଦେଲେ, ଯେତେ ଧନ ଦର୍କାର ତୁମେ ରାଜଭଣ୍ଡାରରୁ ନେଇ ତୁରନ୍ତ ମୋତେ ଚିହ୍ନାଇ ଦିଅ ମୌଲବୀମାନେ କିପରି ମୁର୍ଖ ଅଟନ୍ତି |
ଆଦେଶ ପାଇବାମାତ୍ରେ ବୀରବଲ ବାଦସାହାଙ୍କ ନିକଟକୁ ଯାଇ କହିଲେ ଦେଖନ୍ତୁ ଜାହାଁପନା, ମୋର ଅନୁରୋଧ ଆପଣ କେବଳ ନୀରବରେ ବସିରହି ସମସ୍ତ ଦେଖି ଯାଉଥିବେ, ମୁଁ ଯାହା କରିବି ଆପଣ ସେଥିରେ ହସ୍ତକ୍ଷେପ କରିବେ ନାହିଁ | ଯଦି ତା କରନ୍ତି ତାହେଲେ ସମସ୍ତ କାର୍ଯ୍ୟ ଭଣ୍ଡୁର ହୋଇଯିବ | ବାଦସାହ ବୀରବଲଙ୍କ କଥାରେ ସମ୍ମତି ପ୍ରଦାନ କଲେ |
ଯଥା ସମୟରେ ମୌଲବୀ ଆସି ଠିକଣା ଯାଗାରେ ବସି ରହିଲେ | ବୀରବଲ ମଧ୍ୟ ନ ଜାଣିଲାପରି ତାଙ୍କ ପାଖରେ ଯାଇଁ ଉପସ୍ଥିତ ହୋଇ ଅତି ନମ୍ର ଭାବରେ କହିଲେ, ମୌଲବୀ ଜି ବାଦସାହାଙ୍କର ହୁକୁମ ହୋଇଛି ତୁମର ଏ ଦାଢ଼ୀ ତାଙ୍କର ଜରୁରୀ ଦରକାର ଅଟେ | ତା ବଦଳରେ ଆପଣ ଯେତେ ଟଙ୍କା ଚାହିଁବେ ସେ ଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଦାଢ଼ୀ ଦେବାକୁ ହେବ |
ଏତେ ବଢ଼ ଦରବାର ଭିତରେ ଏପରି କଥା ଶୁଣି ମୌଲବୀଙ୍କର ହୋସ୍ ଉଡ଼ିଯିବାରେ ଲାଗିଲା | କାହାକୁ କିଛି ନ କହି ବୋକାଙ୍କ ପରି ସଭା ଭିତରେ ଚୁପ୍ ଚାପ ବସି ରହି ଥାନ୍ତି |
ଅନେକ ସମୟ ପରେ ଥରଥର ଗଳାରେ କହିଲେ, ଦେବାନ୍ ଜି ଏହା କିପରି ସମ୍ଭବ ହେବ କୁହନ୍ତୁ | ଦାଢ଼ୀ ହେଉଛି ଖୋଦାଙ୍କର ସବୁଠାରୁ ପ୍ରିୟବସ୍ତୁ, ତାକୁ କେମିତି ବା ଦିଆଯାଇ ପାରିବ |
ବୀରବଲ ଟିକେ ଭୟ ଦେଖାଇଲା ଭଙ୍ଗୀରେ କହିଲେ, ଆପଣତ ଜାଣନ୍ତି ମୌଲବୀ ଜି ଖୋଦା ଆଉ ବାଦସାହା ଏକ ଅଟନ୍ତି | ସେ ହେଉଛନ୍ତି ଅଦୃଶ୍ୟ ଶକ୍ତି, ଏ ହେଉଛନ୍ତି ସୁ ଦୃଶ୍ୟ ଶକ୍ତି | ମଲାପରେ ବା ତାଙ୍କ ପାଖକୁ ଯାଇପାର, କିନ୍ତୁ ଜୀବିତାବସ୍ଥାରେ ଯାହା ପାଖରେ ଅଛ, ଯାହାର ନିମେ ଖାଉଚ, ଯାହା ରାଜ୍ୟରେ ଘର କରିଛ ତାଙ୍କ କଥା ବା କାଟି ଦେବ କିପରି | ଆଉରି ମଧ୍ୟ ଖୋଦା ଆପଣଙ୍କ ଦାଢ଼ୀ ମାଗଣାରେ ବଢ଼ାଇଛନ୍ତି, କିନ୍ତୁ ଏ ଟଙ୍କା ଦେଇ ନେବାକୁ ଚାହାନ୍ତି | ଏ କଥାକୁ ଆପଣ ବିଚାର କରି ଯାହା ହେବାର ତାହା କରନ୍ତୁ | ମୋର କିଛି କହିବାର ନାହିଁ |
କିନ୍ତୁ ସମ୍ରାଟ ଇଛାକଲେ ମୁହୂର୍ତ୍ତକ ମଧ୍ୟରେ ଜବରଦସ୍ତି ତୁମଦାଢ଼ୀ କଟାଇ ନେଇ ପାରନ୍ତେ | ତୁମକୁ ଗାରଦ ଭିତରେ ପୁରାଇ ପାରନ୍ତେ, ହେଲେ ତାଙ୍କର ମତଲବ ତାହା ନୁହେଁ | ସେ ସମସ୍ତଙ୍କ ଅପେକ୍ଷା ମୌଲବୀମାନଙ୍କୁ ବେଶି ଭକ୍ତି କରନ୍ତି | ସେଇ ନେଇ ତୁମକୁ ଖୋସାମତ କରିବାକୁ ପଡ଼ୁଛି | କହନ୍ତୁ କଣ କରିବାକୁ ହେବ, ଏ ପାର ନାଁ ସେ ପାର |
ବୀରବଲଙ୍କ କଥା ଶୁଣି ମୌଲବୀ ଭୟରେ ଥରିବାକୁ ଲାଗିଲେ | ସେ ମନେ ମନେ ଭାବିଲେ ବାଦସାହଙ୍କ କଥାରେ ନାରାଜ ହେଲେ ବହୁତ ଖରାପ ହେବ | ତେଣୁ ସେ ନମ୍ରତା ପୂର୍ବକ କହିଲେ ଦଶଟା ଟଙ୍କା ଦିଅନ୍ତୁ | ବହୁତ ପରିଶ୍ରମରେ ଏ ଦାଢ଼ୀ ବଢ଼ାଇଛି ଦେବାନ ଜି |
ଆମେ ତ ଆଗରୁ ଆପଣଙ୍କୁ ସେ କଥା କହି ରଖିଛୁ, ଦାଢ଼ୀ ବଦଳରେ ଟଙ୍କା ଦିଆହେବ ବୋଲି | ଏକଥା କହି ସାଥେ ସାଥେ ଦଶ ଟଙ୍କା ଆଣି ତାଙ୍କ ହାତକୁ ବଢ଼ାଇ ଦେଲେ | ମୌଲବୀ ଦଶଟି ଟଙ୍କା ପାଇବା ମାତ୍ରେ ବାରିକ ଡକାଇ ପରିଷ୍କାର ଭାବରେ ଦାଢ଼ୀ ଗୁଡ଼ିକ ଖିଅର ହୋଇ ପଡ଼ି, ଟଙ୍କା ଦଶଟି ହାତରେ ଧରି, ବାଦସାହାଙ୍କୁ ସଲାମ ଜଣାଇ ଘରମୁହାଁ ହୋଇ ବାହାରି ପଡ଼ିଲେ | ଜୀବନ ବଞ୍ଚାଇ ପାରିଥିବାରୁ ସେ ଖୋଦାଙ୍କ ପାଖରେ ମଧ୍ୟ ଶହେ ସଲାମ ପକାଇଲେ |
ମୌଲବୀ ଚାଲିଯିବା ପରେ ବୀରବଲ ସହର ମଧ୍ୟରୁ ଖୋଜି ଖୋଜି ଜଣେ ମଜଭୁତ ବଣିଆକୁ ସାଙ୍ଗରେ ଆଣି ହାଜର କରାଇଲେ | ତାର ଦାଢୀ ଖୁବ୍ ଲମ୍ବା ହୋଇଥାଏ | ସେ ବଣିଆ ଖୁବ୍ ଗୌରବାନ୍ବିତ ହୋଇ ସଭା ମଧ୍ୟରେ ବସି ରହିଥାଏ | ବୀରବଲ ତାଙ୍କ ନିକଟରେ ପହଞ୍ଚି କହିଲେ ତୁମର ଏ ଲମ୍ବ ଦାଢ଼ୀ ବାଦସାହାଙ୍କର ଭାରି ଦରକାର ହେଉଛି | ତୁମେ ଯାହା ଚାହିଁବ ତା ମଧ୍ୟ ଦିଆଯିବ |
ବଣିଆ ଟିକେ ପ୍ରୌଢ଼ତା ଦେଖାଇ କହିଲା, ଦେଖନ୍ତୁ ହଜୁର ଆପଣ ହେଉଛନ୍ତି ମାଲିକ | ଯାହା ଚାହିଁବେ ତାହା କରିବେ, କିନ୍ତୁ କଥା ଏହି ଯେ ସରକାର ଆମେ ହେଉଛୁ ଗରିବ ଲୋକ | ବୀରବଲ ଟିକେ ଉତ୍ତେଜିତ କଲାଭଳି କହିଲେ ଆମ ପାଖରେ ଗରିବ ଅମୀର କିଛୁ ପାର୍ଥକ୍ୟ ନାହିଁ | ବାଦସାହାଙ୍କର ଦାଢ଼ୀର ଆବଶ୍ୟକ | ତୁମେ ଯେତେ କିମତ ନେବ ଦିଆଯିବ | ଅନ୍ୟ କଥାରେ କିଛି ଆବଶ୍ୟକତା ନାହିଁ | କୁହ କେତେ ନେବ |
ବୀରବଲ ଟିକେ ଉତ୍ତେଜିତ ହୋଇ କହିଲେ ସଫା ସଫା କୁହ ଏପରି ଅଗଲ ବଗଲ କଥାକୁ ମୁଁ ଆଦୌ ପସନ୍ଦ କରେ ନାହିଁ |
ବଣିଆ କହିଲା ହଜୁର, ଯେତେବେଳେ ମୋ ମାଆ ମରିଥିଲା (ଏହା କହି ଦାଢ଼ୀରେ ହାତମାରି ସାଉଁଳେଇ) ଏଇ ଦାଢ଼ୀ ପକାଇବାକୁ ପାଞ୍ଚହଜାର ଟଙ୍କା ଖରଚ ହୋଇଥିଲା | ଫେରେ ଯେତେବେଳ ବାପ ମଲେ ସେତେବେଳେ ଛଅ ହଜାର ଖର୍ଚ୍ଚ ହୋଇଥିଲା | ଆହୁରି ମଧ୍ୟ ଗ୍ରାମବାସୀ ଓ ବ୍ରାହ୍ମଣ ଭୋଜନ ଇତ୍ୟାଦି ମିଶି ଦଶହଜାର ପର୍ଯ୍ୟନ୍ତ ଏଇ ଦାଢ଼ୀ ଖାତିରିରେ ଖର୍ଚ୍ଚ କରା ହୋଇଥିଲା | ଆଉ ମଧ୍ୟ ଆପଣ ତ ଜାଣନ୍ତି ଏ ବାଳର ଇଜତ କେତେ | ମୁଁ ଆଉ ଅଧିକ ବା କଣ କହିବି |
ବୀରବଲ କହିଲେ ବାଜେ କଥା ଗୁଡ଼ାକ ବକିବା ବନ୍ଦ କର | ଯାହା ଉଚିତ ସେଇକଥା କୁହ | ତୁମର ହିସାବରୁ ଯାହା ଅନୁମାନ କୋଡ଼ିଏ ହଜାର ଟଙ୍କା ନେଲେ ତୁମେ ଦାଢ଼ୀ ଦେବ | ବାଶ୍ ସେତିକି ନେଇ ଶୀଘ୍ର ଦାଢ଼ୀ ଦେଇ ଘରକୁ ଯାଅ | ଆଉ ବକାବକିର କୌଣସି ମୂଲ୍ୟ ନାହିଁ | ଏହାକହି ବଣିଆ ହାତକୁ କୋଡ଼ିଏ ହଜାର ଟଙ୍କା ସାଥେ ସାଥେ ଗଣିଦେଲେ |
ବଣିଆ ଯେମିତି କୋଡ଼ିଏ ହଜାର ଟଙ୍କା ହାତରେ ଧରି ସାରିଲା, ତାପରେ ଯାଇ ସରଳ ମନରେ ବୀରବଲଙ୍କୁ କହିଲା ଶୀଘ୍ର ବାରିକ ଡକାନ୍ତୁ ହଜୁର, ମୋର ତେଣେ ବହୁତ କାମ ବାକି ଅଛି | ଖାଲି ହଜୁରଙ୍କ ସକାଶେ କୋଡ଼ିଏ ହଜାର ଟଙ୍କାରେ ଏ ଦାଢ଼ୀକୁ ବିକ୍ରି କରିଦେଲି, ଅନ୍ୟଲୋକ ହୋଇଥିଲେ ଲକ୍ଷେ ଟଙ୍କାରୁ କମ୍ ହୋଇ ନ ଥାନ୍ତା |
ଏହା କହି ବଣିଆ ଯେତେବେଳେ ବାରିକ ପାଖରେ କ୍ଷିଅର ହେବାକୁ ବସିଲା, ଦେଖିଲା ତା ପାଖରେ ରୁମାଲ, ସାବୁନ, ପାଉଡର ଇତ୍ୟାଦି କ୍ଷିଅର ସରଞ୍ଜାମ କିଛି ନାହିଁ | ଯେତେବେଳେ ଦାଢ଼ୀ ଉପରେ ହାତ ପକାଇଦେଲା ଠୋ କରି ସେ ବାରିକ ଗାଲରେ ଗୋଟାଏ ଚାପୁଡ଼ା ବସାଇ ଦେଇ କହିଲା ବଦମାସ, ତୁ ଏ ଦାଢ଼ୀକୁ କ,ଣ କରି ପାଇଛୁ କି ? ଏ କ,ଣ ବଣିଆ ଦାଢ଼ୀ ହୋଇଛି ଯେ, ବିନା ସାବୁନରେ କ୍ଷିଅର କରିଦେବୁ | ଯାଣିଛୁ ଏ ବାଳ ହେଉଛି ସ୍ବୟଂ ବାଦସାହାଙ୍କର |
ଏକଥା ଶୁଣି ବାଦସାହା କ୍ରୋଧରେ ଜଳିବାକୁ ଲାଗିଲେ | ସେ ଚାକରକୁ ପାଖକୁ ଡାକି କହିଲେ, ଏ ବଦମାସର ଦାଢ଼ୀ କାଟିବା ଦରକାର ନାହିଁ  | ବେକରେ ଧକ୍କା ଦେଇ ଶୀଘ୍ର ନେଇ ବାହାରେ ଛାଡ଼ିଦେଇ ଆସ |
ବାଦସାହାଙ୍କର ଏପରି ଆଦେଶ ପାଇବା ମାତ୍ରେ, ସେ କୋଡ଼ିଏ ହଜାର ଟଙ୍କା ହାତରେ ଧରି କ୍ଷଣେ ମାତ୍ର ସେଠାରେ ନ ରହି ପଳାଇ ଯିବାରେ ଲାଗିଲା |
ସମ୍ରାଟଙ୍କର କ୍ରୋଧ ଯେତେବେଲେ ଶାନ୍ତ ହୋଇଗଲା, ବୀରବଲ ତାଙ୍କ ପାଖରେ ପହଞ୍ଚି କହିଲେ, ଦେଖିଲେ ତ ହଜୁର, ବଣିଆ ଜାତି କେଡ଼େ ହୁସିଆର ଅଟନ୍ତି | କୋଡ଼ିଏ ହଜାର ଟଙ୍କା ନେଲା, ପୁଣି ଦାଢ଼ୀକି ସାଙ୍ଗରେ ନେଇଗଲା | ମୌଲବୀ ଜି କେବଳ ଦଶଟି ଟଙ୍କା ଘରକୁ ନେଇଗଲେ |
ବୀରବଲଙ୍କ କଥାରେ ବାଦସାହାଙ୍କର ବିଶ୍ବାସ ହୋଇଗଲା ଓ ତାଙ୍କର ବୁଦ୍ଧି ମତ୍ତାର ପରିଚୟ ମଧ୍ୟ ପାଇ ମନେମନେ ବଡ ଖୁସି ହେଲେ, ଆଉ ମଧ୍ୟ ବଣିଆ ଜାତିର ଏପରି ଢଙ୍ଗ ଦେଖି ସେ ତାଜୁବ୍ ହୋଇଗଲେ |
ସେହିଦିନ ଠାରୁ କୌଣସି କାର୍ଯ୍ୟ ହେଉପଛେ ବୀରବଲଙ୍କ ବିନା ସାହାର୍ଯ୍ୟରେ ବାଦସାହା କିଛି କରନ୍ତି ନାହିଁ |

ଜାଗିର ଦେବାର କଥା

ଥରେ ଆକବର ବାଦସାହା ବୀରବଲଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କୁ ଜାଗିରି ଦେବା ସକାଶେ କଥା ଦେଇଥିଲେ | ବାଦସାହା ତ ଦେବାକୁ କହିଦେଲେ, କିନ୍ତୁ ତାଙ୍କ ବେଗମ୍ ସାହେବଙ୍କର ଇଚ୍ଛା ନ ଥିବାରୁ ସେକଥା ଉପରେ ସମ୍ରାଟ ଆଉ ଯୋର ଦେଲେ ନାହିଁ | କ୍ରମେ କ୍ରମେ ତାହା ମଧ୍ୟ ଭୁଲି ଯିବାକୁ ଲାଗିଲେ | ଥରେ ଦି,ଥର ମଧ୍ୟ ବୀରବଲ ସେ କଥାକୁ ସ୍ମରଣ କରାଇ ଦେଲେ, ହେଲେ ସମ୍ରାଟ ତାଙ୍କ କଥା କାନକୁ ନ ନେଇ ଅନ୍ୟ କଥାରେ ମନ ନିବେଶ କରି ଦିଅନ୍ତି | ବୀରବଲ ବି ମୁର୍ଖ ନୁହନ୍ତି | ସେ ସବୁ ଜାଣିପାରି କେବଳ ମଉକା ଆସିବାକୁ ଅପେକ୍ଷା କରିଥାନ୍ତି |
ଏକ ଦିନକର ଅକସ୍ମାତ ବାଦସାହାଙ୍କର ଗୋଟିଏ ପ୍ରଶ୍ନ ମନେ ପଡ଼ିଗଲା | ସେ ସାଥେ ସାଥେ ବୀରବଲଙ୍କୁ ଦେଖି ପଚାରିଲେ ଆଚ୍ଛା ତୁମେ କହି ପାରିବ କି, ଓଟମାନଙ୍କର ଗରଦନ୍ କାହିଁକି ତେଢ଼ିଆ ହୋଇଥାଏ | ବୀରବଲଙ୍କୁ ଦେଖି ପଚାରିଲେ ଆଚ୍ଛା ତୁମେ କହି ପାରିବ କି, ଓଟମାନଙ୍କର ଗରଦନ୍ କାହିଁକି ତେଢ଼ିଆ ହୋଇଥାଏ | ବୀରବଲ ଏହାକୁ ସୁଅବସର ଭାବି ସମୟ ହାତଛଡ଼ା ନକରି କହିଲେ, ଯହାଁପନା କୌଣସି ବ୍ୟକ୍ତି ପୂର୍ବଜନ୍ମରେ ଜାଗିର ଦେବାକୁ ପ୍ରତିଶ୍ରୁତି ଦେଇ ପଛରେ ତେଢ଼େଇ ଦେବାରୁ ଏ ଜନ୍ମରେ ଓଟ ଜନ୍ମ ହୋଇ ତାର ଗରଦନ ତେଢ଼ିଆ ହୋଇଛି |
ବାଦସାହା ଏ କଥା ଶୁଣି ନିଜର ପ୍ରତିଶ୍ରୁତି ମନେ ପକାଇ ବହୁତ ଲଜ୍ଜିତ ହେବା ସଙ୍ଗେ ସଙ୍ଗେ ବୀରବଲଙ୍କ ନାମରେ କିଛି ଜାଗିର ଲେଖିଦେଲେ | ଜାଗିରି ପାଇ ମନେ ମନେ ଅତ୍ୟନ୍ତ ଆନନ୍ଦ ହୋଇ ବୀରବଲ ନିଜ ଘରକୁ ଫେରି ଆସିଲେ |

ବ୍ରାହ୍ମଣଙ୍କ ପୟର ତୀର୍ଥ ଅଟେ

ଥରେ ବାଦସାହା ବୀରବଲଙ୍କୁ କହିଲେ, ଗାଈମାନଙ୍କୁ ତୁମେ ମାତା ବୋଲି କହୁଛ | କିନ୍ତୁ ଚମଡ଼ା କିପରି ଯୋତା କରି ଗୋଡ଼ରେ ପିନ୍ଧୁଛ ?
ବୀରବଲ ସାଥେ ସାଥେ ଉତ୍ତର ଦେଇ କହିଲେ ଜାହାଁପନା ବ୍ରାହ୍ମଣମାନଙ୍କ ପାଦକୁ ପବିତ୍ର (ତୀର୍ଥ) ବୋଲି କୁହାଯାଏ | ଯାଏ ଛୁଏଁ ସେ ସାଥେ ସାଥେ ସ୍ବର୍ଗକୁ ଗମନ କରେ | ଏଇ ସକାଶେ ଆମ୍ଭେମାନେ ଯୋତା ବ୍ୟବହାର କରିବାକୁ ବାଧ୍ୟ ହେଉ | କାରଣ ଆମ ପାଦଧୂଳିକୁ ଅନ୍ୟ କେହି ସହଜରେ ଆଉ ଛୁଇଁ ପାରିବେ ନାହିଁ |
ଏକଥା ଶୁଣି ବାଦସାହା ମନେ ମନେ ବହୁତ ଆନନ୍ଦିତ ହେଲେ |

କେଉଁ ନଦୀର ଜଳ ଉତ୍ତମ ଅଟେ

ଦିନକର ଘଟଣା | ସେଦିନ ସଭା ମଣ୍ଡୁ ଘୋ ଘୋ ହୋଇ କମ୍ପି ଉଠୁଥାଏ | ଏତିକି ବେଳେ ବାଦସାହାଙ୍କର ଗୋଟିଏ ପ୍ରଶ୍ନ ମନ ଭିତରେ ଜାଗି ଉଠିଲା | ସେ ସାଥେ ସାଥେ ଦରବାରକୁ ଅନାଇ ପଚାରିଲେ, ଆଛା ତୁମେମାନେ କହି ପାରିବକି କେଉଁ ନଦୀର ଜଳ ସବୁଠାରୁ ଉତ୍ତମ ଅଟେ | ଏକଥା ଶୁଣି ଦରବାର ମଧ୍ୟରେ ହଇଚଇ ପଡ଼ିବାରେ ଲାଗିଲା | କିଛି ସମୟ ପରେ ସମସ୍ତେ ଏକ ସ୍ବରରେ କହି ଉଠିଲେ ହଜୁର, ସବୁଠାରୁ ଗଙ୍ଗା ନଦୀର ଜଳ ହେଉଛି ଅତ୍ୟନ୍ତ ଉତ୍ତମ ଜଳ | କିନ୍ତୁ ବୀରବଲ କୌଣସି ଉତ୍ତର ନ ଦେଇ ଚୁପ୍ ହୋଇ ବସି ରହିଥାନ୍ତି | ସେ ଯେତେବେଳେ ପର୍ଯ୍ୟନ୍ତ କିଛି ନ କହିଥାନ୍ତି ବାଦସାହା ଅନ୍ୟମାନଙ୍କ କଥାରେ କର୍ଣ୍ଣପାତ ନ କରି ନୀରବରେ କେବଳ ତାଙ୍କୁହିଁ ଅପେକ୍ଷା କରିଥାନ୍ତି | କିନ୍ତୁ କିଛି ସମୟ ପରେ ଡେରି ହେବା ଦେଖି ବାଦସାହା କହିଲେ, କିଓ ତୁମେ କାହିଁକି ଚୁପ୍ ହୋଇ ବସିଛ | ତୁମର କଣ ରାୟ | ବୀରବଲ ଅତ୍ୟନ୍ତ ନମ୍ର ହୋଇ କହିଲେ ଜାହାଁପନା, ମୋ ମତରେ ନଦୀ ମଧ୍ୟରେ ଯମୁନା ନଦୀ ଜଳ ସବୁଠାରୁ ଉତ୍ତମ ଅଟେ | ବାଦସାହା ଏକଥା ଶୁଣି କହିଲେ, ବୋଧେ ମୁଣ୍ଡ ଖରାପ ହୋଇ ଯାଇଛି | ତା ନୋହିଲେ ଏପରି ବିତଣ୍ଡା କଥା କୁହନ୍ତ ନାହିଁ | ତୁମରିମାନଙ୍କ ଧର୍ମ ଗ୍ରନ୍ଥରେ ଗଙ୍ଗା ଜଳର ମହିମା ବିଶେଷ ଭାବରେ ବର୍ଣ୍ଣିତ ହୋଇଛି, ତୁମେ ପୁଣି କହୁଛ ଯମୁନା ଜଳ ଅତି ଉତ୍ତମ ବୋଲି | ବୀରବଲ କହିଲେ ଜାହାଁପନା ମୁଁ ଯାହା କିଛି କହିଛି, ଭଲ ଭାବରେ ବୁଝି ସମଝି କରି କହିଛି, କାରଣ ଗଙ୍ଗା ଜଳତ ଜଳ ସଙ୍ଗରେ ତୁଳନା ନୁହେଁ, ସେ ହେଉଛି ଅମୃତ | ତେଣୁ ନଦୀମାନଙ୍କ ମଧ୍ୟରେ ଯମୁନା ଜଳ ସବୁଠାରୁ ଉତ୍ତମ ଜଳ ବୋଲି ମୁଁ ଆପଣଙ୍କୁ କହିଛି | ଏ ଜବାବରେ ବାଦସାହା ତଥା ଅନ୍ୟ ଦରବାରୀମାନେ ମନ ମଧ୍ୟରେ ବହୁତ ଆନନ୍ଦ ହୋଇ ବୀରବଲଙ୍କ ବୁଦ୍ଧିକୁ ପ୍ରଶଂସା କରିବାରେ ଲାଗିଲେ |

ଆକାଶରେ ତାରାଙ୍କ ସଂଖ୍ୟା କେତେ ?

ଥରେ ବାଦସାହା ବୀରବଲଙ୍କୁ କହିଲେ କି, ଆଛା ତୁମେ କହି ପାରିବ କି ଆକାଶରେ ତାରାମାନଙ୍କ ସଂଖ୍ୟା କେତେ ? ବୀରବଲ ତତକ୍ଷଣାତ ଜବାବ ଦେଇ କହିଲେ, ଜାହାଁପନା ଅଳ୍ପ ସମୟ ଅପେକ୍ଷା କରନ୍ତୁ ସବୁ ମାଲୁମ ହୋଇ ପଡିବ | ଏହା କହି ଏଣେ ଗୋଟିଏ ନୌକରକୁ ଡାକି ହୁକୁମ ଦେଲେ, ଚଞ୍ଚଳଯାଇ ଗୋଟିଏ ବଡ ଶଙ୍ଖ ଥାଳିରେ ଥାଳିଏ ସୋରିଷ ନେଇ ଆସ | ଆଜ୍ଞା ପାଇବା ମାତ୍ରେ ନୌକର ଗୋଟିଏ ଥାଳିରେ ସୋରିଷ ପୁରାଇ ସାଥେ ସାଥେ ଆଣି ପହଞ୍ଚାଇ ଦେଲା | ବୀରବଲ ସେ ଥାଳିଟିକୁ ଆକବରଙ୍କ ସାମନାରେ ରଖି କହିଲେ, ଜାହାଁପନା, ଦେଖନ୍ତୁ ଏଇ ଥାଳିରେ ଯେତେ ସୋରିଷ ଅଛି, ଆକାଶରେ ତାରାମାନଙ୍କ ସଂଖ୍ୟା ଠିକ୍ ସେତିକି ଅଟେ | ଯଦି ଆପଣଙ୍କର ବିଶ୍ବାସ ନ ହେଉଛି ତାହେଲେ ଥାଳିର ସମସ୍ତ ସୋରିଷଗୁଡ଼ିକ ଗଣାଇ ଦେଲେ ଜାଣି ପାରିବେ, ମୋ କଥା ସତ କି ମିଛ |
ବାଦସାହା ବୁଝି ପାରିଲେ, ଏ ହେଉଛି ବୀରବଲଙ୍କର ଚାଲାଖି କାମ, କାରଣ ଶଙ୍ଖ ଥାଳି ତ ସ୍ବଭାବରେ ଅତ୍ୟନ୍ତ ଚିକ୍କଣ ଅଟେ | ତା,ପରେ ସୋରିଷର ଦାନାଗୁଡ଼ିକ ଅତ୍ୟନ୍ତ ଛୋଟ | ଗଣିବା ସମୟରେ ଏପଟ ସେପଟ ହୋଇ ସେଗୁଡିକ ହାତରୁ ଖସି ପଡିବ | ତେଣୁ ଏହା କୌଣସିମତେ ଗଣିବା ସମ୍ଭବପମ ନୁହେଁ |
ସେ ବୀରବଲଙ୍କର ଚତୁରତା ଦେଖି ମନେ ମନେ ନ ହସି ରହି ପାରିଲେ ନାହିଁ | ଆଉ ମଧ୍ୟ ସଭାରେ ବସିଥିବା ସମସ୍ତ ବ୍ୟକ୍ତିମାନେ ବୀରବଲଙ୍କ ମୁଁହକୁ ଅନାଇଁ ବାହାବାହା କହିବାରେ ଲାଗିଲେ | ସେମାନେ କହିଲେ ବୀରବଲଙ୍କ ପରି ବୁଦ୍ଧିମାନ ବ୍ୟକ୍ତି ସଂସାର ମଧ୍ୟରେ ନାହାନ୍ତି |

ମାଁ ଲା ଦୋ

ଦିନେ ବଡ଼ି ସକାଳୁ ବୀରବଲ ଏବଂ ଆକବର ଦୁଇ ଜଣ ଯାକ ଗୋଟିଏ ନାବ ଉପରେ ବସି ବାୟୁ ସେବନ କରିବାକୁ ଯାଇଥାନ୍ତି | ମଝିରେ ମଝିରେ ମଧ୍ୟ ଜଣଙ୍କ ମଧ୍ୟରେ ମଜା ମଜା କଥାବାର୍ତ୍ତା ହୋଇ ହଦ ଖୁସି ହେବାରେ ଲାଗିଥାନ୍ତି | ଏତିକିବେଳେ ବାଦସାହା ବୀରବଲଙ୍କୁ ରହସ୍ୟରେ ଅପମାନ ଦେବା ମତଲବରେ ନିଜର ଫୁଲମାଳଟିକୁ ବେକରୁ ଖୋଲି ଯମୁନା ନଦୀକୁ ଫୋପାଡ଼ି ଦେଇ କହିଲେ ବୀରବଲ ବୀରବଲ ମାଁ ଲା ଦୋ, ବୀରବଲ ବାଦସାହାଙ୍କର କହିବା ମତଲବ ବୁଝିପାରି ନିଜର ମନୋଭାବକୁ ଗୋପନ ରଖି ଉତ୍ତରରେ କହିଲେ ଜାହାଁପନା, ବହନ ଦୋ | ବାଦସାହା ଏକଥା ଶୁଣି ଅତି ଖୁସିହୋଇ କହିଲେ, ତୁମେ ମୋ ଭଉଣିକୁ ନେବାକୁ ମାଗୁଛ | ବୀରବଲ ବିନୟ ପୂର୍ବକ କରଯୋଡ଼ି କହିଲେ ଜାହାଁପନା, ଆପଣ ତ ଆଗରୁ ମୋ ମାଆକୁ ନେବାକୁ ମାଗୁଥିଲେ, ମୁଁ ତ ଚିଡ଼ୁ ନଥିଲି, ଆପଣ କାହିଁକି ଏତେ ଖପା ହେଉଛନ୍ତି | ବାଦସାହା ଚଟକରି ବୀରବଲଙ୍କୁ ବୁଝାଇବା ଭଙ୍ଗିରେ କହିଲେ, ମୁଁ ତ ତୁମକୁ ଏହା କହିନାହିଁ | କାରଣ ମୋ ଗଳାରୁ ମାଳାଟି ପାଣିରେ ପଡ଼ିଯିବାରୁ ମୁଁ ତୁମକୁ ଡାକି କହିଲି ମୋ ମାଳା ଆଣି ଦିଅ | ଉତ୍ତରରେ ବୀରବଲ କହିଲେ ମୁଁ ତ ଆଜ୍ଞା ଆପଣଙ୍କ ଭଉଣୀକୁ ନେବା କଥା କହିନାହିଁ | ଆପଣ ମାଳା ମାଗିବାରୁ ମୁଁ କହିଲି ବହନ ଦଉଛି | ମାନେ ଚଞ୍ଚଳ ଦଉଛି | ଆପଣ ସେ କଥାକୁ ଓଲଟା ବୁଝି କହିଲେ କ,ଣ ନାଁ ମୁଁ ଆପଣଙ୍କ ଭଉଣୀକୁ ମାଗୁଛି ବୋଲି | ବାଦସାା କୌଣସି ଉତ୍ତର ନ ଦେଇ ଚୂପ୍ ହୋଇ ରହିଗଲେ |

କି ଗାଈ ରନ୍ଧନ କରୁଛ

ଆକବର ଏବଂ ବୀରବଲ ଦୁଇଜଣ ଯାକ ସମସ୍ତ ସରଞ୍ଜାମ ପ୍ରସ୍ତୁତ କରି ମନୋରଞ୍ଜନ କରିବା ନିମନ୍ତେ ହିମାଳୟ ପର୍ବତର ପାଦ ଦେଶରେ ଗୋଟିଏ ଗ୍ରୀଷ୍ମନିବାସରେ ବାସ କରିଥାନ୍ତି | ଦୁଇ ଜଣଙ୍କ ଭିତରେ ଅନେକ ସମୟରେ ନାନା ପ୍ରକାର ହାସ୍ୟରସପୂର୍ଣ୍ଣ କଥାବାର୍ତ୍ତା ପଡୁଥାଏ | କେତେବେଳେ କେମିତି ଯଦି ବାଦସାହା ବୀରବଲଙ୍କ ଉପରେ ରାଗିଯାନ୍ତି, ସେ କୌଣସି ଉତ୍ତର ନ ଦେଇ ନୀରବ ରହିଯାନ୍ତି | ବେଳେବେଳେ ମଧ୍ୟ ସୁବିଧା ଦେଖି ବାଦସାହାଙ୍କୁ ସେ କହିବାକୁ ଛାଡ଼ନ୍ତି ନାହିଁ | ଏହିପରି ଭାବରେ ଦୁଇ ଜଣ ଯାକ ଗ୍ରୀଷ୍ମନିବାସରେ କାଳ ଯାପନ କରିଥାନ୍ତି |
ଦିନକର ଘଟଣା, ରୋଷେଇଆ ଚାକର ସମସ୍ତ ଜିନିଷପତ୍ର ଯୋଗାଡ଼ କରି ଚୁଲି ଲଗାଇବାକୁ ବାହାରିବା ସମୟରେ ବାଦସାହା କହିଲେ, ଆଜି ବୀରବଲଙ୍କ ହାତରେ ଖାଇବାକୁ ଭାରି ଇଚ୍ଛା ହେଉଛି | ସେ କେମିତି ରୋଷେଇ ଜାଣନ୍ତି ଟିକେ ଦେଖିବା | ଏକଥା ଶୁଣି ବୀରବଲ ଧଡ଼ ପଡ଼ ହୋଇ ରୋଷେଇଶାଳକୁ ବାହାରିଲେ | ଚାକର ପରିବା ପତ୍ର କାଟି ମସଲା ବାଟି ତାଙ୍କ ପାଖକୁ ଯୋଗାଇ ଦେଇଥାଏ |
ଥୋଡ଼ାଏ ଦୂରରେ ଆକବର ବସି ସମସ୍ତ କଥା ଲକ୍ଷ୍ୟ କରୁଥାନ୍ତି | ନିଜର ଶୁଆକୁ ପଢ଼ାଉଥାନ୍ତି, କିନ୍ତୁ ହଠାତ୍ ତାଙ୍କ ମନରେ କଣ ଭାବନା ଆସିଲା କେଜାଣି ସେ ବୀରବଲଙ୍କୁ ଉଚ୍ଚ ସ୍ବରରେ ଡାକ ପକାଇ କହିଲେ କି ବୀରବଲ କଣ ଗାଈ ରନ୍ଧନ କରୁଛ ଟି | ବୀରବଲ ଏକଥା ସମଝି ପାରି ବାଦସାହାଙ୍କ ଉପରେ କ୍ରୋଧ ନ ହୋଇ ତତକ୍ଷଣାତ ଉତ୍ତରରେ କହିଲେ ବାଦସାହା ଶୁକର ଖାଇବେ | ବାଦସାହା ତାଙ୍କର କହିବା ମତଲବ ବୁଝିପାରି କ୍ରୋଧରେ ଜରଜର ହୋଇ କହିଲେ, କଣ ତୁମେ ମୋତେ (ଶୁଅର) ଖୁଆଇବ | ବୀରବଲ ଚଟାପଟ ଉତ୍ତର ଦେଇ କହିଲେ ଆପଣ ତ ପୁଣି ମୋତେ ଗାଈ ଖୁଆଉଥିଲେ |
ବାଦସାହା ତାଙ୍କର ପ୍ରଶ୍ନକୁ ପୁନରାବୃତ୍ତିକରି, ତାକୁ ଅର୍ଥ କରି କହିଲେ ମୁଁ ତ ତୁମକୁ ଗାଈ ଖାଇବା କଥା କହି ନଥିଲି | ମୋର କହିବା ମତଲବ ଏହି ଯେ ତୁମେ ଗୀତ ଗାଇ ରାନ୍ଧୁଛ ନାଁ ଖାଲି ରାନ୍ଧୁଛ | ଆଉ ଗାଈ ଖାଇବା କଥା କେତେବେଳେ କହିଲି |
ବୀରବଲ ବି ସାଥେ ସାଥେ ତାଙ୍କର କହିବା କଥାକୁ ଅର୍ଥ କରି କହିଲେ ମୁଁ ମଧ୍ୟ ସେହିପରି କହିଛି | ମୁଁ ଆପଣଙ୍କୁ ଶୁକର ଖାଇବା କଥା କହିନାହିଁ | ମୁଁ କହିଲି ଏଇଆ ଯେ ବାଦସାହା  ଶୁକର ଖାଇବେ | ଅର୍ଥାତ ଶୁକ ଅର୍ଥ (ତୋତା) ମାନେ ଶୁଆ, ଆପଣ କଣ ଶୁଆ ରଖିବେ | ଏଥିରେ ତ କିଛି ଖରାପ ନାହିଁ, ଆପଣ ବୁଝିଲେ ଅନ୍ୟ ଭାବରେ | ଏକଥା ଶୁଣି ବାଦସାହା ହସି ହସି ବୀରବଲଙ୍କୁ କୁଣ଼୍ଡାଇ ପକାଇ କହିଲେ ତୁମକୁ କଥାରେ ବଳାଇ ଯିବା ସହଜ ନୁହେଁ |

କୂଅ ଭିତରେ ଭଡ଼ୁଆ ରହିଛି

ଦିନକର କଥା ବାଦସାହା ବୀରବଲଙ୍କୁ ଡାକି ହୁକୁମ ଦେଲେ କି, ଆମ ଭିତରେ ଯେତେ ମରଦ ବାସ କରିଛନ୍ତି, ସମସ୍ତଙ୍କୁ ଯାଇଁ ସେଠାରୁ ହଟାଇ ଦିଅ, ସନ୍ଧ୍ୟା ବେଳକୁ ବେଗମ ସାହେବା ଭ୍ରମଣ କରିବାକୁ ଯିବେ | ଯେପରି ଗୋଟିଏ ମାତ୍ର କେହି ବଗିଚା ଭିତରେ ନ ରହନ୍ତି | ଆଦେଶ ପାଇବା ମାତ୍ରେ ବୀରବଲ ଲୋକବାକ ସାଙ୍ଗରେ ନେଇ ବଗିଚା ଭିତରୁ ମରଦମାନଙ୍କୁ ତଡ଼ିବା ପାଇଁ ବାହାରି ଗଲେ | କିଛି ସମୟ ପରେ ଅତ୍ୟନ୍ତ ବ୍ୟଗ୍ର ହୋଇ ସମ୍ରାଟଙ୍କ ପାଖରେ ଉପସ୍ଥିତ ହୋଇ କହିଲେ, ହଜୁର ଆପଣଙ୍କ ଆଜ୍ଞନୁସାରେ ସବୁ ମରଦଙ୍କୁ ବଗିଚା ଭିତରୁ ବାହାର କରିଦେଲି, କିନ୍ତୁ ଗୋଟିଏ ବଡ଼ ମୁଛବାଲା ମୋଟା ମରଦକୁ ଯେତେ ପ୍ରକାର କହିଲି, ସେ ବଦମାସ ଆଦୌ ନ ବାହାରି କୂଅ ଭିତରକୁ ଡେଇଁ ପଡୁଛି | ଅନେକ ବୁଝା ବୁଝି କରି, ମାଡ଼ର ଧମକ ଦେଖାଇ ସୁଦ୍ଧା ସେ ଆଦୌ ମୋ କଥାକୁ କର୍ଣ୍ଣପାତ କରୁନାହିଁ | କହୁଛି ଏ ବଗିଚାଟା ହେଉଛି ମୋର, ତୁ ହେଉଛୁ ମୋର ଚାକର | ଏହିପରି କଥାବାର୍ତ୍ତା କରିବାରୁ ମୁଁ ଆପଣଙ୍କୁ ଜଣାଇବାକୁ ଧାଇଁ ଆସିଛି | ଆପଣ ସାଥେ ସାଥେ ମୋ ସଙ୍ଗରେ ଯାଇ ସେ ବଦମାସର କାନ ଧରି ବାହାର କରି ଦିଅନ୍ତୁ | ନୋହିଲେ ମୋ ଦ୍ବାରା ତଡ଼ିବା ଆଦୌ ସମ୍ଭବ ନୁହେଁ |
ବୀରବଲଙ୍କ ମୁହଁରୁ ଏକଥା ଶୁଣିବା ମାତ୍ରେ ବାଦସାହା ରାଗରେ ନିଆଁ ବାଣ ହୋଇ କହିଲେ, ଚାଲ ବୀରବଲ | ଶୀଘ୍ର ମୋତେ ନେଇ ସେ ବଦମାସକୁ ଦେଖାଇ ଦିଅ | ମୁଁ ତାକୁ ଉଚିତ ଶାସ୍ତି ଦେଇ ତୁମକୁ ଅପମାନ ଦେବାର ପ୍ରତିଶୋଧ ଆଦାୟ କରିଦେବି | ଏହାକହି ବୀରବଲଙ୍କୁ ସାଥିରେ ଯିବାକୁ ବାହାର ହେଲେ | ଗଲାବେଳେ ମଧ୍ୟ ବେଗମ୍ ମହଲରେ କାମ ଦାମ କରୁଥିବା ଚାକରାଣୀଙ୍କୁ ନେଇଗଲେ | ବୀରବଲ ଆଗେ ଆଗେ ବାଟ କଢ଼େଇ ନେଉଥାନ୍ତି | ତିନିଜଣଯାକ ବଗିଚା ଭିତରେ ପହଞ୍ଚିବା ମାତ୍ରେ ବାଦସାହା କହିଲେ, କାହିଁ କେଉଁଠି ଅଛି ସେ ବଦମାସ, ବୀରବଲ କୂଅ ଆଡ଼କୁ ହାତ ଦେଖାଇ କହିଲେ, ଆଜ୍ଞା କେମିତି ଆରାମରେ କୂଅ ଭିତରେ ଲୁଚିଛି | କାହିଁ ବୋଲି କହି ବାଦସାହା ଓ ଚାକରାଣୀ ଦୁଇଜଣ ଯାକ କୂଅକୁ ଅନେଇବାରୁ, ବୀରବଲ ସେମାନଙ୍କ ଛାଇକୁ ଦେଖାଇ ଦେଇ କହିଲେ, ହେଇ ଆଜ୍ଞା ସେଇ ବଦମାସ ବଡ଼ ମୁଛିଆ କେମିତି ଅନାଇଛି | ମୁଁ ଗଲାବେଳେ ଏକା ଏକା କୂଅରେ ରହିଥିଲା, ବର୍ତ୍ତମାନ କେଉଁଠୁ ଆଉ ଗୋଟାଏ ଭାଡ଼ୁଆ ଗୋଟାଏ ମାଇକିନିଆକୁ ସାଙ୍ଗରେ ଆଣି ରଖିଛି | ମାଇକିନିଆଟା ବୋଧେ ତା ଘରବାଲି ହେବ | ଭାଡ଼ୁଆଟା ବୋଧେ ତା ଚାକର ଫାକର ହେବ ବୋଲି ଜଣା ପଡୁଛି |
ବୀରବଲଙ୍କର ଏପରି ରହସ୍ୟପୂର୍ଣ୍ଣ କଥା ଶୁଣି ବାଦସାହା ଠୋ ଠୋ ହୋଇ ହସିଉଠି ନଅର ଆଡ଼କୁ ପଳାଇଗଲେ |
ଚାକରାଣୀ ବିଚରାର ମୁହଁ ଟିକେନାକୁ ହୋଇଗଲା | ସେ ସରମରେ ଜଳିଯାଇ ମୁହଁରେ ଲୁଗା ଦେଇ ହସି ହସିକା ପଳାଇ ଗଲା |
ବୀରବଲ କୂଅ ଭିତରେ ଯାହାକୁ ବଡ଼ ମୁଛିଆ ବୋଲି କହିଲେ, ସେ ହେଉଛନ୍ତି ନିଜେ ଆକବର ବାଦସାହା, ତାଙ୍କର ବଡ଼ ବଡ଼ ମୁଛଥାଏ | ତାଙ୍କରି ଛାଇକୁ ଦେଖାଇ ଦେଇ ଏପରି କହିଲେ | ମାଇକିନିଆଟି ହେଉଛି ତାଙ୍କର ଚାକରାଣୀ, ଯାହାକୁ କି ବାଦସାହାଙ୍କର ସ୍ତ୍ରୀ ବନାଇ ଦେଲେ | ଆଉ ମଧ୍ୟ ତାଙ୍କ ନିଜକୁ ଭାଡୁଆ ବୋଲି ବିଦିତ କଲେ | ଏ ହେଉଛି ବୀରବଲଙ୍କର ବୁଦ୍ଧିର ତାତ୍ପର୍ଯ୍ୟ |
ମୁଣ଼୍ଡରେ ଅକଲ ଯାହାର ଥିବ, ସବୁଠାରେ ସେହୁ ପୂଜା ପାଇବ |

ଫୁଲିକରି ଚଗତା ହୋଇଯିବ

ବାଦସାହା ତଥା ବୀରବଲ ଏ ଦୁଇଜଣ ଯାକ ଦିନେ ସନ୍ଧ୍ୟାବେଳେ ପାଦରେ ଚାଲି ଚାଲି ନଗର ବାହାର ବସ୍ତି ମଧ୍ୟରେ ଭ୍ରମଣ କରୁଥାନ୍ତି | ବାଟରେ ଆସୁ ଆସୁ ବାଦସାହା ଦେଖିଲେ, ରାସ୍ତା କଡ଼ରେ ଗୋଟିଏ ପାଇଖାନା ଅଛି | ସେଇଟି ହେଉଛି ଖୋଲା ପାଇଖାନା | ବାଟରେ ଯିବା ଲୋକଙ୍କୁ ସବୁ ପରିଷ୍କାର ଦେଖାଯାଏ | ସେ ପାଇଖାନାରେ ମଇଳା ଗୁଡ଼ିକ କେତେଦିନ ହେଲା ସଫା ନ ହୋଇଥୁବାରୁ ଖରାରେ ଶୁଖି ଯାଇ ଅତ୍ୟନ୍ତ ବିକୃତ ଦେଖାଯାଉଥାଏ | ତାକୁ ଲକ୍ଷକରି ବାଦସାହା କହଲେ, ଦେଖିଲ ବୀରବଲ ଏ ଯେଉଁ ଶୁଖିଲା ମଳ ଗୁଡ଼ାକ ଏ ପାଇଖାନାରେ ଗଦା ହୋଇଛି, ସେଗୁଡ଼ିକ ଠିକ୍ ତୁମରି ମୁହଁ ପରି ଦିଶୁଛି | ବୀରବଲ ମନରେ କୌଣସି କ୍ରୋଧ ଭାବ ନ ଆଣି ସ୍ବଭାବ ସୁଲଭ ଢଙ୍ଗରେ ହସି ହସି ଉତ୍ତର ଦେଲେ, ଜାହାଁପନା ଆପଣଙ୍କର ଅନୁମାନ ମନ୍ଦ ନୁହେଁ କିନ୍ତୁ ମୋର ମନେହୁଏ ସେଥିରେ ଯଦି ବର୍ତ୍ତମାନ ଟିକେ ପାଣି ଢ଼ଳା ହୁଅନ୍ତା, ତାହେଲେ ଫୁଲିକରି ଚଗତା ହୋଇଯାନ୍ତା | ବାଦସାହା ଏକଥା ଶୁଣିଲା ମାତ୍ରେ ଅତ୍ୟନ୍ତ ଲଜ୍ଜିତ ହୋଇ ମୁହଁକୁ ତଳକୁ ପୋତି ବସି ରହିଲେ | ଫରାସୀ ଭାଷାରେ ଚଗତା ହେଉଛି ତାଜା ମଇଳାର ଚିଟା ଓ ବାଦସାହାଙ୍କର ଜଣେ ଆତ୍ମୀୟଙ୍କର ନାମ ମଧ୍ୟ ଚଗତା ଅଟେ | ତାକୁହିଁ ଲକ୍ଷ୍ୟ କରି ବୀରବଲ ଏକଥା କହିଦେଲେ |

ଦେଲାବାଲା ହାତ ନିଚା ଅଟେ

ଥରେ ବାଦସାହା ବୀରବଲଙ୍କୁ କହିଲେ, ଦେବାବାଲା ହାତ ସବୁବେଳେ ଉପରକୁ ରହେ, ଆଉ ନେଲାବାଲା ହାତ ସର୍ବଦା ତାର ବିପରୀତ, ଅର୍ଥାତ ନୀଚା ଅଟେ | ଏହା ସର୍ବତ୍ର ଦେଖାଯାଏ |
ବୀରବଲ କହିଲେ ହଜୁର | କ୍ଷମା କରିବେ, ଆପଣଙ୍କ କଥାରେ ମୁଁ  ଏକମତ ନୁହେଁ, ମୋ ବିଚାରରେ ଦେଲାବାଲାର ହାତ ନିଚା ଓ ନେଲା ବାଲାର ହାତ ଉଚ୍ଚା ଅଟେ |
ବାଦସାହା ଏକଥା ଶୁଣି ଅଶ୍ଚର୍ଯ୍ୟ ହୋଇ ପଚାରିଲେ, ଏହା କିପରି ସମ୍ଭବ ହେବ | ବୀରବଲ ଚଟାପଟ ଉତ୍ତର ଦେଇ କହିଲେ, ନମସ୍କାର ଦେଲା ବ୍ୟକ୍ତିର ହାତ ତଳକୁ ଓ ଗ୍ରହୀତାଙ୍କର ହାତ ଉପରକୁ ନୁହେଁ କି | କାରଣ ଯଦି କେଉଁ ବ୍ୟକ୍ତି କାହାକୁ ନମସ୍କାର କରେ, ସେ ଅତ୍ୟନ୍ତ ଭକ୍ତିରେ ତଳକୁ ମୁଣ୍ଡ ନୁଆଁଇ ଦୁଇହାତ ଯୋଡ଼ିବା ସମୟରେ ଗ୍ରହିତା ଉର୍ଦ୍ଧ୍ବକୁ କର ଉଠାଇ ଅର୍ଥାତ ଉପରକୁ ହାତଟେକି କୁହେ, ପ୍ରଭୁ ତୁମର ମଙ୍ଗଳ କରନ୍ତୁ ଇତ୍ୟାଦି ଇତ୍ୟାଦି.... | ତାପରେ ମଧ୍ୟ ମହାପ୍ରସାଦକୁ କେହି ହାତ ଉଠାଇ ଅନ୍ୟକୁ ଦିଅନ୍ତି ନାହିଁ | ନେବା ବ୍ୟକ୍ତି ତା ନିଜ ହାତରେ ଉଠାଇ ନେବାର ପରମ୍ପରା ଅଛି | ଏହିପରି ଅନେକ ବଡ଼ ବଡ଼ କଥା କହିଛି | ସୂର୍ଯ୍ୟଙ୍କୁ ଜଳଦେବା ବେଳେ କିମ୍ପା କୌଣସି ବାଲ୍ୟଲୀଳା ବା ଅମଣିଆ ଠାକୁରଙ୍କୁ ଅର୍ପଣ କଲାବେଳେ ଯେ ଦିଏ ସେ ଅତ୍ୟନ୍ତ ନମ୍ର ବା ଭକ୍ତି ଭାବରେ ନିଚ୍ଚା ହାତରେ ଦିଏ ଓ ଭଗବାନ ଉଚ୍ଚରେ ଥାଇ ତାହା ଗ୍ରହଣ କରନ୍ତି | ତେଣୁ ଦେବା ବ୍ୟକ୍ତିର ହାତ ନିଚା ଓ ନେବା ବ୍ୟକ୍ତିର ହାତ ଉଚ୍ଚା ଅଟେ ବୋଲି କହିଲି | ଏକଥା ଶୁଣି ବାଦସାହା ମନ ମଧ୍ୟରେ ଅତ୍ୟନ୍ତ ଖୁସି ହୋଇ କହିଲେ, ଧନ୍ୟ ବୀରବଲ ଧନ୍ୟ ତୁମର ବୁଦ୍ଧି |

କୃତଜ୍ଞ ଓ ଅକୃତଜ୍ଞ

ଦିନେ ବାଦସାହା ବୀରବଲଙ୍କୁ କହିଲେ ତୁମେ ଦୁଇଟି ଏପରି ଜୀବ ଅଣାଅ ଯେ କି ତାଙ୍କ ମଧ୍ୟରେ ଜଣେ ଅତି ଉପକାରୀ ଓ କୃତଜ୍ଞ ବ୍ୟକ୍ତି ହୋଇଥିବା ବେଳେ, ଅନ୍ୟ ଜଣକ ତାର ଓଲଟା ଅର୍ଥାତ ଉପକାର ବଦଳରେ ଅପକାର କରିବାକୁ ସବୁବେଳେ ଉଦ୍ୟତ ହେଉଥିବ | ବୀରବଲ ଏକଥା ଶୁଣି ଅନେକ ସମୟ ଚିନ୍ତା କରିବା ପରେ ତହିଁ ଆରଦିନ ଗୋଟିଏ କୁକୁର ଓ ତା ସଙ୍ଗରେ ନିଜର ଜ୍ବାଇଁକୁ ଆଣି ସଭାରେ ହାଜର କରାଇଲେ | ବଦସାହା ପଚାରିବାରୁ, ସେ ଦୁହିଁକୁ ତାଙ୍କ ସାମନାରେ ଛିଡ଼ା କରାଇ ଦେଇ କହିଲେ, ହଜୂର, ଦେଖନ୍ତୁ, ଆପଣଙ୍କର ଆଜ୍ଞାନୁସାରେ ସାରା ରାଜ୍ୟରୁ ବାଛି ବାଛି ଏଇ ଦୁଇଟିଙ୍କୁ ଆଣି ଉପସ୍ଥିତ କରାଇଲି | ୟାଙ୍କରିଠାରେ ସେ ଦୁଇଟି ଗୁଣ ପୁରାମାତ୍ରାରେ ବିଦ୍ୟାମାନ ରହିଛି | ବାଦସାହା କହିଲେ ସେମିତି କଣ ଖାଲି ହାଜର କରିଦେଲେ ହେବ, କିପରି କୃତଜ୍ଞ ଏ ଅକୃତଜ୍ଞ ଆମ ଆଗରେ ପ୍ରମାଣ କରାଇ ଦିଅ | ବୀରବଲ କୁକୁରଟିକୁ ଦେଖାଇ ଦେଇ କହିଲେ, ଦେଖନ୍ତୁ ଜାହାଁପନା, ଏ ଯେଉଁ ଚତୁଷ୍ପଦ ବିଶିଷ୍ଟ ଜୀବଟି ଆପଣଙ୍କ ଆଗରେ ଠିଆ ହୋଇଛି, ୟାକୁ କେବଳ ମୁଠାଏ ଭାତ ବା ରୋଟି ଦେଉଥିଲେ ଏ ଦିନରାତି ଆପଣଙ୍କ ପିଣ୍ଡାରେ ପ୍ରହରୀବତ୍ ପଡ଼ି ରହିଥିବ | ଆପଣ ସମୟ ବେଳେ ମାଡ଼ମାରି ତଡ଼ିଦେଲେ ମଧ୍ୟ ଆବଶ୍ୟକ ବେଳେ ଖାଲି ତୁଉ ତୁଉ ଡାକିଲେ ମାତ୍ରେ ସେ ଆସି ନିଜର ଜୀବନ ବିସର୍ଜନ କରି ସୁଦ୍ଧା ତା ବଦଳରେ ଆପଣଙ୍କ ପ୍ରାଣ ରଖିବାକୁ ଆଗଭର ହୋଇ ଉଠିବ | ଏ ହେଉଛି ତାର ନିମକ ସଚ୍ଚା ବା କୃତଜ୍ଞତାର ଗୁଣ, କିନ୍ତୁ ଅନ୍ୟ ଜଣକ ହେଉଛନ୍ତି ତାର ଠିକ୍ ଏହାର ବିପରୀତ (ନିଜର ଜ୍ବାଇଁ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି) କାରଣ କନ୍ୟାର ପିତା ଭଲ ଶୁଣିବା ସକାଶେ ତାର ସର୍ବସ୍ବ ଦାନ କରି ଦାଣ୍ଡର ଭିକାରୀ ସାଜିଲେ ସୁଦ୍ଧା ଏ କେବେ ସନ୍ତୋଷ ନ ହୋଇ ଓଲଟା ଅପମାନ ଦେବାକୁ ପ୍ରସ୍ତୁତ ହୋଇଯିବେ | ଏ ହେଉଛି ବେଇମାନ ବା ଅକୃତଜ୍ଞତାର ଚକ୍ଷୁସ ପ୍ରମାଣ ମାତ୍ର |
ବୀରବଲଙ୍କ ଉକ୍ତି ବାଦସାହାଙ୍କର ଭାରି ପସନ୍ଦ ହୋଇଗଲା | ସେ ଜ୍ବାଇଁ ଉପରେ ଅତ୍ୟନ୍ତ କ୍ରୋଦ୍ଧିତ ହୋଇ ସାଥେ ସାଥେ ହୁକୁମ ଦେଇ କହିଲେ କିଏ ଅଛରେ ଏ ବଦମାସଟାକୁ ନେଇ ଫାଶି ଖୁଣ୍ଟିରେ ଝୁଲାଇ ଦିଅ | ଆଉ କୁକୁରକୁ ନେଇ ଯତ୍ନ ସହକାରେ ରଖି ଦୁଧଭାତ ଖାଇବାକୁ ଦିଅ |
ବାଦସାହାଙ୍କର ଏପରି ଆଦେଶ ଶୁଣି ବୀରବଲ ପ୍ରଥମେ ପ୍ରଥମେ ଘାବରାଇ ଗଲେ | ତାପରେ ଅତ୍ୟନ୍ତ ବିନମ୍ର ଭାବରେ କହିଲେ ଜାହାଁପନା, ମୁଁ ତ କେବଳ ମୋ ନିଜ ଜ୍ବାଇଁଙ୍କୁ ଉଦ୍ଦେଶ୍ୟ କରି ଏକଥା କହିନାହିଁ | ମୋର ମତଲବ ଜ୍ବାଇଁମାନେ ଏପରି କରନ୍ତି, ଅର୍ଥାତ୍ ସବୁ ଜ୍ବାଇଁଙ୍କୁ ମୁଁ ଲକ୍ଷ୍ୟ କରି କହିଛି, କିନ୍ତୁ ମୋ ଜ୍ବଇଁ ସମସ୍ତଙ୍କ ଅପେକ୍ଷା ଟିକେ ଭଲ ବୋଲି ଭାବେ | ଏପରି ଅବସ୍ଥାରେ ତାଙ୍କୁ କେବଳ ଏକା ଦଣ୍ଡ ଦେବା ଉଚିତ ନୁହେଁ | ଆପଣ ତ ପୁଣି କାହାର ଜ୍ବାଇଁ ହୋଇଥିବେ | ଏକଥା ଶୁଣି ବାଦସାହା | ଲଜ୍ୟାରେ ଝାଉଁଳି ପଡ଼ିଲେ ଓ ସଭାସଦ ବ୍ୟକ୍ତିମାନେ ବୀରବଲଙ୍କ ବୁଦ୍ଧିକୁ ଭାରି ପସନ୍ଦ କରିବାକୁ ଲାଗିଲେ |

ହରଡ଼ ଡାଲି ଓ ବଣିଆ ଚତୁରତା

ଦିନେ ସନ୍ଧ୍ୟା ସମୟରେ ଆକବର ଏବଂ ବୀରବଲ ଦୁଇଜଣ ଜାକ ମହଲ (କୋଠା) ଛାତ ଉପରେ ବସି ଯମୁନା ନଦୀର ଜଳ ପ୍ରବାହ ଦେଖୁଥାନ୍ତି | ଥଣ୍ଡା ସୁଲୁସୁଲିଆ ପବନରେ ଦୁଇଜଣଙ୍କ ମନ ବେଶ୍ ପ୍ରଫୁଲ୍ଲିତ ହେଉଥାଏ | ମଝିରେ ମଝିରେ ମଧ୍ୟ ଖୁସି ଗପ ଚାଲିଥାଏ | ଏତିକିବେଳେ ବାଦସାହା ବୀରବଲଙ୍କୁ ପଚାରିଲେ ଆଛା କହିଲ ଦେଖି, ମନୁଷ୍ୟମାନଙ୍କ ଭିତରେ ସବୁଠାରୁ ଅଧିକ ଚତୁର କେଉଁ ଜାତିରେ ଅଛନ୍ତି ? ବୀରବଲ ଉତ୍ତର ଦେଲେ ଜାହାଁପନା, ବଣିଆ ସବୁଠାରୁ ଚତୁର ଅଟନ୍ତି | ବାଦସାହା ପ୍ରତ୍ୟକ୍ଷ ଭାବରେ ନ ଦେଖିଲେ କୌଣସି କଥାକୁ ବିଶ୍ବାସ କରନ୍ତି ନାହିଁ | ସେ ଯୋଗେ ସେ ବୀରବଲଙ୍କୁ କହିଲେ ତୁମେ ଏହାର ପ୍ରମାଣ ଦିଅ |
ବୀରବଲ କହିଲେ ଜାହାଁପନା, ଯଦି ମୋ କଥାକୁ ବିଶ୍ବାସ କରୁନାହାନ୍ତି, ତାହେଲେ ଏଇ ମୁହୂର୍ତ୍ତରେ ମୁ ପ୍ରମାଣ ଯୋଗାଇ ଦେଉଛି | ଏହା କହି ତତକ୍ଷଣାତ ଗୋଟିଏ ଚାକରକୁ ଡାକି ତା ହାତରେ କିଛି ହରଡ଼ ଡାଲି ମଗାଇ ଆଣିଲେ | ତାପରେ ନଗର ମଧ୍ୟରୁ ସାତଆଠ ଜଣ ପ୍ରତିଷ୍ଠିତ ବଣିଆ ମାନଙ୍କୁ ଲୋକ ଦ୍ବାରା ଡକାଇ ପଠାଇଲେ | ପ୍ରଥମେ ପ୍ରଥମେ ସେମାନେ ହଡ଼ବଡ଼େଇ ଯାଉଥିଲେ, କିନ୍ତୁ ମନା କରିବାକୁ ଉପାୟ ନ ଥିବାରୁ ବାଧ୍ୟ ହୋଇ ବଣିଆମାନେ ଆସି ରାଜମହଲରେ ହାଜର ହେଲେ | ସେଠି ବାଦସାହା ନିଜେ ଉପସ୍ଥିତ ଥାନ୍ତି | ବୀରବଲ ସବୁ ବଣିଆ ମାନଙ୍କୁ ଦେଖି ଥୋଡ଼ାଏ ହରଡ଼ ଡାଲି ଦେଇ କହିଲେ ତୁମେମାନେ କୁହ ଏହାର ନାଁଆ କଣ |
ବଣିଆମାନେ ପରସ୍ପର ମଧ୍ୟରେ ଠରାଠରି ହୋଇ କହିଲେ ଏହାର ନାଁଆତ ସମସ୍ତେ ଜାଣନ୍ତି, କିନ୍ତୁ ବୀରବଲ ଯେତେବେଳେ ଆମକୁ ପଚାରିଛନ୍ତି ନିଶ୍ଟୟ ୟା ଭିତରେ କିଛି ରହସ୍ୟ ଅଛି | ତା ନୋହିଲେ ସେ ଆମମାନଙ୍କୁ କାହିଁକି ନାମ ପଚାରିଥାନ୍ତେ | କିନ୍ତୁ ବୁଝି ସମଝି ଦେବା ଉଚିତ | ନୋହିଲେ ପଛରେ ହଇରାଣ ହେବାକୁ ପଡ଼ିପାରେ | ଏହିପରି କଥାବାର୍ତ୍ତା ହୋଇ, ସେମାନଙ୍କର ମଧ୍ୟରେ ଯେଉଁ ଜଣକ ମୁଖୁଆ ଅଟେ, ସେ ଦୁଇହାତ ଯୋଡ଼ି ବିନୟ ଭାବରେ କହିଲେ ହଜୁର, ଆମେମାନେ କିଛି ସମୟ ଚିନ୍ତା ନ କଲେ ଏହାର ଉତ୍ତର ଦେଇ ପାରିବୁ ନାହିଁ, ମାତ୍ର ଗୋଟିଏ ଘଣ୍ଟା ପାଇଁ ଅନୁମତି ଦିଆଗଲେ ନିଶ୍ଚୟ ଏହାର ମିମାଂସା କରି ଦେବୁ | ବୀରବଲ ସେମାନଙ୍କ ପ୍ରାର୍ଥନା ସ୍ବୀକାରକରି କହିଲେ, ହଉ ଯେତେବେଳେ ଏତେ ବଡ଼ ଗୋଟାଏ ବିଷୟ ତୁମ୍ଭେମାନେ ନିଷ୍ପତ୍ତି କରିବାକୁ ଯାଉଛ, ନିଶ୍ଚୟ ସମୟ ଲାଗିପାରେ | ଯାଅ ତୁମ ମାନଙ୍କୁ ଏକ ଘଣ୍ଟା ସମୟ ଦିଆଗଲା | ଠିକ୍ ଠାକ୍ କରି ଶୀଘ୍ର ଆସି ରାୟ ଦିଅ | ବାଦସାହା ନୀରବରେ ବସି ଏ ସମସ୍ତ ଚରିତ୍ର ଦେଖିବାରେ ଲାଗିଥାନ୍ତି |
ସବୁଯାକ ବଣିଆ ଗୋଟିଏ ନିର୍ଜନ ଜାଗାକୁ ଯାଇ ବିଚାର କରିବାରେ ଲାଗିଲେ | ତାଙ୍କ ଭିତରେ ବହୁ ସମୟ ତର୍କ ବିତର୍କ ହୋଇ ମଧ୍ୟ ସିଦ୍ଧାନ୍ତ ଉପରେ ପହଞ୍ଚି ନ ପାରିବାରୁ ସମସ୍ତେ ମୁଣ୍ଡରେ ହାତଦେଇ ଅନୁତାପ କରିବାକୁ ଲାଗିଲେ | ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ କି ଯଦି ଆମେ ୟାକୁ ହରଡ଼ ଡାଲି ବୋଲି କହିଦେବା ତା ହେଲେ ବାଦସାହା ଆଦୌ ଖୁସିହେବେ ନାହିଁ | କହିବେ ତିମେମାନେ ତା ହେଲେ ଅଧିକ କଣକଲ | ଏହିପରି ଭାବରେ ସେମାନେ ଆଲୋଚନା କରୁ କରୁ ଏକ ଘଣ୍ଟାରୁ ଅଧିକ ସମୟ ଗତ ହୋଇ ଯିବାରୁ ବୀରବଲ ପଚାରିଲେ କିହୋ ଏତେବେଳ ହେଲା କଣ ତୁମମାନଙ୍କର କିଛି ସିଦ୍ଧାନ୍ତ ହୋଇ ପାରିଲା ନାହିଁ ?  ଏହା ଶୁଣି ବଣିଆମାନଙ୍କ ମୁଖିଆ ଥୋଡ଼ାଏ ହରଡ଼ ହାତରେ ଧରି କହିଲା, ମୋର ମାଲିକ୍ ଏତ ମୁଗ ଡାଲି ଭଳି ଜଣାଯାଉଛି, ଅନ୍ୟ ବଣିଆକୁ ଆଖିରେ ଇଶାରା କରିବାରୁ ସେ ଆସି ସେହିପରି କହିଲା ମାଲିକ୍ ଏହା ମଟରଠାରୁ ଟିକେ ଛୋଟ ଅଟେ, କିନ୍ତୁ ନାମ ମୋତେ ଜଣାନାହିଁ | ତୃତୀୟ ବ୍ୟକ୍ତି କହିଲା ଅଲିଜାହାଁ ଏତ ଲଙ୍କା ମରିଚ ମଞ୍ଜିପରି ମାଲୁମ ହେଉଛି | ବାଦସାହା ବଣିଆ ମାନଙ୍କର ଏପରି ଅବାସ୍ତବ କଥା ଶୁଣି କହିଲେ ତୁମେ କଣ ମଣିଷ ନାଁ କ,ଣ | ତୁମେ କ,ଣ ତୁମମାନଙ୍କର ବୁଦ୍ଧି କେଉଁଠି ରଖିଦେଇ ଆସିଛ ନାଁ କଣ ? ଦେଖୁଛ ଏଗୁଡ଼ାକ ହରଡ଼ ଡାଲି କହୁଛ, କଣ ନାଁ ଏସା ତେସା | ସମସ୍ତ ଏକ ସ୍ବରରେ କହିଲେ ହଁ ହଁ ହଜୁର, ଯାହା କହିଲେ ସେଇ ଡାଲି ହୋଇଥିବ | ସେଇ ଡାଲି, ସେଇ ଡାଲି | ବୀରବଲ କହିଲେ ସେଇ ସେଇ କଣ ହେଉଛ ନାମ ବତାଅ | ବଣିଆମାନେ କହିଲେ ହଜୁର, ବର୍ତ୍ତମାନ ଯେଉଁ ନାମ ଅନ୍ନଦାତା କହୁଥିଲେ | ବୀରବଲ ସେମାନଙ୍କ ଚାଲୁ ଜାଣି ପାରି କହିଲେ ମୋର ସ୍ମରଣ ନାହିଁ | ତୁମେମାନେ ବତାଅ ଏହାର ନାମ କଣ | ବଣିଆମାନେ କହିଲେ ହଜୁର ଆମମାନଙ୍କର କିଛି କିଛି ଭୁଲ ହୋଇଯିବ | ଏ କଥା ଶୁଣି ବାଦସାହା କହିଲେ ମୁଁ କହିଲି ଏହାର ନାମ ହରଡ଼ ଡାଲି | ହଁ | ହଁ | ଏହି ଅନ୍ନଦାତା ଯାହା କହିଲେ ସେହି ଠିକ୍ ସେହି ଠିକ୍ | ଏତେ ପ୍ରକାର ବୁଝାଇଲେ ମଧ୍ୟ ବଣିଆ ମାନେ ମୁହଁରେ କେବେ ହରଡ଼ ଡାଲି ବୋଲି କହିଲେ ନାହିଁ |
ବୀରବଲ ସବୁ ବଣିଆ ମାନଙ୍କୁ କିଛି କିଛି ପାରିଶ୍ରମିକ ନେଇ ବିଦା କଲା ପରେ ବାଦସାହାଙ୍କୁ କହିଲେ, ଆପଣ ଦେଖିଲେତ ବଣିଆମାନେ କିପରି ଚାଲାଖି ଅଟନ୍ତି | ବାଦସାହା ବହୁତ ଖୁସି ହୋଇ କହିଲେ ବୀରବଲ ତୁମେ ବି କମ୍ ନୁହଁ | ଗୋଟିକୁ ଗୋଟି ମଜାଦାର କଥା ଆମକୁ ଦେଖାଇବାରେ ଲାଗିଛ | ଏପର୍ଯ୍ୟନ୍ତ ମୁଁ କେବଳ ବଣିଆମାନେ ଚାଲାଖ ବୋଲି ଶୁଣିବାକୁ ପାଉଥିଲି, କିନ୍ତୁ ସାକ୍ଷାତରେ ତୁମେ ଦେଖାଇ ଦେଇ ପାରିଲ |

ଉଡ଼ନ୍ତା ଘରର ବଢ଼ିଆ କଥା

ଦିନେ ବାଦସାହା ବୀରବଲଙ୍କୁ କହିଲେ, ତୁମେ ଗୋଟିଏ ଉଡନ୍ତା ଗୃହ ବା ଶୂନ୍ୟ ନିବାସ ତିଆରି କରିବାର ବନ୍ଦୋବସ୍ତ କର | ଆମ ବେଗମ୍ ସାହେବଙ୍କର ଭାରି ଇଚ୍ଛା ସେହିପରି ଗୋଟିଏ ଘର କରିବା ସକାଶେ, ଯାହା ଟଙ୍କା ଲାଗିବ ସମସ୍ତ ରୀତିମତ ଦିଆଯିବ | ତୁମେ ଶୀଘ୍ର କରିବାର ଯୋଗାଡ଼ କର | ବୀରବଲ କହିଲେ, ଜାହାଁପନା ମୋର ମଧ୍ୟ ସେପରି ଘରଟିଏ କରିବାକୁ ପ୍ରବଳ ଇଚ୍ଛା ଅଛି କେବଳ ଭୟରେ ଆପଣଙ୍କୁ ସାହାସ କରି କହି ପାରୁ ନ ଥିଲି | ଆଜି ଯେତେବେଳେ ସ୍ବୟଂ ହଜୁର ଏ ପ୍ରଶ୍ନ ଉଠାଉଛନ୍ତି, ଆଉ ବିଳମ୍ବ କରିବାର ଆବଶ୍ୟକ ନାହିଁ | ଶାସ୍ତ୍ର କହିଛି ଶୁଭସ୍ୟ ଶୀଘ୍ରଂ ଅର୍ଥାତ୍ ଶୁଭକାର୍ଯ୍ୟ କରିବାକୁ ହେଲେ ବିଳମ୍ବ କରିବାର ଅନାବଶ୍ୟକ | ଆପଣ ମୋତେ ଖରଚ ଟଙ୍କା ଦିଅନ୍ତୁ ମୁଁ ଦୁଇମାସ ଭିତରେ କାରିଗରିମାନଙ୍କୁ ଆଣି ହାଜର କରାଇବି | କାରଣ ଉଡ଼ନ୍ତା ଘର ତିଆରି କରିବା କାରିଗର ଭାରତ ବର୍ଷରେ କେହି ନାହାନ୍ତି | ଏମାନେ ଯେତେ ପ୍ରକାର ଭଲ ଘର ତୋଳିବେ କେବଳ ମାଟି ଉପରେ, ସେପରି ଘର ଏମାନଙ୍କୁ ଆସେ ନାହିଁ | ଆମେରିକା କିମ୍ବା ଋଷିଆ ଦେଖରୁ କାରିଗରମାନଙ୍କୁ ଆଣିବାକୁ ହେବ | ତେଣୁ ଅନେକଗୁଡ଼ାଏ ଟଙ୍କା ଖରଚ ଲାଗି ପାରେ କାରଣ କାରିଗରମାନଙ୍କୁ ଆଣିବା ରାସ୍ତାଖର୍ଚ୍ଚ ଓ ସେମାନଙ୍କ ଘରେ ଅଗ୍ରୀମ ଟଙ୍କା ଦେବାକୁ ପଡ଼ିବ |  ଏକଥା ଶୁଣି ବାଦସାହା କହିଲେ, ଯେତେ ଟଙ୍କା ଲାଗୁପଛେ ଆପତି ନାହିଁ | ତୁମେ ଶୀଘ୍ର କାରିଗର ଅଣାଇବାର ବ୍ୟବସ୍ଥା କର | ଏହା କହି ବୀରବଲଙ୍କୁ ଟଙ୍କା ଦେଇ କାରିଗର ଆଣିବାକୁ ପଠାଇ ଦେଲେ | କିପରି ଶୂନ୍ୟ ଉପରେ ଘର ତିଆରି ହେବ ସେ ସବୁବେଳେ ଏହିକଥା ଭାବିବାରେ ଲାଗିଥାନ୍ତି |
ଏଣେ ବୀରବଲ ବାଦସାହାଙ୍କଠାରୁ ମୋଟା ଟଙ୍କା ନେଇ ନିଜ ଘରେ ବେଶ ବଦଳାଇ ଚୂପହୋଇ ବସି ରହିଲେ | ଘରେ ତାଙ୍କର ସ୍ତ୍ରୀ ଓ ପୁତ୍ରକନ୍ୟାମାନଙ୍କୁ ଶିଖାଇ ଦେଲେ ଯଦି ବାଦସାହା ଖୋଜିବାକୁ ଲୋକ ପଠାନ୍ତି, ତୁମେମାନେ କହିବ ସେ କାରିଗର ପାଇଁ କେଉଁ ଆଡ଼କୁ ଚାଲିଯାଇଛନ୍ତି | ଏହାକହି ସେ କେତେଗୁଡ଼ାଏ ଚଢ଼େଇମାରମାନଙ୍କୁ ଡକାଇ ଆଦେଶ ଦେଲେ, ତୁମେ ମୋତେ ଦୁଇଦିନ ଭିତରେ ଏକଶହ ତୋତା (ଶୁଆ) ଧରି ଆଣି ଦିଅ | ତୁମମାନଙ୍କର ଯାହା ପାଉଣା ତାଠାରୁ ମୁଁ ଅଧିକ କିଛି କିଛି ଦେବାକୁ ପ୍ରସ୍ତୁତ ଅଛି |
ଏକଥା ଶୁଣି ଚଢେଇମାରମାନେ ତାଙ୍କର ଆଦେଶ ମତେ ଏକଶହ ଶୁଆ ଆଣି ହାଜର କରାଇ ଦେଲେ | ବୀରବଲ ସେ ଶୁଆମାନଙ୍କ ମଧ୍ୟରୁ ବାଛିବାଛି ପଚାଶଟି ଶୁଆ ରଖି ଅବଶିଷ୍ଟ ଯେତେ ସେମାନଙ୍କୁ ଫେରାଇ ଦେଇ କହିଥିବା ମୁତାବକ ତାଙ୍କୁ ରିତିମତ ଦାମ ଦେଇ ବିଦା କରି ଦେଲେ | ତାପରେ ସେ ଶୁଆଗୁଡ଼ିକୁ ଯତ୍ନ ସହକାରେ ପୁଞ୍ଜରା ଭିତରେ ରଖି ନିଜର କନ୍ୟା ସୁଶୀଳା ଉପରେ ଦାୟିତ୍ବ ଦେଇ କହିଲେ, ତୁ ଏମାନଙ୍କୁ ଖାଇବା ପିଇବାକୁ ଦେଇ ମୋର କହିବା ମୁତାବକ ଦିନରାତି ପାଠ ପଢ଼ାଇବାକୁ ଆରମ୍ଭ କର | ଯେପରି ଗୋଟିଏ ମାସ ଭିତରେ ସେମାନେ ସବୁକଥା ଶିଖିଯାଇ ପାରିବେ | ଏହା କହି କନ୍ୟାକୁ ବତାଇ ଦେଲେ | ଶୁଆମାନଙ୍କୁ ଏଇଆ ପଢ଼ାଇବୁ ଯେ, ଇଟା ଆଣ, ଚୁନ ତିଆରି କର, ବାଲି ମିଶାଅ, କବାଟ ଲଗାଅ, ପଲସ୍ତର କର ଇତ୍ୟାଦି | ପିତାଙ୍କଠାରୁ କନ୍ୟା ମଧ୍ୟ କୌଣସି ଗୁଣରେ ଊଣା ନଥାଏ | ସେ ତାଙ୍କ କହିବା ମତେ ପନ୍ଦର ଦିନ ଭିତରେ ଶୁଆ ମାନଙ୍କୁ ସବୁକଥା ତାଲିମ କରାଇଦେଲା | ବୀରବଲ ସବୁ ପରୀକ୍ଷା କରାଇ ନେଇ ଯଥା ସମୟରେ ବାଦସାହାଙ୍କ ପଖରେ ହାଜର ହୋଇ କହିଲେ ଜାହାଁପନା, କାରିଗରମାନେ ଆସିଗଲେ, ଚାଲନ୍ତୁ କେଉଁଠି ଘର ତିଆରି ହେବ ସ୍ଥାନ ବତାଇ ଦେଲେ ସେମାନେ କାର୍ଯ୍ୟ ଆରମ୍ଭ କରିବେ | ବାଦସାହା ମନେ ମନେ ଖୁବ୍ ଆନନ୍ଦିତ ହୋଇ ବୀରବଲଙ୍କ ସାତିରେ ବାହାରିଲେ | ଏଣେ ବୀରବଲ ଚାକରକୁ କହି ବେଗମ୍ ମହଲର ଗୋଟିଏ ଅନ୍ଧାରୁଆ ଘରେ ଶୁଆମାନଙ୍କୁ ରଖି କବାଟ ବନ୍ଦ କରି ଦେଇଥାନ୍ତି |
ବାଦସାହାଙ୍କୁ ନେଇ ସେଇ ଘର ପାଖରେ ଠାଆ କରାଇ କହିଲେ, ଏଇ ଘରେ କାରିଗରମାନେ ଅଛନ୍ତି | ଆଦେଶ ହେଲେ ଶୁଭ ବେଳା ଦେଖି ଘର ତିଆରି କରିବାର ବ୍ୟବସ୍ଥା କରିବି | ବାଦସାହା ଅନୁମତି ଦେବାରୁ ସେ ଚାକରକୁ କହିଲେ ଶୀଘ୍ର କବାଟ ଖୋଲିଦିଅ କାରିଗରମାନେ କାର୍ଯ୍ୟ ଆରମ୍ଭ କରନ୍ତୁ |
ଆଦେଶ ପାଇ ଚାକର କବାଟ ଖୋଲି ଦେବାରୁ ସବୁଯାକ ଶୁଆ ଘର ଭିତରୁ ଯେତେବେଳେ ଫରର୍ କରି ଆବାଜ ଦେଇ ବାହାରି ପଡ଼ିଲେ, ବାଦସାହା ଚମକି ପଡ଼ି କିଛି ବାଟ ପଛକୁ ହଟିଗଲେ | ତାପରେ ସେ ଶୁଆମାନେ ଏକାବେଳେକେ ଆକାଶକୁ ଉଠିଯାଇ ଥୋଡ଼ାଏ ଦୂରରେ କୁଣ୍ଡଳୀ ଆକାର ହୋଇ ଯେତେବେଳେ କହିବାରେ ଲାଗିଲେ ଇଟା ଆଣ, ଚୂନ ଆଣ, ବାଲି ମିଶାଅ, କବାଟ ଲଗାଅ, ଘର ତିଆରି କର | ବାଦସାହା ବୀରବଲଙ୍କୁ ଲକ୍ଷ୍ୟ କରି କହିଲେ କିହୋ ଏ କଣ ଶୁଭୁଛି, ବୀରବଲ କରଯୋଡ଼ି ବିନୟ ଭାବରେ କହିଲେ ଜାହାଁପନା ବର୍ତ୍ତମାନ କାରିଗରମାନେ ଘର ତିୟାର କରିବା ସକାଶେ ମାଲ ମସଲା ଯୋଗାଡ଼ କରୁଛନ୍ତି ସେଇ ନେଇ ସେମାନଙ୍କ ଭିତରେ ଡାକହାକ ପଡ଼ି ଯାଇଛି | କାରିଗରମାନେ ଖୁବ୍ ଦକ୍ଷବୋଲି ମୋର ମନେହୁଏ | ଦିନ ଚାରିଟାରେ ଘର ଡେରି ଦେବେ | ବୀରବଲଙ୍କ ଚାଲାଖି ବୁଝିପାରି ବାଦସାହା ମନେ ମନେ ଲଜ୍ଜିତ ହୋଇ ହସି ହସି ସେଠାରୁ ପଳାଇ ଯିବାରେ ଲାଗିଲେ | ଦେଖଣାହରୀମାନେ ତାଙ୍କ ବୁଦ୍ଧିକୁ ପ୍ରଶଂସା ନ କରି ରହି ପାରିଲେ ନାହିଁ | ଏ ହେଲା ଉଡ଼ନ୍ତା ଘରର ବଢ଼ିଆ କଥା |

ବୀରବଲଙ୍କର ମହାଭାରତ ଲେଖା

ଥରେ ବାଦସାହା କହିଲେ ବୀରବଲ, ତୁମେ ହିନ୍ଦୁ ରାଜାମାନଙ୍କ ନାମରେ ଯେପରି ମହାଭାରତ ଲେଖା ହୋଇଛି, ତୁମେ ସେହିପରି ଗୋଟିଏ ମହାଭାରତ ଆମ ନାମରେ ଯଦି ଲେଖିପାରିବ ତାହେଲେ ଯାହ ଚାହିଁବ ତାହା ଦିଆଯିବ |
ବୀରବଲ ତତକ୍ଷଣାତ ଉତ୍ତର ଦେଇ କହିଲେ, ଜାହାଁପନା ମୁଁ ତ ସେକଥା ଅନେକ ଆଗରୁ ଭାବୁଥିଲି | କାଳେ ଆପଣ ବିରକ୍ତ ହେବେ ବୋଲି ଭୟରେ କିଛି କହୁ ନ ଥିଲି | ଯଦି ଆପଣଙ୍କ ଆଡୁଏ ପ୍ରସ୍ତାବ ଆସିଲାଣି ତାହେଲେ କାଲିଠାରୁ ମୁଁ ମହାଭାରତ ଲେଖା ଆରମ୍ଭ କରିଦେବି | ଶୁଭସ୍ୟ ଶୀଘ୍ରଂ ଅର୍ଥାତ୍ ଶୁଭ କାର୍ଯ୍ୟରେ ଅବହେଳା କରିବା ଅନୁଚିତ | କିନ୍ତୁ ମହାଭାରତ ଆରମ୍ଭ ବେଳେ ଗୋଟିଏ ବଡ଼ ପୂଜା ଦେବାକୁ ହେବ | ତା, ନ ହେଲେ ସେ ପୁରାଣ ଲେଖିଲା ବେଳେ ଦିନରାତି ଖାଲି ଝଗଡ଼ା ଲାଗିବ |
ବାଦସାହା କହିଲେ, ହଉ କେତେ ଟଙ୍କା ଦରକାର ହେବ କୁହନ୍ତୁ | ବୀରବଲ କହିଲେ ଆଜ୍ଞା ମହାଭାରତ ହେଉଛି ସବୁ ପୁରାଣ ମଧ୍ୟରେ ବଡ଼ ପୁରାଣ | ତାପରେ ଅଠର ଖଣ୍ଡରେ ଅନ୍ତତଃ ଅଠର ଜଣ ପଣ୍ଡିତ ନିଯୁକ୍ତ ହେବେ | ତାପରେ ଉପକରଣ ଇତ୍ୟାଦି ମିଶାଇ ଦଶ ହଜାର ଟଙ୍କାରୁ ଅଧିକ ଲାଗିପାରେ, ହେଲେ ବର୍ତ୍ତମାନ ଦଶ ହଜାର ଦିଅନ୍ତୁ | ଦରକାର ହେଲେ ମଝିରେ ମଝିରେ ନେଉଥିବି | ଶେଷରେ ଆପଣ ମୋତେ ଯାହା ଦେବେ | ମୋର ଏଥିରୁ କିଛି ନେବା କଥା ନାହିଁ | ଯେତେବେଳେ ଆପଣଙ୍କ ପୁରାଣ ଲେଖାହେବ, ମୋର ତ ସେଥିରେ କିଛି ସ୍ବାର୍ଥ ରହିବ | ତେଣୁ ଶେଷରେ ଲେଖା ଦେଖି ସାରିଲେ ଯାହା ଦେବେ | କିନ୍ତୁ ଗୋଟିଏ ବର୍ଷ ସମୟ ଲେଖିବାକୁ ଲାଗିପାରେ |
ଏହାକହି ରାଜକୋଷରୁ ଦଶହଜାର ଟଙ୍କା ନେଇ ଘରକୁ ଗଲେ | କିନ୍ତୁ କୌଣସି ପଣ୍ଡିତଙ୍କୁ ନ ଡାକି, ବା ନିଜେ ମହାଭାରତ ନ ଲେଖି ନେଇଥିବା ଟଙ୍କାକୁ ମନଇଚ୍ଛା ଖରଚ କରି ଘର ଭିତରେ ବସି ରହିଲେ |
ମଝିରେ ମଝିରେ କେତେବେଳେ କେମିତି ଦରବାରରେ ଯାଇ ଟିକେ ବୁଲି ଆସୁଥାନ୍ତି | ତାଙ୍କୁ ଯଦି ବାଦସାହା ପଚାରନ୍ତି ଲେଖା କେତେଦୂର ଗଲାଣି, ସେ ଉତ୍ତରରେ କୁହନ୍ତି ଯଥେଷ୍ଟ ଆଗେଇ ଚାଲିଛି ଆଜ୍ଞା | ପଣ୍ଡିତମାନେ ଦିନରାତି ବସି ଲେଖନୀ ଚଳାଇଛନ୍ତି | କାଳେ ହଜୁରଙ୍କ ମନରେ ସନ୍ଦେହ ହେବ ବୋଲି ମୁଁ ସେଇକଥା ଜଣାଇ ଦେବାକୁ ଚାଲି ଆସିଛି |
ବାଦସାହା ହସି ହସି କୁହନ୍ତି, ତୁମପରି ବିଚକ୍ଷଣ ବୁଦ୍ଧିମନ୍ତ ଓ ସଚୋଟ ବ୍ୟକ୍ତି ଉପରେ ମୁଁ ସନ୍ଦେହ  କରିବି ଏକଥା କେଭେଁ ନୁହେଁ | କିନ୍ତୁ ଏତିକି ମନେ ରଖିବା ଉଚିତ୍ ଯେପରି ଲେଖାଟି ଖୁବ୍ ଭଲ ହେବ | ପ୍ରଥମେ ବେଗମ୍ ସାହେବା ଦେଖିଲେ ଯେପରି ଖୁବ୍ ଖୁସି ହେବେ |
ଦେଖିବେ ଆଜ୍ଞା ଭଲ କି ମନ୍ଦ ତାହା କାର୍ଯ୍ୟ କ୍ଷେତ୍ରରେ ପରୀକ୍ଷା କରାହେବ | ବର୍ତ୍ତମାନ କହି କିଛି ଲାଭ ନାହିଁ | ବୀରବଲ ଯେଉଁ କାର୍ଯ୍ୟରେ ହାତ ଦିଏ, ତାହା କେଭେଁ ଅସଫଳ ହୁଏ ନାହିଁକି ହେବ ନାହିଁ | ଯେଉଁ ମହାଭାରତ ଲେଖା ହେଉଛି ତାହା ପାଣ୍ଡବ ମାନଙ୍କ ମହାଭାରତଠାରୁ ଢେର ଉଚ୍ଚ ହେବାର ଅନୁମାନ ତେବେ ଆଉ କିଛି ଟଙ୍କାର ଆବଶ୍ୟକ ହେଉଛି ଆଜ୍ଞା ?
ସେ ସକାଶେ କିଛି ଆପତ୍ତି ନାହିଁ | ଯେତେ ଟଙ୍କା ଲାଗୁଛି ନିଅ | କିନ୍ତୁ ମହାଭାରତ ଲେଖା ଶାଘ୍ର ଶେଷକରି ଆମ୍ଭ ପାଖରେ ଦାଖଲ କରାଅ | କୁହ ବର୍ତ୍ତମାନ ତୁମର କେତେ ଟଙ୍କା ଆବଶ୍ୟକ |
ନାଇଁ ହଜୁର, ବେଶୀ କିଛି ନୁହେଁ, ତେବେ ପାଞ୍ଚ ହଜାର ପର୍ଯ୍ୟନ୍ତ ହୋଇଗଲେ କାର୍ଯ୍ୟ ଚଳିଯିବ |
ବୀରବଲଙ୍କ ଠାରୁ ଏକଥା ଶୁଣିବା ମାତ୍ରେ ବାଦସାହା ସାଥେ ସାଥେ ଭଣ୍ଡାର ରକ୍ଷକକୁ ଡାକି ଟଙ୍କା ଦେବାକୁ ଆଦେଶ ଦେଲେ | ଆଉମଧ୍ୟ ବୀରବଲଙ୍କୁ ବାରମ୍ବାର ଚେତାଇ କହିଲେ, ଯେପରି ଶୀଘ୍ର ମହାଭାରତ ଶେଷ ହେବ | ତା ପାଇଁ ଲାଗିପଡ଼ |
ଦେଖିବେ ଆଜ୍ଞା, କାର୍ଯ୍ୟରେ ଦେଖିଲେ ସବୁ କଥା ଜାଣି ପାରିବେ | ମୁହଁରେ କହିଲେ ବିଶ୍ବାସ ହେବନାହିଁ | ହଜୁର ଖାଲି ହାତ ସରଳ କଲେ ସବୁ ସୁରୁ ଖୁରୁରେ ହୋଇଯିବ |
ଯେପରି ଅନ୍ୟ କୌଣସି ଚିନ୍ତା କବିମାନଙ୍କ ମୁଣ୍ଡରେ ନ ପଶେ | ଶାସ୍ତ୍ରରେ ଅଛି ଅନ୍ନ ଚିନ୍ତା ଚମତ୍କାର | ସେମାନେ ରୀତିମତ ଯଦି ଖର୍ଚ୍ଚ ପାଉଥିବେ, ତିନି ଦିନର କାମ ଦିନକରେ ଶେଷ କରି ଦେବେ | ଆଉ ମଧ୍ୟ ଗଦ୍ ଗଦ୍ ହୋଇ ସେମାନଙ୍କ କଣ୍ଠରୁ ପଦ ବାହାରି ପଡ଼ିବ | କିନ୍ତୁ ସେତକ ଅଭାବ ହେଲେ, ଦିନକ ଲେଖା ସାତ ଦିନ ଲାଗିବ ଓ ରସହୀନ ବି ହେବ | ଏତିକି ହେଉଛି ମୋର ଅନୁରୋଧ | ଯେତେବେଳେ ଆପଣମାନଙ୍କ ଛାମୁରେ ଆସୁଥିବି, ସେତେବେଳେ ଯେମିତି ଖାଲି ହାତରେ ଫେରି ନ ଯିବି | ତେଣିକି ଦେଖିବେ ବୀରବଲର କାମ କେମିତି ହେଉଛି |
ବାଦସାହା ହସି ହସି ଉତ୍ତର ଦେଲେ ହଉ ତୁମେ ତମ କାର୍ଯ୍ୟ କର, ଆମେ ଆମ ଆଡୁ କେବେ ହତାଶ କରିବୁ ନାହିଁ | ଯାହା ଯେତେବେଳେ ଦର୍କାର ପଡ଼ିବ ଆସି ନେଇଯିବ |
ହଉ ଆଜ୍ଞା, ସେତିକି ଦୟା ହେଲେ ହେଲା | ଏହାକହି ପାଞ୍ଚ ହଜାର ଟଙ୍କା ଥଳୀରେ ପୁରାଇ ବାଦସାହାଙ୍କ ଠାରୁ ବିଦାୟ ନେଇ ପୁରାଣ ଲେଖିବାକୁ ବାହାରି ଗଲେ |
କିନ୍ତୁ ପୁରାଣ ଲେଖିବାତ ଦୂରର କଥା, ଦିନେ ମାତ୍ର କଲମ ସୁଦ୍ଧା ସେ ହାତରେ ଧରନ୍ତି ନାହିଁ, ଯେଉଁ ଅଠର ଜଣ ପଣ୍ଡିତମାନଙ୍କ ତାଲିକା ଦେଇଥାନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା କେହି ନ ଥନ୍ତି | କେବଳ ନାଁ ଗୁଡ଼ିଏ ଦେଇ ଟଙ୍କା ଆଣି ନିଜେ ମଜାରେ ଖରଚ କରି ଦିନରାତି ବସି ପଶା ଖେଳିବାରେ ଲାଗିଥାନ୍ତି |
ଏଣେ ନିଜର ସ୍ତ୍ରୀ ଚତୁରୀମଣୀଙ୍କୁ ଶିଖାଇ ଦେଇଥାନ୍ତି | ବାଦସାହାଙ୍କ ପାଖରୁ ଯଦି କେହି ଲୋକ ତଲାସ କରିବାକୁ ଆସେ, ସେ ବାହାରକୁ ବାହାରି ପଡ଼ି କୁହନ୍ତି, ସେତ କି ମହାଭାରତ ଲେଖା ଲେଖୁଛନ୍ତି ଯେ, ଘରକଥା ସୁଦ୍ଧା ମନେ ପକାଉ ନାହାନ୍ତି | ଆରମ୍ଭ ହେଲା ଦିନଠୁଁ ସବୁ ସମୟରେ ସିଆଡ଼େ ରହୁଛନ୍ତି | ଯଦି ଟିକେ ହସିବା ବସିବା ଲାଗି ମନ ହେଉଛି , ଡକେଇ ପଠେଇଲେ କହୁଛନ୍ତି ମହାଭାରତ ଲେଖା ନ ସରିବା ଯାଏ ସ୍ତ୍ରୀଙ୍କ ମୁହଁ ଚାହିଁବା ମହାପାପ | ତେଣୁ କରମକୁ ଆଦରି ପଡ଼ି ରହିଛି |
ହଉ ଯେବେ ବାଦସାହା ତୁମକୁ ପଠେଇଛନ୍ତି, ତା ହେଲେ କଣ ଆଣିଛ ଦେଇଯାଅ | ମୁଁ ଚାକର ହାତରେ ତାଙ୍କ ପାଖକୁ ପଠେଇ ଦେବି |
ବୀରବଲଙ୍କ ସ୍ତ୍ରୀ ବି କମ୍ ବଦ୍ଧିମତୀ ନୁହଁନ୍ତି | ସେ ସ୍ବାମୀଙ୍କୁ ମଧ୍ୟ ଅନେକ ସମୟରେ ସାହାଯ୍ୟ କରନ୍ତି | ବୀରବଲ ଯେତେବେଳେ ବିଷମ ସମସ୍ୟାର ପତିତ ହଅନ୍ତି, ଘରେ ଆସି ଚତୁରୀମଣୀଙ୍କ ସହଚର୍ଯ୍ୟା ଲୋଡ଼ନ୍ତି | ସେ ସାଥେ ସାଥେ ମୁଣ୍ଡରୁ ଗୋଟିଏ ବୁଦ୍ଧି ବାହାର କରିଦେଇ ସ୍ବାମୀଙ୍କ ଭାର ଲାଘବ କରନ୍ତି | ଯାହାକୁ କୁହନ୍ତି ସହ ଧର୍ମିଣୀ ସେ ଠାକ୍ ସେଇକଥା |
ତାଙ୍କ ସ୍ବାମୀଙ୍କ ମହାଭାରତ ଲେଖିବା କଥା ତାଙ୍କୁ କିଛି ଅଜ୍ଞାତ ନଥାଏ, ହେଲେ ବାଦସାହାଙ୍କ ମନରୁ ନନ୍ଦେହ ଦୂରୀଭୂତ କରିବା ନିମିତ୍ତ ସେ ଏପରି ଆଳ ଦେଖାଇ ଅଧବାଟରୁ ଦୂତକୁ ଫେରାଇ ଦିଅନ୍ତି | ସେ ଭଲକରି ଜାମନ୍ତି ତାଙ୍କ ସ୍ବାମୀ ଆଦୌ ମହାଭାରତ ଲେଖୁ ନାହାନ୍ତି | ସବୁବେଳେ ବସି ପଶା କାଠି ଗଡ଼େଇବାରେ ଲାଗିଛନ୍ତି | ଯଦି ଏ ଲୋକ ଏକଥା ଜାଣିପାରି ବାଦସାହାଙ୍କ ଆଗରେ କହିଦିଏ, ତା ହେଲେ ସର୍ବନାଶ ହୋଇଯିବ | ସେହି ଦୃଷ୍ଟିରୁ ଏପରି କହିବାକୁ ବାଧ୍ୟ ହିଅନ୍ତି |
ଏଣେ ମଧ୍ୟ ସମ୍ରାଟ ଆକବର ତାଙ୍କ ସ୍ତ୍ରୀଙ୍କ କହିବା କଥା ଲୋକମାନଙ୍କୁ ମୁହଁରୁ ଶୁଣି ମନେ ମନେ ଖୁସି ହୁଅନ୍ତି | ସେ ଭାବନ୍ତି, ଯା,ହେଉ ବୀରବଲ ନିଶ୍ଚୟ ମହାଭାରତ ସମ୍ପୂର୍ଣ୍ଣ କରି ପାରିବେ | ଆଉ ବାରବାର ଲୋକ ପଠାଇ ତାଙ୍କ କାର୍ଯ୍ୟରେ ବାଧାଦେବା ଉଚିତ ନୁହେଁ |
ବୀରବଲ ବି ଭାରି ଚତୁର, ସେ ଠିକ୍ ସୁଯୋଗ ଉଣ୍ଡି ବାଦସାହାଙ୍କ ପାଖରେ ପହଞ୍ଚି ଯାଇ ଏଣୁ ତେଣୁ ଦୁଇପଦ ଗପିଦେଇ ଆବଶ୍ୟକ ମତେ ଟଙ୍କା ଆଣି ଚାଲି ଆସନ୍ତି | ବାଦସାହା ଯଦି ମହାଭାରତ କଥା ପଚାରନ୍ତି, ସେ କେବଳ ସଂକ୍ଷେପରେ ଗୋଟିଏ ଦୁଇଟି ଉତ୍ତର ଦେଇ କାମର ଆଳ ଦେଖାଇ ଖସି ଆସନ୍ତି |
ସମୟ ଯେତେ ନିକଟ ହୋଇ ଆସୁଥାଏ ବାଦସାହାଙ୍କ ମନରେ ସେତେ ଉତ୍କଣ୍ଠା ଜାତ ହେଉଥାଏ | କିପରି ସେ ତାଙ୍କ ନାମର ମହାଭାରତ ଆଖିରେ ଦେଖିବେ | ଏଇ ସୁଯାଗକୁ ଚାତକବତ୍ ଅନାଇ ବସିଥାନ୍ତି |
ବର୍ଷ ପୁରିବାକୁ ଆଉ ମାତ୍ର ଦୁଇଦିନ ବାକି ଅଛି, ଠିକ୍ ଏତିକି ବେଳେ ବୀରବଲ ଗୁଡ଼ିଏ ଆଜେ ବାଜେ କାଗଜ ପତ୍ର ଗୋଟିଏ ଚାକର ହାତରେ ଧରି ବାଦସାହାଙ୍କ ନିକଟରେ ହାଜର ହୋଇ ଗଲେ | ସେ ଏପରି ଅଭିନୟ କରୁଥାନ୍ତି, ଯେ କୌଣସି ଲୋକ ଦେଖିବ ସେ ମନେ ମନେ ଭାବିବ ଏ ଭାରି କାର୍ଯ୍ୟବ୍ୟସ୍ତ ରହିଛନ୍ତି |
ତାଙ୍କ ଦେଖିଲାମାତ୍ରେ ବାଦସାହା ହସି ହସି ପଚାରିଲେ, କି ବୀରବଲ, ଆଜି କ,ଣ ମହାଭାରତ ସଙ୍ଗରେ ନେଇ ଆସିଛନ୍ତି |
ବୀରବଲ ତତକ୍ଷଣାତ ଉତ୍ତର ଦେଇ କହିଲେ, ଥୋଡ଼ାଏ ନେଇ ଆସିଛ ହଜୁର | ଏହାକହି ଲୋକଦ୍ବାରା ଅଣାଇଥିବା ବୋଝ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦଶ କରି ଦେଖାଇ ଦେଲେ |
ବାଦସାହା କହିଲେ ହଉ ଖୁବ୍ ଭଲ କରିଛନ୍ତି | ତାହେଲେ ଆଜି ଟିକେ ମହାଭାରତ ଶୁଣାଅ | ଦେଖିବା ତୁମ ଲେଖାର ଶୈଳୀ କିପରି ହୋଇଛି |

ତାହାତ ଶୁଣାଇବି ଆଜ୍ଞା | କିନ୍ତୁ ପୁରାଣର ନିୟମ ହେଉଛି ପୁରଣ ନ ହୋଇ ପଢ଼ିଲେ ଭାରି ଅନ୍ୟାୟ ହୁଏ, ଏପରିକି ଲେଖକ ବଂଶରେ ଦୀପ ଜାଳିବାକୁ କେହି ରହନ୍ତି ନାହିଁ | ସେଇଥି ନେଇ ଡ଼ର ମାଡୁଛି ଆଜ୍ଞା, ତାପରେ ମଧ୍ୟ ଲେଖାତ ଆସି ସରିବା ଉପରେ | ଆଉ ମାତ୍ର ଦୁଇଟା ଦିନରେ ପୁରା ଅଠର ଖଣ୍ଡ ଯାକ ଆଣି ଛାମୁରେ ଦାଖଲ କରିବି | ଆଉ ଅଧାପନ୍ତୁରିଆ ହୋଇ ଶୁଣି କାହିଁକି ଅବଶୋଷ କରିବେ |
ଓଃ, ତାହେଲେ ଏପରି ନିୟମ ଅଛି ନାଁ | ଆମ୍ଭେ ବା କାହିଁକି ଏତେ କଥା ଜାଣୁଥିଲୁ | ଆଚ୍ଛା ହେଉ ବର୍ତ୍ତମାନ କାର୍ଯ୍ୟ ବନ୍ଦ କରି କାହିଁକି ଆସିଲେ ?
ଆଜ୍ଞା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଥିବାରୁ ଆସିବାକୁ ବାଧ୍ୟ ହେଲି | ସବୁ ଲେଖିବା ମୋ ଦ୍ବାରା ସମ୍ଭବ ହୋଇ ପାରିଲା, କିନ୍ତୁ ଯେଉଁଥି ନିମନ୍ତେ ଆପଣଙ୍କ ପାଖକୁ ଆସିଛି, ତାହା ଆଦୌ ସମ୍ଭବ ହୋଇ ପାରିଲା ନାହିଁ | ସେ କଥା ଏକମାତ୍ର ଆପଣ  ପୁରଣ କରି ପାରିବେ | ନୋହିଲେ ଏତେ ଗୁଡ଼ାଏ ପରିଶ୍ରମ ପଣ୍ଡ ହୋଇଯିବ |
ହଉ ହଉ ଶୀଘ୍ର କୁହନ୍ତୁ ଆମ ଦ୍ବାରା କଣ ହୋଇପାରେ | ଆଉ ବିଳମ୍ବ ସହି ହେଉନାହିଁ | ମହାଭାରତ ଶୁଣିବା ନିମନ୍ତେ ବେଗମ୍ ସାହେବାଙ୍କ ମହଲରୁ ବାର ବାର ଖବର ଆସୁଛି | ତୁମେ ତୁରନ୍ତ ଆଣି କାଲି ଭିତରେ ଦାଖଲ କର |
କାଲି ଭିତରେ କଣ ଆଜ୍ଞା, ଚାହିଂଲେ ଆଜି ଆଣି ଶ୍ରୀହଜୁରଠାରେ ପଦଞ୍ଚାଇ ଦେବି କେବଳ ପ୍ରଶ୍ନଟିର ଉତ୍ତର ପାଇଲେ ହେଲା |
ତାହେଲେ ତୁମେ ତୁମର ପ୍ରଶ୍ନ ଶୀଘ୍ର ଏ ସଭାରେ ଉପସ୍ଥାପିତ କରିଦିଅ | ଆମ୍ଭେ ତାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ |
ବୀରବଲ ବସିଥିବା ସ୍ଥାନରୁ ଉଠିପଡ଼ି ଦୁଇହାତ ଯୋଡ଼ି କହିଲେ ହଜୁର ମହାଭାରତରେ ପ୍ରଧାନ ନାୟକ ଥିଲେ ପାଣ୍ଡବମାନେ ଓ ପ୍ରଧାନ ନାୟିକା ଥିଲେ ଦ୍ରୌପଦୀ ସୁନ୍ଦରୀ | ତାଙ୍କରି ବଳିଷ୍ଠ ଚରିତ୍ରମାନ ଚିତ୍ରଣ କରାଯାଇ ସେ ଭାରତ ଲେଖା ଯାଇଥିଲା | ବର୍ତ୍ତମାନ ଯେଉଁ ମହାଭାରତ ଲେଖା ହେଉଛି ସେଥିରେ ଆପଣ ହେଉଛନ୍ତି ପ୍ରଧାନ ନାୟକ ଓ ବେଗମ୍ ସାହେବା ହେଉଛନ୍ତି ପ୍ରଧାନ ନାୟିକା, ହଜୂରଙ୍କ ରାଜନୀତି, ଧର୍ମନୀତି ଆଦି ଚିତ୍ରଣ କରାଯାଇ ଲେଖା ହେଉଛି | କିନ୍ତୁ ବେଗମ୍ ସାହେବାଙ୍କର ବିଷୟ ଲେଖିଲା ବେଳକୁ ବଡ଼ ଅଡୁଆରେ ବ୍ୟକ୍ତିଗତ ବିଷୟ ବା ଘରକଥା ତେଣୁ ଆପଣଙ୍କ ନିକଟକୁ ଆସିବାକୁ ପଡ଼ିଲା, କାହିଁକିନା ବେଗମ୍ ସାହେବାଙ୍କୁ ତ ଦେଖିବା ସାତ ସପନ | ପୁଣି ଦିନରାତି ଅନ୍ଦର ମହଲରେ ରହୁଛନ୍ତି | କିମିତି ବା ତାଙ୍କ କଥା ମୁଁ ଜାଣିବା | ପଚାରି ହେଲେ ବୁଝି ନିଅନ୍ତି, ସେତକ ମଧ୍ୟ ସୁବିଧା ନାହିଁ |
ହଉ କ,ଣ ପଚାରିବେ ପଚାରନ୍ତୁ, ତାଙ୍କ ତରଫରୁ ଆମେ ଉତ୍ତର ଦେଇଦେବା | ବାଦସାହା କହିଲେ, ବେଶ୍ ଭଲକଥା, ହଉ କୁହନ୍ତୁ ଆଜ୍ଞା, ଆଗ ମହାଭାରତରେ ଦ୍ରୌପଦୀଙ୍କର ହେଉଛନ୍ତି ପାଞ୍ଚଗୋଟି ପତି ଯଥା ଯୁଧିଷ୍ଠିର, ଭିମ, ଅର୍ଜ୍ଜୁନ, ନକୁଳ ଓ ସହଦେବ | ବର୍ତ୍ତମାନ ମହାଭାରତରେ ଆପଣଙ୍କ ବେଗମ୍ ସାହେବାଙ୍କର ଆପଣ ଗୋଟିଏ ପତି ବୋଲି ଆମ୍ଭେମାନେ ଜାଣିଛୁ | ଆଉ ଚାରିଜଣ କିଏ କିଏ ଅଟନ୍ତି ତାଙ୍କରି ନାଁ ଟିକେ କହିଦେଲେ ବହି ଶେଷ କରିଦେବି |
ଏକଥା ଶୁଣି ବାଦସାହା ରାଗରେ ପ୍ରଜ୍ଜ୍ବଳିତ ହୋଇ କହିଲେ, କ,ଣ କହିଲ ବୀରବଲ ଆମ ବେଗମ୍ ସାହେବାଙ୍କର ଆଉ ଚାରୋଟି ସ୍ବାମୀ ଅଛନ୍ତି | ତୁମର ଏଡ଼େ ସାହନ, ତୁମେ ମୋତେ କ,ଣ ବୋଲି ଭାବିଛ କି ?
କ୍ଷମା କରିବେ ବାଦସାହା, ମୁଁ ଆପଣଙ୍କୁ କିମ୍ବା ବେଗମ୍ ସାହେବାଙ୍କୁ ଆକ୍ଷେପ କରି କହିନାହିଁ | ମହାଭାରତର ନିୟମାବଳୀ ହେଉଛି ସେଇଆ | ତା ନୋହିଲେ ମହାଭାରତ ଲେଖା ହୋଇ ପାରିବ ନାହିଁ | ଦ୍ବାପର ଯୁଗ ମହାଭାରତରେ ଦ୍ରୌପଦୀଙ୍କର ପାଞ୍ଚଗୋଟି ସ୍ବାମୀ ଥିଲେ | ବର୍ତ୍ତମାନ ଯେଉଁ ମହାଭାରତ ଲେଖା ହେଉଛି ତାର ପ୍ରଧାନ ନାୟିକା ହେଉଛନ୍ତି ବେଗମ୍ ସାହେବା | ତାଙ୍କର ସେହିପରି ପାଞ୍ଚଗୋଟି ସ୍ବାମୀ ନ ଥିଲେ ମହାଭାରତ ଅଶୁଦ୍ଧ ହୋଇଯିବ | ସେଇଥି ନେଇ ଛାମୁରେ ପ୍ରକାଶ କଲି | ଏଟା ହେଉଛି ଲେଖାର ନିୟମ |
ଥାଉ, ଥାଉ, ବନ୍ଦକର, ବନ୍ଦକର | ସେ ମହାଭାରତ ଲେଖା ଆଉ ଆମର ଲେଖିବାର ଆବଶ୍ୟକ ନାହିଁ | ଯାଅ ଯେଉଁ ଗୁଡ଼ାକ ଲେଖିଛ ତାକୁ ସଭା ମଧ୍ୟରେ ପୋଡ଼ି ପକାଅ |
ଏକଥା ଶୁଣି ବୀରବଲ କରଯୋଡ଼ି ବିନୟ ହୋଇ କହିଲେ ଜାହାଁପନା କ୍ଷମା କରିବେ | ଏଥିରେ ମୋର କୌଣସି ଦୋଷ ନାହିଁ | ହଜୁର ଆଦେଶ ଦେବାରୁ ଲେଖିଛି | ପରିଶ୍ରମ କରିଛି ଆଜ୍ଞା, ଅଠର ଜଣ ପଣ୍ଡିତ ଦିନରାତି ଖଟିଛନ୍ତି | ସେମାନଙ୍କର ହଜାର ହଜାର ଟଙ୍କା ବାକି ପଡ଼ିଛି | ମୋର ପଛେ ନ ହେଲା ନାହିଁ | ଆଶା କରିଥିଲି ବହୁତ ଗୁଡ଼ିଏ ପାଇବି ବୋଲି, କିନ୍ତୁ ସେମାନେ ନ ପାଇଲେ ମୋ ଦୁଆରେ ମୁହଁରେ ଧାରଣା ଦେବେ | ଗରିବ ଲୋକ କେଉଁଠୁ ଆଣି ତାଙ୍କୁ ଦେବି |
ସେ ସକାଶେ କିଛି ଚିନ୍ତା ନାହିଁ | ଯାଅ ଯେତେ ଟଙ୍କା ବାକି ଅଛି ରାଜକୋଷରୁ ନେଇଯିବ | କିନ୍ତୁ ସେ ବହି ଲେଖା ଗୁଡ଼ାକ ଶୀଘ୍ର ପୋଡ଼ି ପକାଅ | ଯେପରି ସେ ଆଉ ଆମର ଆଖି ଆଗରେ ନ ପଡ଼େ |
ହଜୁରଙ୍କ ଆଦେଶ ଶିରୋଧାର୍ଯ୍ୟ, ଏହା କହି ଆହୁରି ଦଶ ହଜାର ଟଙ୍କା ନେଇ, ଆଣିଥିବା ଚିରାଫଟା କାଗଜର ଗଣ୍ଠିଲି ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇ ଆନନ୍ଦ ମନରେ ବୀରବଲ ଘରକୁ ଫେରିଗଲେ |
ଏହି ହେଲା ବୀରବଲଙ୍କର ବୁଦ୍ଧିର ତାତ୍ପର୍ଯ୍ୟ |

ଆମ ବାପାଙ୍କୁ ସ୍ବର୍ଗରେ ଦେଖିଆସ

ବାଦସାହା ରାଜସଭାରେ ବୀରବଲଙ୍କର ଅତୁଳ ସମ୍ମାନ ଦେଖି ଅନ୍ୟପଣ୍ଡିତମାନେ ସବୁବେଳେ ଈର୍ଷାରେ ଜଳିବାକୁ ଲାଗିଲେ | କିପରି ସେ ତାଙ୍କୁ ଅପମାନ ଦେଇ ସଭାରୁ ବାହାର କରିବେ, ଏଇ ଓର ବରାବର ଖୋଜିବାରେ ଲାଗିଥାନ୍ତି | କିନ୍ତୁ ବାଦସାହା ବୀରବଲଙ୍କ ଉପରେ ସନ୍ତୁଷ୍ଟ ଥିବାରୁ ଏମାନେ କିଛି କରି ନପାରି ଯୋକ ମୁଁହରେ ଲୁଣ ଦେଲାପରି ନିରବରେ ବସିରହନ୍ତି | ହେଲେ ମଧ୍ୟ ତାଙ୍କ ଆଖି ଆଗରେ ବୀରବଲ ହଜାର ହଜାର ଟଙ୍କା ପୁରସ୍କାର ନେଉଥିବା ଦେଖି ଅଧିକ ବ୍ୟତିବ୍ୟସ୍ତ ହୋଇ ପଡନ୍ତି | ଏହିପରି ଭାବରେ ବିରକ୍ତ ହୋଇ ଶେଷରେ ସେମାନେ ସମସ୍ତେ ଗୋଟିଏ ଗୁପ୍ତ ଜାଗାରେ ଏକତ୍ରିତ ହୋଇ ବୀରବଲଙ୍କୁ ଜୀବନରେ ମାରି ଦେବାକୁ ସ୍ଥିର କରି ବାଦସାହାଙ୍କର ବିଶ୍ବସ୍ତ ସେବାକାରୀ ଡକାଇ, ତାକୁ ଏକ ହଜାର ଟଙ୍କା ନଗଦ ଉତ୍କୋଚ ଦେଇ ଗୋଟିଏ କଥା ବାଦସାହାଙ୍କ କାନରେ ପକାଇ ଦେବାକୁ ଆମୂଳଚୂଳ ଗୋଟି ଗୋଟି କରି ବତାଇ ଦେଲେ | ଆଉ ସେ ବାରିକକୁ କହିଲେ କାର୍ଯ୍ୟ ପୂରଣ ପରେ ଆହୁରି ଏକ ହଜାର ଟଙ୍କା ଦିଆଯିବ |
ତାଙ୍କ କଥାରେ ହଁ ଭରି ବାରିକ ଏକ ହଜାର ଟଙ୍କ ନେଇ ଘରକୁ ଗଲା | ତା ପର ଦିନ ସକାଳେ ସେ ବାଦସାହାଙ୍କୁ ଖିଅର କରିବା ସାକଶେ ନଅର ଭିତରେ ପହଞ୍ଚି ଦେଖିଲା ସେଦିନ ବାଦସାହାଙ୍କ ମନ ଭାରି ଖୁସି ଥିଲାପରି ଜଣାପଡୁଛି |
ସେହି ସୁଯୋଗ ଉଣ୍ଡି ପଣ୍ଡିତମାନଙ୍କୁ ବତାଇ ଥିବା କଥାଟିକୁ ବାରିକ ଆରମ୍ଭ କରିବାକୁ ଲାଗିଲା | ସେ କହିଲା ଜାହାଁପନ୍ନା ଆପଣଙ୍କ ପିତାଙ୍କ ସୌଭାଗ୍ୟ ବଳରୁ ଆପଣ ଆଜି ସସାଗରା ଧରା ପୃଥିବୀରେ ଅଧିଶ୍ବର ହୋଇଛନ୍ତି | ହଜାର ହଜାର ରାଜା ଆପଣଙ୍କ ପାଦତଳେ ଖଟୁଛନ୍ତି | କିନ୍ତୁ ସେ କିପରି ଭାବରେ ସ୍ବର୍ଗରେ ଅଛନ୍ତି ଆପଣ ତ ଦିନେ ମାତ୍ର ତାଙ୍କ ଚିନ୍ତା ମନରେ ପକାଇଲେ ନାହିଁ | ମୁଁ କାଲି ରାତିରେ ଗୋଟିଏ ସ୍ବପ୍ନ ଦେଖିଲି ତାଙ୍କୁ କୁଆଡ଼େ ସେ ଯମ ରାଜାଟା ଭାରି ଦଣ୍ଡ ଦେଉଛି | ଆଉମଧ୍ୟ ସେଇ ସ୍ବପ୍ନରେ ଦେଖିଲି ଆପଣଙ୍କ ପିତା ମୋତେ ଆଦେଶ ଦେଉଛନ୍ତି | ଏକଥାଟା ତୁରନ୍ତ ଯାଇ ମୋ ପୁତ୍ର କାନରେ ପକାଇ ଦେଲେ ସେ ଲୋକ ପଠାଇ ମୋର ସୁବନ୍ଦୋବସ୍ତ କରି ଦେବେ |
ଶାସ୍ତ୍ର କହିଛି ରାଜା ଅବୁଝା, ଯାହା ତାଙ୍କ ମନକୁ ପାଇଥିବ, ସେ ଭଲ ମନ୍ଦ କିଛି ବିଚାର ନ କରି ସେଇ ପଥରେ ଚାଳିତ ହେବେ | ଆକବର ବାଦସାହା ଯେତେ ବଡ଼ ହେଲେ ମଧ୍ୟ ସେଥିରୁ ବାଦସାହା ଯାଆନ୍ତେ କେମିତି |
ସରାଣାଂ ନାପିତଂ ଧୂର୍ତ୍ତ, ସହଜେ ତ ବାରିକମାନେ ଭାରି ଧୂର୍ତ୍ତ, ମିଛକଥାଟାକୁ ସେ ଏପରି ବନେଇ ଚୁନେଇ କହିବେ, ଯଦ୍ବାରା କି ଲୋକେ ବିଶ୍ବାସ ନ କରି ରହିପାରିବ ନାହିଁ | ଏ ସ୍ଥଳେ ସେ ବାରିକଟିର କଥା ବାଦସାହାଙ୍କ ମନକୁ ଖୁବ୍ ପାଇଗଲା |
ଶେଷରେ ସେ କେବଳ ବାରିକକୁ ଏତିକି ପଚାରିଲେ ଯେ ସ୍ବର୍ଗକୁ କିଏ ସେ ଯିବ |
ବାରିକ କହିଲା ଆଜ୍ଞା ସେକଥା ମଧ୍ୟ ଆପଣଙ୍କ ବାବା ମୋତେ ସ୍ବପ୍ନରେ ବତାଇ ଦେଇଛନ୍ତି | କହିଛନ୍ତି ଏକା ବୀରବଲଙ୍କ ବ୍ୟତିତ ଅନ୍ୟକେହି ଯମ ରାଜାଙ୍କୁ ବୁଦ୍ଧିରେ ହଟାଇ ପାରିବନାହିଁ | ତାକୁହିଁ ପଠାଇବାକୁ ହେବ |
ବୀରବଲଙ୍କ ଯିବାକଥା ଶୁଣି ବାଦସାହାଙ୍କ ମନ ଭାରି ଖରାପ ହୋଇଗଲା | ସେ କହିଲେ ତାଙ୍କୁ ପଠାଇଲେ ଏଠିକାର କାର୍ଯ୍ୟ କିପରି ଚଳିବ | ବାରିକ ତ ଭାରି ସିଆଣା | ସେ ଉତ୍ତରରେ କହିଲା ସେ ତ ବେଶିଦିନ ସ୍ବର୍ଗରେ ରହିବେନାହିଁ | ଦିନ ଚାରିଟା ଫେରି ଆସିବେ | ସେଇଦିନ ଚାରିଟା କ,ଣ ଅନ୍ୟମାନେ ତାଙ୍କ କାର୍ଯ୍ୟ ଚଳାଇ ପାରିବେ ନାହିଁ |
ଆଚ୍ଛା ହେଉ ବୋଲି କହି ପରଦିନ ରାଜସଭାରେ ବୀରବଲଙ୍କୁ ଡକାଇ ବାଦସାହା ସବୁକଥା ବୁଝାଇ ଦେଲେ | ଆଇ ମଧ୍ୟ ଯିବା ପାଇଁ ଶାଘ୍ର ପ୍ରସ୍ତୁତ ହୁ୍ଅ ବୋଲି ଆଦେଶ ଦେଲେ |
ଏକଥା ଶୁଣି ବୀରବଲ ଜାଣିଲେ ଏହା ହେଉଛି ମୋତେ ମାରିବା ପାଇଁକି ଏ ପଣ୍ଡିତମାନଙ୍କ କୌଶଳ | ତେଣୁ ସେ କରଯୋଡ଼ି ବିନୟ ଭାବରେ କହିଲେ ଜାହାଁପନ୍ନା, ମୋତେ ତ ସ୍ବର୍ଗକୁ ପଠାଇ ଦେବାକୁ ଇଚ୍ଛା କରିଛନ୍ତି, କିନ୍ତୁ ମୁଁ ନିଆଁରେ ପୋଡ଼ୁ ପୋଡୁ ଯଦି ଚିରଦିନଲାଗି ମରିଯାଏ ତାହେଲେ ମୋର ପିଲାମାନଙ୍କୁ କିଏ ଚଳାଇବ |
ସେ ସକାଶେ ଚିନ୍ତାନାହିଁ | ଯଦି ତୁମର କିଛି କ୍ଷତି ହୋଇଯାଏ ତା ହେଲେ ମୁଁ ତୁମ କୁଟୁମ୍ବ ଚଳାଇବା ପାଇଁ ପ୍ରତିଶ୍ରୁତି ଦେଉଛି | ବର୍ତ୍ତମାନ ତୁମେ କିଛି ଟଙ୍କା ଘରେ ଦେଇ ସ୍ବର୍ଗକୁ ଚାଲିଯାଅ | ଆମ ବାବାଙ୍କଠାରୁ ସମସ୍ତ ଖବର ଆଣି ଫେରିଆସିଲେ ପୁଣି ଆଶାତୀତ ପୁରସ୍କାର ଦିଆଯିବ | ମୋର ଆଦେଶ ପାଳନ କର |
ହେଉ ବୋଲି ସ୍ବୀକାର କରି କୋଡ଼ିଏ ହଜାର ଟଙ୍କା ନେଇ ବୀରବଲ ନିଜ ଘରକୁ ଚାଲିଗଲେ | ବାଦସାହାଙ୍କୁ କେବଳ ଏତିକି କହିଗଲେ କି ପନ୍ଦର ଦିନ ମୋତେ ସମୟ ଦିଆଯାଉ | ସବୁ ବନ୍ଧୁ ବାନ୍ଧବମାନଙ୍କୁ ଟିକେ ଶଙ୍ଖୋଳି ଦେଇ ଆନନ୍ଦ ମନରେ ଚାଲିଯିବି | ବାଦସାହା ଏକଥାରେ ଏକମତ ହୋଇ ତାକୁ ପନ୍ଦର ଦିନ ସମୟ ଦେଲେ |
ବୀରବଲ ନିଜ ଘରକୁ ଟଙ୍କା ନେଇ ଆନନ୍ଦରେ ଖିଆ ପିଆ କରି ନିର୍ଜନ ରାତିରେ ଲୋକ ଲଗାଇ ଶ୍ମଶାନ ଠାରୁ ଘର ପର୍ଯ୍ୟନ୍ତ ଗୋଟିଏ ଗୁପ୍ତ ସୁଡଙ୍ଗ ଏପରି କରାହୋଇଥାଏ ଯେ ବୀରବଲଙ୍କ ବ୍ୟତିତ ଅନ୍ୟ କାହା ବାପର ମଧ୍ୟ ସାଧ୍ୟ ନ ଥାଏ ଜାଣିବା ସକାସେ |
ଯେଉଁଦିନ ସୁଡ଼ଙ୍ଗ ଶେଷ ହୋଇଗଲା ବୀରବଲ ବାଦସାହାଙ୍କ ପାଖରେ ପଦଞ୍ଚି ଜଣାଇଲେକି ହଜୁର ଯିବାପାଇଁ ସମସ୍ତ ବ୍ୟବସ୍ଥା କରନ୍ତୁ  | ଯାହା ଯାହା ଦ୍ରବ୍ୟର ଆବଶ୍ୟକ ସେଥିରୁ ଗୋଟିଏ କମିଗଲେ ଆଉ ସ୍ବର୍ଗରୁ ଫେରି ଆସିବା ସମ୍ଭବ ହେବ ନାହିଁ |
କି କି ଦ୍ରବ୍ୟର ଆବଶ୍ୟକ ବୋଲି ବାଦସାହା ସଭାସ୍ଥିତ ପଣ୍ଡିତମାନଙ୍କୁ ଗୋଟିଏ ତାଲିକା ମାଗିବାରୁ ସେମାନେ ଅତ୍ୟନ୍ତ ଖୁସି ହୋଇ ଗୋଟିଏ ସୁନ୍ଦର ତାଲିକା ପ୍ରସ୍ତୁତ କରି ତାଙ୍କ ଆଗରେ ଥୋଇଦେଲେ |
ହେଲେ ସେଥିରେ ବୀରବଲଙ୍କର ମନ ମାନିଲା ନାହିଁ | ସେ କହିଲେ ଆପଣ ତ ନିଶ୍ଚୟ ଛବି ଇତ୍ୟାଦି ଦେଖିଥିବେ | ଦେବଲୋକମାନେ ସୁନା ଆଉ ହୀରାର ଗହଣା ସର୍ବାଙ୍ଗରେ ଲଗାନ୍ତି | ତାପରେ ମଧ୍ୟ ଖୁବ୍ ମୂଲ୍ୟବାନ ପାଟ ପିତାମ୍ବରୀ ପରିଧାନ କରନ୍ତି | ମୁଣ୍ଡରେ ଗୋଟିଏ ଅଷ୍ଟରତ୍ନ ଖଚିତ ମୁକୁଟ ଲଗାନ୍ତି | ସେପରି ବେଶରେ ନ ଗଲେ ଯମ ଆଦୌ ଖାତିର ନ କରି ପାପୀଟାଏ ବୋଲି ଭାବି ନର୍କ କୁଣ୍ଡକୁ ଠେଲି ଦେବ | ଏକଥା ମୁଁ ଭଲ ଭାବରେ ଜାଣିଛି |
ଆକବରଙ୍କ କହିବା ମୁତାବକ ସମସ୍ତ ଦ୍ରବ୍ୟଳଙ୍କର ଆଦି ଆୟୋଜନ କରାହେଲା | ଚନ୍ଦନ କାଷ୍ଠରେ ବୀରବଲଙ୍କ ତରଫର ଲୋକଯାଇ ନିର୍ଦ୍ଦିଷ୍ଟ ଜାଗାରେ ଯୁଇ ପ୍ରସ୍ତୁତ କରିଦେଲେ | ଏଣେ ବୀରବଲଙ୍କ ସ୍ତ୍ରୀ ଓ ତାଙ୍କର ଝିଅମାନେ ଘରେ ମୁଣ୍ଡ ବାଡ଼େଇ କନ୍ଦାକଟା କରି କମ୍ପାଉଥାନ୍ତି | ବୀରବଲ ମଧ୍ୟ ଦୁଃଖରେ ମ୍ରିୟମାଣ ହେଲାପରି ଅଭିନୟ କରି ତାଙ୍କଠାରୁ ବିଦାୟ ନେଇ ସମସ୍ତ ଅଳଙ୍କାରରେ ସଜ୍ଜିତ ହୋଇ ଯୁଇ ନିକଟରେ ପ୍ରବେଶ ହେଲେ |
ଜଣେ ସଭାପଣ୍ଡିତ ଓ ବାରିକ ଉଭୟେ ଯୋଗାଡ଼ରେ ଲାଗିଥାନ୍ତି | ଆନନ୍ଦରେ ସେମାନଙ୍କ ମନ ଘର ଧରୁ ନ ଥାଏ | ସମସ୍ତ ପ୍ରକାର ମନ୍ତ୍ର ଯନ୍ତ୍ର ଶେଷ କରି ଗବ୍ୟଘୃତ ଢାଳି ଯେତେବେଳେ ବୀରବଲଙ୍କୁ ଯୁଇ ଉପରେ ଠିଆ କରାଇ ଦେଲେ ସେ କୌଶଳରେ ଏପରି ଗୋଟିଏ ଶଦ୍ଦ ରହିତ ବୋମା ଫୁଟାଇ ଦେଲେ କି, ଯଦ୍ବାରା ଉପସ୍ଥିତ ବ୍ୟକ୍ତିମାନେ ଦିନରେ ସୁଦ୍ଧା କେହି କାହାକୁ ଦେଖି ପାରିଲେ ନାହିଁ |
ସେଇ ଅବସରରେ ନିଆଁ ଜଳି ଉଠିଲା ବେଳକୁ ବୀରବଲ ସୁଡ଼ଙ୍ଗ ବାଟେ ଆସି ଯାଇ ନିଜ ଘରେ ହାଜର ହୋଇଗଲେ, ଏଣେ ବୀରବଲଙ୍କ ଶତ୍ରୁମାନେ ଆନନ୍ଦରେ ବିହ୍ବଳିତ ହେବାରେ ଲାଗିଗଲେ ସେମାନେ ଭାବିଲେ ଆମ ବାଟରୁ କଣ୍ଟା ଗଲା |
ଏଣେ ବୀରବଲ କିଛି ଦିନ ଗୁପ୍ତରେ ରହି ଖୁବ୍ ଲମ୍ବା ଲମ୍ବା ଦାଢ଼ି ଜଟା ବଢ଼ାଇ ବାଦସାହାଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହେଲେ, ତାଙ୍କୁ ଦେଖିଲା ମାତ୍ରେ ସଭାରେ ବସିଥିବା ସମସ୍ତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଗଲେ | ଯେଉଁମାନେ ଏତେ ଚକ୍ରାନ୍ତ କରିଥିଲେ ସେମାନେ ଭାବିଲେ ଏ ଫେରିଲା କିପରି | ବୋଧହୁଏ ଏ ହେଉଛି ବୀରବଲ ପ୍ରେତଆତ୍ମା | ଏହିପରି ବିଚାରି ସେମାନଙ୍କ ଅନ୍ତରାତ୍ମା ଥରିବାକୁ ଲାଗିଲା | ସେମାନେ ଅନ୍ୟ ଉପାୟ ନଦେଖି କେବଳ ଜଳ ଜଳ ହୋଇ ଅନାଇବାରେ ଲାଗିଲେ |
ଏତିକି ବେଳେ ବୀରବଲ ଯାଇ ବାଦସାହାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଯେତେବେଳେ ପ୍ରଣାମ ଜଣାଇଲେ, ବାଦସାହା ତାଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦ ହୋଇଯାଇ ପଚାରିଲେ ଆଛା ବୀରବଲ ଭଲରେ ଫେରିଛ ତ |
ହଁ ଆଜ୍ଞା ଆପଣଙ୍କ ଦୟାରୁ ଖୁବ୍ ଭଲରେ ଫେରିଛି | ବାଟରେ ଦୁଇଟି ଗୋଟିଏ ଜାଗାରେ ଟିକେ ଗୋଳମାଳ ଘଟିଲା | ସେମାନେ ଆପଣଙ୍କ ନାଁ ଶୁଣିଲାମାତ୍ରେ ଭୟରେ ବାଟ ଛାଡ଼ି ଦେଲେ | ଯମଟା ତ ଆପଣଙ୍କୁ ଭାରି ଡରିଛି | ମୁଁ ପହଞ୍ଚିଲି, ତା ମନ୍ତ୍ରୀ ଚିତ୍ରଗୁପ୍ତକୁ ଡ଼ାକି, ଗୋଟାଏ ବିରାଟ ଖାତା ଆଣି ପାପ ପୁଣ୍ୟ ହିସାବ କରିବାକୁ ବସୁଥିଲା | ମୋତେ ଗୋଟାଏ ନିକିତି ଉପରକୁ ବସାଇବାକୁ ନଉଥିଲେ | ଯେମିତି ମୁଁ ଆପଣଙ୍କ ନାଁ କାନରେ ଖାଲି ପକାଇ ଦେଇଛି, ଆଉ କଅଣ କହିବି, ଆଜ୍ଞା, ଆପଣଙ୍କୁ ମିଛ, ମତେ ସତ, ସାଥେ ସାଥେ ସେ ସିଂହାସନ ଉପରୁ ଉଠିଆସି ମୋ ହାତ ଧରିନେଇ ତା ସିଂହାସନ ପାଖରେ ବସାଇ... ଆଗ ଆପଣଙ୍କର ରାଜ୍ୟର ସବୁ କୁଶଳ ପଚାରି ଗଲା | ତାପରେ ମୋତେ ଖୁବ୍ ଭଲ ଭାବରେ ତା ନଅର ଭିତରେ ଖାଇବା ପିଇ ବାକୁ ଦେଇ ଅନେକ ସମୟପରେ କହିଲେ, ଦେଓ୍ୟାନ ସାହେବ ଆପଣ କେଉଁ କାମରେ ଏଠାକୁ ଆଗମନ କରିଛନ୍ତି |
ମୁଁ ଯେମିତି ଆପଣଙ୍କ ବାପାଙ୍କ କଥା ତାଙ୍କୁ କହିଛି ନା, ସେ ଆଉ ଡେରି ନ କରି ମୋତେ ତାଙ୍କ ରଥରେ ବସାଇ ବାପାଙ୍କ ପାଖକୁ ପଠାଇ ଦେଲେ | ବାପାତ ମୋତେ ଆଗରୁ ଚିହ୍ନି ନ ଥିଲେ | ତେଣୁ ଦେଖିଲା ମାତ୍ରେ ଟିକେ ଥଙ୍ଗ ଥଙ୍ଗେଇ ଯାଇ ପଚାରିଲେ ତୁମ ଘର କେଉଁଠି ବାବା | ମୁଁ ଆମୂଳଚୁଳ ସମସ୍ତ କଥା ତାଙ୍କ ଆଗରେ ବର୍ଣ୍ଣନା କରିବାରୁ, ସେ ଅତିଶୟ ଆନନ୍ଦ ହୋଇ ମୋତେ ନଅର ଭିତରକୁ ଡ଼ାକିନେଲେ | ସାଥେ ସାଥେ ଖାଇବା ପିଇବାର ବ୍ୟବସ୍ଥା କରିବା ସକାସେ ଖାନସମାକୁ ମଧ୍ୟ ଆଦେଶ ଦେଲେ | ମୁଁ ଆଉ କଣ କହିବି ଆଜ୍ଞା, ସେ ଯେଉଁ ମଉଜିରେ ଅଛନ୍ତି, ଆପଣ ସେପରି ନାହାନ୍ତି | ଏପରି ଜାଗା ଯେ, ମୋର ମୋଟେ ଆସିବାକୁ ମନ ହେଉ ନ ଥିଲା, କାଲେ ଆପଣ ବିରକ୍ତ ହେବେ ବୋଲି କୁହାବୋଲା କରି ପଳାଇ ଆସିଲି |
ବାଦସାହା ବୀରବଲଙ୍କ ଠାରୁ ସମସ୍ତ ଘଟଣା ଶୁଣି ମନେ ମନେ ଆନନ୍ଦ ହୋଇଯାଇ କହିଲେ, ତେବେ ଆମ ପିତା ସେଠାରେ ଖୁବ୍ ଭଲରେ ଅଛନ୍ତି | ଆଚ୍ଛା ଆଉ କିଛି ଖବର ଦେଇଛନ୍ତି କି ?
ହଁ, ଦେଇଛନ୍ତି, ଆଜ୍ଞା, କହିଛନ୍ତି ମୋ ପୁଅକୁ କହିବୁ ଗୋଟିଏ ଭଲ ବାରିକ ଓ ଜଣେ ପଣ୍ଡିତଙ୍କୁ ଶୀଘ୍ର ପଠାଇ ଦେବ |
ଦେଖୁ ନାହାନ୍ତି ମୋ ଅବସ୍ଥାରୁ ଆଜ୍ଞା, ଦିନ କେଇଟାରେ ଦାଢି କିପରି ଭାଲୁ ଭଳି ବଢ଼ି ଗଲାଣି | ଆଉ ଆପଣଙ୍କ ବାପାଙ୍କର ତ ମୁଣ୍ଡ କେଶ ଗୁଡ଼ାକ ତଳେ ଲୋଟୁଛି | ଦାଢ଼ି ମଧ୍ୟ ସେହିପରି ପାଦକୁ ପଡ଼ିଲାଣି | ଆଉ ପୂଜାପୂଜି ପାଇଁ ଜଣେ ଭଲ ବ୍ରାହ୍ମଣ ଓ କ୍ଷିଅର କରିବା ପାଇଁ ଜଣେ ବାରିକ ପଠାଇବାକୁ କହିଛନ୍ତି | ସେ ମୋତେ ସୁଦ୍ଧା ନାଁ ବତାଇ ଦେଇଛନ୍ତି |
ହଉ ହଉ ଭଲକଥା, ତେବେ କୁହ ବୀରବଲ ବାବା କାହାକୁ ପଠାଇବାକୁ ଆଦେଶ ଦେଇଛନ୍ତି | ବୀରବଲଙ୍କର ଯେଉଁ ଦୁଇଜଣ ଶତ୍ରୁ ସେ ତାଙ୍କରି ନାମକୁ ଯୋଡ଼ି କହିଲେ |
ଆଜ୍ଞା, ବାବା କହିଛନ୍ତି ଆପଣଙ୍କୁ ଯେଉଁ ନାରଣ ବାରିକ କ୍ଷିଅର କରେ ସେଇ, ଯିବ, ଆଉ ଆମ ସଭା ପଣ୍ଡିତ ତାଙ୍କ ସଙ୍ଗରେ ଯିବେ |
ଏକଥା ଶୁଣିଲାମାତ୍ରେ ନାରଣ ଏବଂ ପଣ୍ଡିତଙ୍କର ଜ୍ଞାନ ଉଡ଼ିଯିବାରେ ଲାଗିଲା | ବାଦସାହା କୌଣସି କଥା କାନକୁ ନ ନେଇ ସେଇ ଦୁଇ ଜଣଙ୍କୁ ପଠାଇବାର ଆଦେଶ ଦେଇଦେଲେ |
ବୀରବଲକୁ ଯେଉଁପରି ଭାବରେ ସେମାନେ ପୋଡିଥିଲେ ବୀରବଲ ତାଙ୍କୁ ନେଇ ଠିକ୍ ସେହି ଭାବରେ ଜୂଇରେ ବସାଇ ଜୀବନ୍ତ ଦଗ୍ଧ କରିଦେଲା | ଚାହୁଁ ଚାହୁଁ କ୍ଷଣକ ମଧ୍ୟରେ ବାରିକ ଓ ପଣ୍ଡିତ ଦୁଇଜଣ ପୋଡ଼ି ପାଉଁଶ ହୋଇଗଲା |
ସେତିକିବେଳେ ବୀରବଲ କହିଲେ ଯେସାକୁ ତେଷା, ହାରାମ୍ ଜାଦାକୁ ଟାଙ୍ଗିଆ ପଶା |

ଶତ୍ରୁମାନଙ୍କ ମୁଖରେ କାଳି ବୋଳିବା

ଥରେ ଫରାସୀ ଦେଶର ରାଜା ବୀରବଲଙ୍କର ବୃଦ୍ଧିମତ୍ତାର ଖବର ପାଇ ଆକବର ବାଦସାହାଙ୍କ ନିକଟକୁ ପତ୍ର ପ୍ରେରଣ କରି ଏକମାସ ସକାସେ ତାଙ୍କୁ ପଠାଇବା ପାଇଁ ଅନୁମତି ମାଗିଲେ | ସେ ହେଉଛନ୍ତି ବାଦସାହାଙ୍କର ଜଣେ ପରମ ବନ୍ଧୁ, ତାଙ୍କର ପତ୍ର ପାଠକରୁ ବାଦସାହା ଅତ୍ୟନ୍ତ ପ୍ରୀତ ହୋଇ ବୀରବଲଙ୍କୁ ପଠାଇ ଦେବେ ବୋଲି ପ୍ରତିଶ୍ରୁତି ଦେଲେ |
ତାପରେ କିଛିଦିନ ଅନ୍ତେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ବୀରବଲଙ୍କୁ ଫରାସୀ ଦେଖକୁ ପଠାଇ ଦେଲେ | ବୀରବଲ ଯାଇ ଯେମିତି ତାଙ୍କ ରାଜଧାନୀରେ ପହଞ୍ଚିଗଲେ, ଫରାସୀ ରାଜା ଖବର ପାଇ ତାଙ୍କୁ ପାଛୋଟି ନେବା ସାକଶେ କେତେ ଗୁଡ଼ିଏ ସୁସଜ୍ଜିତ ହାତୀ ପଠାଇ ଦେଇ ପ୍ରଥମେ ବୀରବଳଙ୍କର ବୁଦ୍ଧି ପରୀକ୍ଷା କରିବା ମନସ୍ଥ କରି ତାଙ୍କ ରାଜ୍ୟରୁ ଠିକ୍ ତାଙ୍କରି ଚେହେରା ଥିବା ଭଳି ଗୁଡ଼ାଏ ଲୋକ ବାଛିଆଣି, ଅବିକଳ ତାଙ୍କରି ପରି ରାଜପୋଷାକ ସମସ୍ତଙ୍କୁ ପିନ୍ଧାଇ ଦେଇ, ଚଉପାଶରେ ସମସ୍ତଙ୍କୁ ବେଷ୍ଟନି କରି ନିଜେ ଫରାସୀ ରାଜା ମଝିରେ ବସି ରହିଲେ | ସମସ୍ତଙ୍କ ମୁଖ ଗୋଟିଏ ଆଡ଼କୁ ହୋଇଯାଏ | ତାଙ୍କର ଉଦ୍ଦେଶ୍ୟ ବୀରବଲ ଏତେ ଲୋକଙ୍କ ମଧ୍ୟରେ ତାଙ୍କୁ ଚିହ୍ନି ପାରିବେ କି ନାହିଁ | ଏହା ହେଉଛି ପ୍ରଥମ ପରୀକ୍ଷା |
ଏଣେ ବୀରବଲଙ୍କୁ ଅଭ୍ୟର୍ଥନା କରି ଲୋକମାନେ ଯେତେବେଳେ ନେଇ ଫରାସୀ ରାଜ ଦରବାରରେ ପହଞ୍ଚାଇ ଦେଲେ, ସେ ପ୍ରଥମେ ସଭାକୁ ଅନାଇ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ | ସେ ଦେଖିଲେ ଫରାସୀ ରାଜାଙ୍କ ପରି ଅବିକଳ ପଚାଶ ଜଣ ରାଜା ଧାଡ଼ି ହୋଇ ବସି ରହିଛନ୍ତି | ସମସ୍ତଙ୍କର ଏକ ପ୍ରକାର ପୋଷାକ, ସମସ୍ତଙ୍କର ଗୋଟିଏ ପ୍ରକାର ଚେହେରା | କୌଣସି ଗୁଣରେ ଜଣକୁ ସୁଦ୍ଧା ବାରିହେବ ନାହିଁ |
ଏପରି ଲକ୍ଷ୍ୟ କରି ବୀରବଲ ତିଳେମାତ୍ର ବିଚଳିତ ନ ହୋଇ, ମନେ ମନେ ଭାବିବାକୁ ଲାଗିଲେ, ମୋତେ ପ୍ରଥମରୁ ପରୀକ୍ଷା କରିବା ସକାସେ ଫରାସୀ ଏପରି ଅଭିନୟ କରିଛନ୍ତି, ଯାଦ୍ବାରାକି ମୁଁ ତାଙ୍କୁ ଚିହ୍ନି ପାରି ଅପଦସ୍ତ ହେବି |
ଏହିପରି ପାଞ୍ଚି ସେ ଧୀରେ ଧୀରେ ଯାଇ ଅସଲି ଫରାସୀ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କରିଲେ ଏ ଅଧୀନର ଯଥାବିଧି ମାନ୍ୟ ଗ୍ରହଣ କରନ୍ତୁ |
ବୀରବଲ ଠିକ୍ ଫରାସୀ ରାଜାଙ୍କୁ ଚିହ୍ନି ପାରି ଥିବାର ଦେଖି ସେ ମନେ ମନେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ | ତାପର ନିଜ ଆସନରୁ ଅତ୍ୟନ୍ତ ଆନନ୍ଦିତ ହୋଇ, ବୀରବଲଙ୍କୁ କୋଳ କରି ପକାଇ ହସି ହସି ପଚାରିଲେ, ଆଚ୍ଛା ବୀରବଲ ସତ କହିଲ ଦେଖି, ଏତେ ଲୋକଙ୍କ ମଧ୍ୟରେ ତୁମେ କିପରି ମୋତେ ଚିହ୍ନି ପାରିଲ | ତେବେ ବେଶଭୁଷାରେ କିଛି ତାରତମ୍ୟ ଥିଲା ନା କଣ ?
ନାଇଁ ଆଜ୍ଞା, ସେଥିରେ କୌଣସି ଗୋଳମାଳ ନ ଥିଲା କେବଳ ଆପଣଙ୍କ ମହତ୍ବ ଗୁଣରୁ ମୁଁ ଆପଣଙ୍କୁ ଚିହ୍ନିବାକୁ ସମର୍ଥ ହେଲି | କାରଣ ଅନ୍ୟ ଯେତେଜଣ ଆପଣଙ୍କ ଚାରି ପାଖରେ ବସିଥିଲେ ସେମାନେ ସମସ୍ତେ ଆପଣଙ୍କୁ ଏକ ଲୟରେ ଅନାଇଁ ଥିଲେ | ଅର୍ଥାତ୍ ତାଙ୍କ ସମସ୍ତଙ୍କ ଦୃଷ୍ଚି ଆପଣଙ୍କ ଉପରେ ନିବଦ୍ଧ ଥିଲା | କିନ୍ତୁ ଆପଣ କାହାକୁ ନ ଅନାଇ ସ୍ବଭାବ ଓ ସୁଲଭ ଭଙ୍ଗିରେ ସଭାକୁ ଅନାଇ ଥିଲେ | ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଆପଣଙ୍କ ଦୃଷ୍ଟି ସମାନ ଭାବରେ ନିବଦ୍ଧ ଥିଲା | ଆଉ ମଧ୍ୟ ଆପଣଙ୍କ ଶିରରେ ଯେଉଁ ରତ୍ନ କିରିଟୀ ପିନ୍ଧିଛନ୍ତି ସେଇଟି ହେଉଛି ଅସଲି ନବରତ୍ନରେ ପରିପୂର୍ଣ୍ଣ | ଆଉ ଅନ୍ୟମାନଙ୍କ ଶିରରେ ଯେଉଁ କିରିଟୀ ଗୁଡ଼ିକ ଶୋଭା ପାଉଛି ସେଗୁଡ଼ିକ ହେଉଛି ନକଲି | ତେଣୁ ମୋତେ ଆଉ ଚିହ୍ନିବାକୁ ବାକି ରହନ୍ତା କିପରି ?
ପ୍ରଥମରୁ ବୀରବଲଙ୍କର ବୁଦ୍ଧିମତ୍ତାର ପରିଚୟ ପାଇ ସଭାସଦ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ | ତାପରେ ବୀରବଲଙ୍କୁ ଯଥାଯୋଗ୍ୟ ଆସନ ଦେଇ ଫରାସୀ ରାଜା ତାଙ୍କ ସିଂହାସନ ନିକଟରେ ବସାଇବାର ବ୍ୟବସ୍ଥା କଲେ |
ଏହିପରି ଭାବରେ କିଛିଦିନ ଗତ ହୋଇଗଲା | ସାରା ରାଜ୍ୟ ଯାକ ବୀରବଲଙ୍କ ଗୁଣରେ ମୁଗ୍ଧ ହୋଇ ଭୁରି ପ୍ରଶଂସା କରିବାରେ ଲାଗିଥାନ୍ତି | ନିଜେ ରାଜା ମଧ୍ୟ ବୀରବଲଙ୍କୁ ସଙ୍ଗରେ ନେଇ, ତାଙ୍କ ରାଜ୍ୟରେ ବିଶିଷ୍ଟ ବିଶିଷ୍ଟ ସ୍ଥାନମାନ ଓ ପ୍ରଜାମାନଙ୍କୁ ଦେଖାଉଥାନ୍ତି | ତାଙ୍କ ଆଗମନରେ ଏତେ ଭିଡ଼ ହୁଏ ଯେ ରାଜ୍ୟର ରକ୍ଷକମାନେ ସୁଦ୍ଧା ସମ୍ଭାଳିବାକୁ ଅସମର୍ଥ ହୋଇ ପଡ଼ନ୍ତି | ଏହା ଦେଖି ବୀରବଲଙ୍କ ମନ ମଧ୍ୟ ଆନନ୍ଦରେ ଉଦ୍ବେଳିତ ହେଉଥାଏ |
ଚାହୁଁ ଚାହୁଁ ଆସି ପଚିଶ ଦିନ ହୋଇଗଲା, ଆଉ ମାତ୍ର ଦିନ ପାଞ୍ଚଟାରେ ବୀରବଲଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିବ | ସେତିକିବେଳେ ଫରାସୀ ରାଜା ବୀରବଲଙ୍କୁ ସଭାରେ ଗୋଟିଏ ପ୍ରଶ୍ନ କଲେ |
ଆଚ୍ଛା ତେୱାନ, ତୁମେତ ଅନେକ ରାଜ୍ୟ ଭ୍ରମଣ କରିଛ, ଅନେକ ବଡ଼ ବଡ଼ ରାଜା ବାଦସାହା ମାନଙ୍କୁ ମଧ୍ୟ ନିଜ ଆଖିରେ ତେଖିଛ, ହେଲେ ଆମପରି ନ୍ୟାୟବାନ, ଧନବାନ୍, ପ୍ରଜା ବତ୍ସଳ, ସୁବୀର ଓ ଉଦାର ହୃଦୟ ଅନ୍ୟ କାହାକୁ ଦେଖିଛକି ?
ବୀରବଲ ତତକ୍ଷଣାତ୍ ଉତ୍ତର ଦେଇ କହିଲେ, ମହାରାଜ, ଆପଣ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସଦୃଶ, ଆପଣଙ୍କ ତେଜରେ ସାରା ରାଜ୍ୟଟା ଯାକ ଆଲୋକିତ ହୋଇଛି | ଅନ୍ୟମାନେ କିପରି ବା ଏତେବଡ଼ ସୌଭାଗ୍ୟର ଅଧିକାରୀ ହେବେ | ଯେହେତୁ ଆପଣ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର | ସେମାନେ ହେଉଛନ୍ତି ତାରକା ସଦୃଶ |
ନିଜର ପ୍ରତିଷ୍ଠା ଓ ପ୍ରଶଂସା ଶୁଣି ଫରାସୀ ରାଜା ବୀରବଲଙ୍କ ଉପରେ ଅତିଶୟ ଆନନ୍ଦିତ ହୋଇ ନିଜ ଗଳାରେ ପିନ୍ଧିଥିବା ବହୁମୂଲ୍ୟ ମୁକ୍ତା ହାରଟିକୁ ଫିଟାଇ ବୀରବଲଙ୍କ ଗଳାରେ ଲମ୍ବାଇ ଦେଲେ |
ତାପରେ ପୁଣି ବୀରବଲଙ୍କୁ କହିଲେ, ଆଚ୍ଛା ତୁମେତ ସବୁ ରାଜାଙ୍କ କଥା କହିଲ, କିନ୍ତୁ ସମ୍ରାଟ ଆକବରଙ୍କ କଥାତ ଏ ପର୍ଯ୍ୟନ୍ତ ବତାଇ ନାହଁ | ଆମ୍ଭ ତୁଳନାରେ ସେ କଣ ଅଟନ୍ତି |
ବୀରବଲ ଶିଖିଥିଲା ପରି ଫରାସୀ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁହୂର୍ତ୍ତେ ମାତ୍ର ଅପେକ୍ଷା ନ କରି କହିଲେ ମହାରାଜ, ତାଙ୍କ କଥାତ ଅଲଗା | ଅନ୍ୟ ମାନଙ୍କୁ ତାଙ୍କ ସଙ୍ଗରେ ତୁଳନା କରାଯାଇ ନ ପାରେ | ଅନ୍ୟମାନାଙ୍କ ସମ୍ମୁଖରେ ସେ ହେଉଛନ୍ତି ଦ୍ବିତୀୟା ଚନ୍ଦ୍ର |
ଏଥିରେ ଫରାସୀ ରାଜା ଆହୁରୀ ଖୁସି ହୋଇ ଯାଇ ଅନେକ ଧନରତ୍ନ ସହ ଆଡ଼ମ୍ବର ସହକାରେ ବୀରବଲଙ୍କୁ ଦିଲ୍ଲୀ ପଠାଇ ଦେଲେ |
ଆକବରଙ୍କ ଗୁପ୍ତଚର ମଧ୍ୟ ଫରାସୀ ରାଜ ସଭାରେ ରହି ଏକଥା ଶୁଣି ଥିଲା | ବୀରବଲ ନ ଫେରିବା ପୂର୍ବରୁ ସେ ସମସ୍ତ ବିଷୟ ବାଦସାହାଙ୍କ ନିକଟକୁ ଜଣାଇ ଦେଇଥିଲା |
ବୀରବଲ ପହଞ୍ଚି ଦେଖିଲେ ଯେ ସାରା ରାଜ୍ୟ ଖାଲି ଦଲ ଦଲ ହୋଇ ପଡୁଛି ଉଠୁଛି | ଯେଉଁ ସଭାସ୍ଥିତ ପଣ୍ଡିତମାନେ ବୀରବଲଙ୍କ ଚିର ଶତ୍ରୁ, ସେମାନେ ଏତିକି ବେଳେ ସୁଯୋଗ ଉଣ୍ଡି ତିଳକୁ ତାଳ ପରି ବାଦସାହାଙ୍କୁ ମତେଇବାରେ ଲାଗିଛନ୍ତି | କିପରି ସେ ବୀରବଲକୁ ଅପମାନ ଦେଇ ରାଜ୍ୟରୁ ବିତାଡ଼ିତ କରାଇବେ, ଏଇ ଯୋଗାଡ଼ରେ ଦିନରାତି ଲାଗିଥାନ୍ତି |
ଯେତେବେଳେ ବୀରବଲ ସଭାରେ ଉପସ୍ଥିତ ହୋଇ ବାଦସାହାଙ୍କୁ ପ୍ରଣାମ ଜଣାଇଲେ, ସେହି ଅବସରରେ ବୀରବଲଙ୍କର ପ୍ରଧାନ ବିରୋଧି ଦୁଇଜଣ ଠିଆହୋଇ ଯାଇ ଉଚ୍ଚ ସ୍ବରରେ କହିଲେ ଜାହାଁପନା, ଆମ ଦେଶରୁ ବୀରବଲ ଫରାସୀ ଯାଇ ସାଠାରେ ଏ ଦେଶର ସମ୍ରାଟଙ୍କ ଗୌରବରେ ଯେଉଁ କଳଙ୍କ କାଳିମା ବୋଳି ଦେଇଛନ୍ତି ତାହା ଭାଷାରେ କହିବାକୁ ଲଜ୍ଜା ଲାଗୁଛି | ଯେଉଁ ଆକବରଙ୍କର ଅଧୀନରେ ସାରା ପୃଥିବୀଟାଯାକର ରାଜାମାନେ ରହିଛନ୍ତି, ଫରାସୀ ଦେଶର ରାଜା ସେମାନଙ୍କ ଠାରୁ ବାହାର ନୁହନ୍ତି | ଅର୍ଥାତ୍ ସେ ମଧ୍ୟ ଆମ ବାଦସାହାଙ୍କ ଅଧୀନରେ ଏପରିସ୍ଥଳେ ବାଦସାହାଙ୍କର ପରମ ବିଶ୍ବସ୍ତ ବୋଲାଉଥିବା ବୀରବଲ ଯାଇଁ ଅଧୀନସ୍ଥ ରାଜାଙ୍କୁ ପୂର୍ଣ୍ଣମୀ ଜହ୍ନ ସଙ୍ଗରେ ସମାନ କରିବା ସ୍ଥଳେ ସେଇ ରାଜାଙ୍କର ପ୍ରଭୁଙ୍କୁ ଦ୍ବିତୀୟା ଚନ୍ଦ୍ର ବିବେଚନା କଲେ କିପରି | ଏହାର ପ୍ରମାଣ ସେ ତୁରନ୍ତ ଏ ସଭାରେ ଦାଖଲ କରନ୍ତୁ | ନୋହିଲେ ଏ ଅପରାଧରେ ଉଚିତ ବିଚାର ଭାର ସ୍ବୟଂ ବାଦସାହା ବହନ କରିବେ ବୋଲି ଏ ସଭା ଆଶା କରୁଛି |
ବାଦସାହା ଅତ୍ୟନ୍ତ କ୍ରୋଧ ହୋଇ ବୀରବଲଙ୍କୁ ଏହାର କାରଣ ପଚାରିବାରୁ ସେ ଦୁଇ କରଯୋଡ଼ି ଅତ୍ୟନ୍ତ ବିନୟ ଭାବରେ କହିଲେ ଜାହାଁପହ୍ନା, ଗୁପ୍ତଚର ଏଠି ଯାହା ଜଣାଇଛି ତା ନିରାଟ ସତ୍ୟ | ମୁଁ ଫରାସୀ ରାଜାଙ୍କୁ ପୂର୍ଣ୍ଣମୀ ଚାନ୍ଦ ଓ ଆପଣଙ୍କୁ ଦ୍ବିତୀୟା ଚାନ୍ଦ ବୋଲି ବିଦିତ କରିଛି | ଏହାଦ୍ବାରା କିଏ ବଡ଼ କିଏ ଛୋଟ ତାହା ନିଜେ ବାଦସାହା ବିଚାରକୁ ଆଣନ୍ତୁ |
ପୂର୍ଣ୍ଣମୀ ଜହ୍ନଠାରୁ ଦ୍ବିତୀୟା ଜହ୍ନକୁ ସମସ୍ତେ ଅଧିକ ସମ୍ମାନ କରନ୍ତି | କି ହିନ୍ଦୁ କି ମୁସଲମାନ ସମସ୍ତେ ମାନନ୍ତି ଦ୍ବିତୀୟା ଜହ୍ନକୁ | କବିମାନେ ଦ୍ବିତୀୟା ଜାମିନୀକୁ ଭୁରି ଭୁରି ପ୍ରଶଂସା କରି କବିମାନେ ଲେଖିଛନ୍ତି, ଅର୍ଦ୍ଧଚନ୍ଦ୍ର ହେଉଛି ଦ୍ବିତୀୟା ଜହ୍ନ | ଦେଖିବାକୁ ଯେପରି ସୁନ୍ଦର ଗୁଣ ମଧ୍ୟ ତଦ୍ରୂପ | ତା ସଙ୍ଗରେ ପୂର୍ଣ୍ଣମୀ ଜହ୍ନ କଦାପି ସମାନ ହୋଇ ନ ପାରେ |
ଆଉ ମଧ୍ୟ ପୂର୍ଣ୍ଣମୀ ଜହ୍ନ ଠାରୁ ଜହ୍ନ ଆଉ ବଢ଼େ ନାହିଁ | ବଢ଼ି ବଢ଼ି ତାର ଶେଷ ସେଇଠି | ତେଣିକି ଛିଡ଼ିଯାଏ | କିନ୍ତୁ ଦ୍ବିତୀୟା ଜହ୍ନ ପଢ଼ିବାରେ ଲାଗେ | ଆମ ବାଦସାହାଙ୍କର ଉନ୍ନତି ସମୟ, ଫରାସୀ ରାଜାଙ୍କର ଛିଡ଼ିବା ସମୟ | ତାହେଲେ ମୋର କେଉଁଠି ଭୁଲ ରହିଲା କୁହନ୍ତୁ |
ଏହାକହି ବୀରବଲ ଚୁପ୍ ହୋଇ ଛିଡ଼ା ହୋଇ ରହିଲେ | ସଭାରେ ଯେଉଁମାନେ ହାଲହୋଳ ପକାଉଥିଲେ ସେମାନେ କୌଣସି ଉତ୍ତର ନ ଦେଇ ଯୋକ ମୁହଁରେ ଲୁଣ ଦେଲା ପରି ନିରବରେ ବସି ରହିଲେ |
ସମ୍ରାଟ ଆକବର ବୀରବଲଙ୍କ ପ୍ରକୃତ ଉତ୍ତରରେ ଅତିଶୟ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶାତୀତ ପୁରସ୍କାର ଦେଇ ଘରକୁ ବିଦାୟ କଲେ | ଏକଥା ଦେଖି ଅନ୍ୟମାନେ ଈର୍ଷାରେ ଜଳିବାକୁ ଲାଗିଲେ | କଥାରେ ଅଛି |
ବୁଦ୍ଧିମାନ ବ୍ୟକ୍ତି ସଂସାର ସାର
ଫଟା କଳସକୁ କରଇ ଦର |
ଦେଶ କାଳ ପାତ୍ରେ ନଜର ଦେଇ
ଆଗ ପଛ ଭାବି କାର୍ଯ୍ୟ କରଇ |
ନିମିଷକ ମଧ୍ୟେ ଶତ୍ରୁମାନଙ୍କୁ
କୋଳ କରି ଡାକି ନିଏ ପାଶକୁ |
ସେହିପରି ବୀରବଲ ସଙ୍ଗରେ
ତର୍କକରି ଥୋକେ ସଭା ମଧ୍ୟରେ |
ହାରି ଯାଇ ମନେ ଲଜ୍ଜିତ ହୋଇ
କଚ୍ଛପ ପରାୟ ମୁଖ ଲୁଚାଇ |
ବସିଲେ ସଭାରେ ବିରସ ମନେ
ହର୍ଷେ ବୀରବଲ ଗଲେ ସଦନେ |
ଅନନ୍ତଙ୍କ ଦୟା ଅଛି ଯା ପ୍ରତି
କି କରି ପାରିବେ ତାର ଅରାତି |

ମୂତ୍ୟୁ ମୁଖରୁ ପୁରସ୍କାର

ଦିନେ ବଡି ସକାଳୁ ବାଦସାହାଙ୍କର କୌଣସି ଜରୁରୀକାର୍ଯ୍ୟ ଥିବାରୁ ସେ ଚାକର ଦ୍ବାରା ବୀରବଲଙ୍କୁ ଡକାଇ ପଠାଇଲେ | ବୀରବଲ ଖବର ପାଇଲା ମାତ୍ରେ ଶଯ୍ୟା ତ୍ୟାଗକରି ବାଦସାହାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ |
ସେଦିନ ଏପରି କାର୍ଯ୍ୟ ପଡ଼ିଲା ଯଦ୍ବାରା ବାଦସାହା ଯଥା ସମୟରେ ସ୍ନାନ ଭୋଜନ ମଧ୍ୟ କରି ପାରିଲେ ନାହିଁ | ଅନେକ ଉଛୁର ପରେ ଗାଧୋଇ ଭୋଜନ ପାଖରେ ବସିଲା ବେଳକୁ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଲା | ସେ ଭୋଜନ ପାଖରୁ ଉଠିଯାଇ ଅତ୍ୟନ୍ତ ବ୍ୟସ୍ତ ହେବାରେ ଲାଗିଲେ |
ଏକଥା ଦେଖି ଲୋକେ ସାଥେ ସାଥେ ଯାଇ ବୈଦ୍ୟଙ୍କୁ ଡକାଇ ଆଣିଲେ | ବୈଦ୍ୟ ଔଷଧ ଦେଇ ବାଦସାହାଙ୍କୁ କହିଗଲେ ଆପଣ ସାରାଦିନ ଖାଲିପେଟରେ ରହିବେ | ଜଳ ସୁଦ୍ଧା ସ୍ପର୍ଶ କରିବେ ନାହିଁ | ତା ନକଲେ ଏ ବେମାରୀ ଅତ୍ୟଧିକ ବଢ଼ିଯାଇ ପାରେ |
ତାଙ୍କରି କଥା ମୁତାବକ ବାଦସାହା ସାରାଦିନ ସାରାରାତି ନିର୍ଜଳା ଉପବାସରେ କଟାଇଲେ | ତାମ୍ବୁଳ ପର୍ଯ୍ୟନ୍ତ ସୁଦ୍ଧା ଖାଇ ପାରିଲେ ନାହିଁ | ତହିଁଆରଦିନ ସକାଳୁ ଯେମିତି ଭଲହୋଇ ଗଲେ ସେ ଉଠି ଦୈନନ୍ଦିନ କାର୍ଯ୍ୟ ଶେଷକରି ସଭାରେ ଉପସ୍ଥିତ ହେଲେ |
କିନ୍ତୁ ପରଦିନ କଥାକୁ ସମ୍ରାଟ ଅହରହ ଚିନ୍ତାକରିବାରେ ଲାଗିଲେ | ସେ ଭାବିଲେ କାଲି ମୁଁ ଭୋରୁ ଉଠି ବୀରବଲ ମୁହଁ ଚାହିଁବାରୁ ଏପରି ହରକତ ହେବାକୁ ପଡ଼ିଲା | ଯଦ୍ବରା ସାରାଦିନ ସାରାରାତି ଉପବାସରେ କଟାଇବାକୁ ପଡ଼ିଲା | ଏହା ବୀରବଲଙ୍କ ମୁଖ ଦେଖିବାର ଫଳ | କିନ୍ତୁ ଏଭଳି ଅଲକ୍ଷଣା ଲୋକକୁ ରାଜ୍ୟରେ ରଖିବା ମହାପାପ | ମୁଁ ତ ନିଜେ ଶାସକ ହୋଇ ଏତେ ଦଣ୍ଡ ଭୋଗିଲି | ଯଦି ଜଣେ ଗରିବ ପ୍ରଜା ଦେଖେ ସେ ବା କେତେ ହରକତ ନ ହେବ |
ଏ ଭଳି ଅମଙ୍ଗଳ ବ୍ୟକ୍ତିକୁ ରାଜ୍ୟରେ ନ ରଖି ତୁରନ୍ତ ଶେଷ କରିଦେବା ଉଚିତ | ଏହିପରି ଭାବି ସେ ରାଜ୍ୟସାରା ଘୋଷଣା କରି ଦେଲେ ଯେ ବୀରବଲ ଜଣେ ଅମଙ୍ଗଳ ବ୍ୟକ୍ତି | ତାର ମୁଖ ଚାହିଁବାରୁ ଆମକୁ ଏତେ ଦଣ୍ଡ ଭୋଗିବାକୁ ବଡ଼ିଲା | ସେ ରହିଲେ ପ୍ରଜାମାନଙ୍କର ଭବିଷ୍ୟତରେ ବହୁତ କ୍ଷତି ହେବ | ସେ ଯେଗେ ତାଙ୍କୁ ପ୍ରକାଶ୍ୟ ରାଜପଥରେ ସର୍ବସାଧାରଣଙ୍କ ସମ୍ମୁଖରେ ଫାଶି ଦେବାକୁ ହେବ | ଏହା କହି ସେ ଉପଯୁକ୍ତ ଦିନ ମଧ୍ୟ ସ୍ଥିରକରି ଘୋଷଣା କରି ଦେଲେ |
ଘଡ଼ିକ ମଧ୍ୟରେ ସାରା ରାଜ୍ୟରେ ଏ ଖବର ବିଜୁଳି ବେଗରେ ଖେଳିଗଲା | ସମସ୍ତେ ଶୁଣି ହାଏ ହାଏ କରିବାରେ ଲାଗିଲେ | ବୀରବଲ ଏପରି ନ୍ୟାୟ ପରାୟଣ ବ୍ୟକ୍ତି ଯେ ତାଙ୍କୁ ପ୍ରତ୍ୟେକ ବ୍ୟକ୍ତି କି ହିନ୍ଦୁ କି ମୁସଲମାନ ସମସ୍ତେ ସ୍ନେହ କରନ୍ତି | ତାଙ୍କରି ଫାଶି ପାଇବା କଥା ଶୁଣିଲା ମାତ୍ରେ କାମ ଧନ୍ଦା ଛଡିଦେଇ ସମସ୍ତେ ଆସି ଦରବାରରେ ରୁଣ୍ଡ ହେବାରେ ଲାଗିଲେ | ଏତେ ଭିଡ ହେଲା ଯେ ପିମ୍ପୁଡ଼ି ଯିବାକୁ ସୁଦ୍ଧା ରାହା ରହିଲାନାହିଁ |
ସେମାନେ ସମସ୍ତେ ଉଚ୍ଚ ସ୍ବରରେ କହୁଥାନ୍ତି, ବୀରବଲଙ୍କୁ ମୁକ୍ତି ଦିଆଯାଉ | ତାଙ୍କର ଦୋଷ କଣ ଯେ ଏତେବଡ଼ ଦଣ୍ଡରେ ଦଣ୍ଡିତ କରା ଯାଉଛି | ଆଉ କଣ ଅନ୍ୟ ଦଣ୍ଡ ନାହିଁ | ଏକଥା ନିଜେ ସମ୍ରାଟ ଆମ ଆଗରେ କୁହନ୍ତୁ | ନୋହିଲେ ସମସ୍ତେ ଏ ଦରବାର ଆଗରେ ଅନଶ୍ବନ କରିବାକୁ ବାଧ୍ୟ ହେବୁ |
ଏକଥା ଶୁଣି ନିଜେ ବାଦସାହା ଗୋଟିଏ ଉଚ୍ଚା ମଞ୍ଚ ଉପରକୁ ଉଠି କହିଲେ, ଶୁଣନ୍ତୁ ପ୍ରଜା ମଣ୍ଡଳୀ | ମୁଁ ବୀରବଲଙ୍କୁ ଆଜି ଫାଶି ଦେଉଛି ତୁମରିମାନଙ୍କ ମଙ୍ଗଳ ନିମନ୍ତେ, କାରଣ ଗତକାଲି ବଡ଼ି ସକାଳୁ ମୁଁ ବିଛଣାରୁ ଉଠି ତାଙ୍କ ମୁହଁ ଚାହିଁବା ଦ୍ବାରା ସାରାଦିନ ଉପବାସ ରହିବା ସଙ୍ଗେ ସଙ୍ଗେ ଭୀଷଣ ଯନ୍ତ୍ରଣା ମଧ୍ୟ ଭୋଗକଲି | ତେଣୁ ସ୍ଥିର କରିଛି ଏପରି ଅମଙ୍ଗଳିଆ ଲୋକ ରାଜ୍ୟରେ ରଖିବା ମହାକ୍ଷତି | ସେଇଥି ଲାଗି ମୁଁ  ଏ ଦଣ୍ଡ ଦେଇଅଛି |
ପ୍ରଜାମାନେ ଯେତେ ପ୍ରକାର ଅନୁରୋଧ କଲେ ବାଦସାହା ଆଦୌ କାହାକଥା କାନରେ ଶୁଣିଲେ ନାହିଁ | ତାଙ୍କରି ଗୋଟିଏ କଥା, ଆଦେଶ କେବେ ପ୍ରତ୍ୟାହାର କରାଯାଇ ନପାରେ |
ଏତିକି ବେଳେ ବୀରବଲଙ୍କୁ ଫାଶିଖୁଣ୍ଟ ପାଖକୁ ଅଣା ହେଲା | ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ ମଡ଼ା ଚକଡ଼ା ହୋଇଗଲା | ସମସ୍ତେ ଲୋତକ ପୂର୍ଣ୍ଣ ଚକ୍ଷୁରେ ତାଙ୍କର ପ୍ରିୟ ଦେଓ୍ୟାନଙ୍କ ଆଡ଼କୁ ବ୍ୟାକୁଳ ହୋଇ ଅନାଇବାରେ ଲାଗିଥାନ୍ତି |
ଏଣେ ଫାଶି ପାଇବାର ସମୟ ମାତ୍ର ଅଧଘଣ୍ଟାଏ ବାକି ରହିଥାଏ | ସମୟ ଯେତେ ନିକଟ ହୋଇ ଆସୁଥାଏ ଲୋକଙ୍କର ସେତେ ଉତ୍କଣ୍ଠା ଜାତ ହେଉଥାଏ | ସମସ୍ତେ ଏକ ସ୍ବରରେ ଭଗବାନଙ୍କୁ ଡ଼ାକିବାରେ ଲାଗିଥାନ୍ତି | ହେ ପ୍ରଭୁ ତୁମେ ବୀରବଲଙ୍କ ପ୍ରାଣ ରକ୍ଷାକର |
ଏହି ସମୟରେ ସମ୍ରାଟ ତାଙ୍କୁ ପ୍ରଶ୍ନକଲେ ମୃତ୍ୟୁ ପୂର୍ବରୁ ତୁମ୍ଭର ଯଦି କିଛି ଅଭିଳାଷ ଥାଏ, ତାହେଲେ ଶୀଘ୍ର କୁହ ମୁଁ ତା ପୂରଣ କରିବାକୁ ପ୍ରସ୍ତୁତ ଅଛି | ବୀରବଲ କରଯୋଡ଼ି ବିନମ୍ର ଭାବରେ କହିଲେ, ମୋର ଅନ୍ୟ କିଛି ଲୋଡ଼ାନାହିଁ | କେବଳ ଏତିକି ଲୋଡ଼ା ଯେଉଁ ଭାଇମାନେ ମୋତେ ଦେଖିବାକୁ ଏତେ କଷ୍ଟ କରି ଆସିଛନ୍ତି ତାଙ୍କୁ ଦି,ପଦ ଶେଷବାଣୀ ଶୁଣାଇ ଫାଶିରେ ଛିଡ଼ାହେବି |
ଆକବର ବାଦସାହା କହିଲେ, ହଉ ମୁଁ ଆଦେଶ ଦେଲି ତୁମର କ,ଣ କହିବାର ଅଛି ମଞ୍ଚ ଉପରକୁ ଯାଇ ସେମାନଙ୍କୁ ଶୁଣାଇ ପାର |
ବୀରବଲ ମନରେ କୌଣସି ଶୋଚନା ନକରି ହସ ହସ ବଦନରେ ମଞ୍ଚ ଉପରକୁ ଯାଇଁ ସାଗର ସ୍ରୋତ ପରି ଲାଗି ରହିଥିବା ଜନତାବର୍ଗଙ୍କୁ ଚାହିଁ ଦୁଇହାତ ଯୋଡ଼ି ଉଚ୍ଚ କଣ୍ଠରେ କହିଲେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୁଁ ଏ ସଂସାରରୁ ବିଦାୟ ନେଇ ଚାଲି ଯାଉଛି | କେବେ ଯଦି ଏ ମାଟିରେ ଜନ୍ମ ଗ୍ରହଣ କରିବି ତାହା ସଠିକ କହି ପାରୁନାହିଁ | ଜୀବନରେ ମୁଁ ଦେଓ୍ୟାନ ଥିବା ଅବସ୍ଥାରେ ଆପଣମାନଙ୍କର ଅନେକ ପ୍ରକାର କ୍ଷତି କରିଛି | ଆପଣମାନେ ଏତେବେଳେ ସମସ୍ତ ଭୁଲିଯାଇ ମୋତେ କ୍ଷମା ଦେବେ ବୋଲି ଆଶା | ଯେପରି ମୃତ୍ୟୁ ପରେ ଆଉ ମୋତେ ଗାଳି ଗୁଲଜ ନ କରନ୍ତି |
ଏଇ କଥା କେତେ ପଦରେ ସମସ୍ତେ ଅତ୍ୟନ୍ତ ଶୋକାକୁଳ ହୋଇ ପଡ଼ିଲେ | ବାକ୍ୟ ବର୍ଯ୍ୟନ୍ତ କାହା ପାଟିରୁ ବାହାରିଲା ନାହିଁ | ସମସ୍ତେ ପିଲାଙ୍କ ଭଳିଆ ଭୋ ଭୋ ହୋଇ କାନ୍ଦିଉଠି କହିଲେ ନାଁ ନାଁ ଆପଣ ଆମମାନଙ୍କୁ ଛାଡି ଯାଆନ୍ତୁ ନାହିଁ | ପ୍ରଜାମାନଙ୍କର ବୀରବଲଙ୍କ ଉପରେ ଏତେ ସ୍ନେହ ଦେଖି ନିଜେ ବାଦସାହା ମଧ୍ୟ ନ କାନ୍ଦି ରହିପାରିଲେ ନାହିଁ | ତେବେ ଉପାୟ ନାହିଁ | ତାଙ୍କର ଆଦେଶ ଅଟଳ |
ବୀରବଲ ପୁଣି କରଯୋଡ଼ି କହିଲେ ଆଉ ଗୋଟିଏ କଥା ଟିକେ ଆପଣମାନେ ଶୁଣି ଯାଇଥାନ୍ତୁ | ମୁଁ ଯିବା ପରେ ବସି ବିଚାର କରିବେ | ଦେଖନ୍ତୁ ମୋ ମୁହଁ ସକାଳୁ ଚାହିଁବାରୁ ବାଦସାହାଙ୍କୁ ଦିନସାରା ଖାଇବାକୁ ମିଳିଲା ନାହିଁ ଓ ଦେହ ଖରାପ ହେଲା ଆଦି ଦୋଷ ଦେଉଛନ୍ତି, କିନ୍ତୁ ମୁଁ ସକାଳୁ ଉଠି ବାଦସାହାଙ୍କ ମୁହଁ ଚାହିଁବାରୁ ଆଜି ଫାଶିରେ ଚଢ଼ୁଛି | ମୋ ମୁହଁ ଏପରି ଅଲକ୍ଷଣା ଓ ତାଙ୍କ ମୁହଁ ଏପରି ସୁଲକ୍ଷଣଯୁକ୍ତ ଅଟେ | ଯାହାଦ୍ବାରା ସକାଳୁ ତାଙ୍କ ମୁହଁ ଚାହିଁ ଥିବାରୁ ଆଜି ମୋତେ ପ୍ରାଣଦଣ୍ଡ ପାଇବାକୁ ହେଉଛି | ଏଇ କଥାକୁ ସମସ୍ତେ ବିଚାର କରିବେ |
ଏକଥା ଶୁଣି ସଭାଲୋକମାନେ ତାଳିମାରି ହୋ ହୋ ହୋଇ ହସି ଉଠିଲେ | ବାଦସାହା ନିଜର ଭୁଲ ବୁଝିପାରି ବୀରବଲଙ୍କୁ କ୍ଷମା ଦେବା ସଙ୍ଗେ ସଙ୍ଗେ ତାଙ୍କୁ ଉପଯୁକ୍ତ ପୁରସ୍କାର ଦେଇ ପାଲିଙ୍କିରେ ବସାଇ ନିଜେ ନବରକୁ ପଠାଇ ଦେଲେ |
ଏହା ଦେଖି ସମସ୍ତେ ଆନନ୍ଦରେ କରତାଳି ଦେଇ ବୀରବଲଙ୍କ ବୁଦ୍ଧିକୁ ତାରିଫ କରିବାକୁ ଲାଗିଲେ |

ଥୋଡ଼ାଏ ବହୁତ

ଥରେ ବୀରବଲ ତାଙ୍କ ସାନ ଝିଅକୁ ସାଙ୍ଗରେ ଆଣି ଦରବାରକୁ ଆସିଛନ୍ତି | ଝିଅଟିର ବୟସ ଆଠ ନଅ ପର୍ଯ୍ୟନ୍ତ ହୋଇପାରେ | ସେ ସବୁଦିନ ଦରବାର ଦେଖିବାକୁ ବାପାଙ୍କ ସଙ୍ଗରେ ଯିଦ୍ କରିବାରୁ ବୀରବଲ ବାଧ୍ୟ ହୋଇ ସାଙ୍ଗରେ ଆଣିଥାନ୍ତି | ବାଦସାହା ଝିଅଟିକୁ ଦେଖି ଭାରି ଖୁସି ହୋଇ ହସି ହସି କହଲେ କିରେ ବେଟି | ତୋତେ କଥା କହି ଆସେ ? ଝିଅଟି ଅତ୍ୟନ୍ତ ନମ୍ରତା ପୂର୍ବସ ଉତ୍ତର ଦେଇ କହିଲା, ଥୋଡ଼ାଏ ବହୁତ କଥା କହି ଆସେ |
ବାଦସାହା କନ୍ୟାଟିର ଜବାବରେ ଖୁସି ହେବାର କଥା, ଶୁଣି ଖୁସି ମଧ୍ୟ ହେଲେ, ପରେ ବିସ୍ମୟ ପ୍ରକାଶ କରି କହିଲେ କି ଝିଅ, ଥୋଡ଼ାଏ ବହୁତ ଅର୍ଥ କଣ ? ମୋତେ ଟିକେ ବୁଝାଇ ଦେ |
ଏକଥା ଶୁଣି ସେ ଝିଅଟି ବାଦସାହାଙ୍କ ଆଡ଼କୁ ଥରେ ଚାହିଁ ଦେଇ ତଳକୁ ମୁହଁ ପୋତି ବସି ରହିଲା | କାରଣ ସେ ଝିଅ ତା କୋଳରେ ଗୋଟିଏ ସୁନ୍ଦର କଣ୍ଡେଇ ଧରି ଖେଳାଉଥାଏ |
ବାଦସାହା ଭାବିଲେ ଛୋଟ ପିଲାଟା ଭୟରେ ଉତ୍ତର ଦେଇ ପାରୁନାହିଁ | ତେଣୁ ସେ ବୀରବଲକୁ ଅନାଇଁ କହିଲେ, କିଓ ବୀରବଲ ତୁମେ ତ ଅନେକ ଥର ଏ ଝିଅଟିର ପ୍ରଶଂସା ଆମ ଆଗରେ ଗାଇଥିଲ | କହୁଥିଲ ମୋ ସାନଝିଅ ପରି ବୁଦ୍ଧିମତୀ ପିଲା ବୋଧେ ଏ ସଂସାରରେ ନଥିବେ | କାହିଁ, କାର୍ଯ୍ୟ କ୍ଷେତ୍ରରେ ତ ଆମେ ପଇସାଟାକର ବୁଦ୍ଧି ଦେଖିବାକୁ ପାଇଲୁ ନାହିଁ | ଏ ପର୍ଯ୍ୟନ୍ତ ସୁଦ୍ଧା ତାର ପାଟି ଭଲ ଭାବରେ ଫିଟି ନାହିଁ  | ତୁମ କହିବା କଥା ଗଲା କୁଆଡ଼େ | ଖାଲି ମାହାଳିଆ କଥା ଗୁଡ଼ିଏ ତୁମର, ସେଥିରେ କୌଣସି ମୂଲ୍ୟ ନାହିଁ |
ଏକଥା ଶୁଣି ବୀରବଲ ଭାବିଲେ ସମ୍ରାଟ ବୋଧହୁଏ ଝିଅଟିର ଇଙ୍ଗିତରୁ କିଛି ବୁଝି ପାରିଲେ ନାହିଁ | ନୋହିଲେ ଦ୍ବିତୀୟ ଥର ପାଇଁ ପଚାରି ନ ଥାନ୍ତେ | ତାପରେ ସେ ଦୁଇହାତ ଯୋଡ଼ି କହିଲେ ଜାହାଁପନ୍ନା ଆପଣଙ୍କ କଥାର ତ ଉତ୍ତର ମୋ ଝିଅ ସାଥେ ସାଥେ ଦେଇ ସାରିଛି, ଆଉ ଏପରି କହୁଛନ୍ତି କାହିଁକି ?
ବାଦସାହା କହିଲେ କେତେବେଳେ ଉତ୍ତର ଦେଲେ | ଆମେ କଣ କାଲ ହୋଇଛୁ ଯେ ତାର କଥା ଶୁଣିବାକୁ ପାଇଲୁ ନାହିଁ |
ବୀରବଲ କହିଲେ ଝିଅ ପ୍ରଥମରେ ଆପଣଙ୍କ ଅନାଇଁ ଥିଲା ତାପରେ ବେକ ନୁଆଁଇ ତଳକୁ ମୁହ ପୋତି ବସି ରହିଲା | ତାର ଅର୍ଥ ଏହି ଯେ ସେ ଆପଣଙ୍କୁ ଅନାି ଜଣାଇ ଦେଲା, ଆପଣ ହେଉଛନ୍ତି ବଡ଼ ବୁଦ୍ଧିମାନ ସମ୍ରାଟ, ଅର୍ଥାତ ଆପଣଙ୍କ ସଙ୍ଗରେ ଥୋଡ଼ାଏ କଥାବର୍ତ୍ତା କରିବି, ଆଉ ତଳକୁ ଅନାଇଁବାର ଅର୍ଥ ଯେଉଁ ଛୋଟ ଖେଳନା ପିଲାଟିକୁ କୋଳରେ ଧରିଛି, ତାଠାରୁ ବହୁତ କଥାବାର୍ତ୍ତା କରି ପରିବ | ମୋଟ କଥା ବଡ଼ ଲୋକଙ୍କଠାରୁ କମ୍ କଥା କହିବି | ଆଉ ମୋଠାରୁ ଯିଏ ଛୋଟ ସେମାନଙ୍କଠାରୁ ବହୁତ କହିବି |
ଆଠ ନଅ ବର୍ଷର ଛୋଟ ଝିଅଟିଏ ହୋଇ ସେ ଏପରି ସନ୍ତୋଷଜନକ ଉତ୍ତର ଦେଇ ଥିବାର ବୁଝିପାରି ବାଦସାହା ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୋଇ ଝିଅଟିକୁ ସ୍ନେହରେ କୋଳକୁ ଟାଣି ଆଣିଲେ ଓ ଅନେକ ଗୁଡାଏ ମୂଲ୍ୟବାନ ଖେଳନା ତାକୁ ଉପକାର ଦେଇ ବୀରବଲ ସାଥିରେ ପଠାଇ ଦେଲେ |

ଧୋକାବାଜ ମଇତ୍ରକୁ ଉଚିତ ଦଣ୍ଡ ପ୍ରାପ୍ୟ

ଦିନେ ଗୋଟିଏ ଗାଁଆରେ ଜଣେ ଗରିବ ବ୍ରାହ୍ମଣ ରାତିରେ ଶୋଇଥିବା ବୋଳେ ସ୍ବପ୍ନ ଦେଖିଲା ଯେ, ସେ ତାର ମଇତ୍ରଠାରୁ ଶହେ ଟଙ୍କା ଧାର ଆଣିଛି | ସକାଳୁ ଯେମିତି ତା ନିଦ ଭାଙ୍ଗିଲା ସେ ଆଗ ଯାଇ ତାର ମଇତ୍ର ଆଗରେ ସେଇ ସ୍ବପ୍ନ କଥାଟି କହିବାରେ ଲାଗିଲା | ଏକଥା ମଧ୍ୟ କ୍ଷଣକ ଭିତରେ ବିଜୁଳି ବେଗରେ ଚଉଦିଗରେ ଖେଳିଗଲା | ମଇତ୍ର ମଧ୍ୟ ଆହୁରି ଅଧିକ ଲୋକ ଜାଣିବା ଉଦ୍ଦେଶ୍ୟରେ ଚାରିଆଡ଼େ ବୁଲି ସ୍ବପ୍ନ କଥାକୁ ସତ୍ୟରେ ପରିଣତ କରିବାରେ ଲାଗିଲେ | ସେ ସମସ୍ତଙ୍କୁ କହିଲା ବ୍ରାହ୍ମଣ ମଇତ୍ର ମୋଠାରୁ ଏକଶତ ଟଙ୍କା ଧାର ନେଇଛନ୍ତି |
ଏହିପରି କହି ଦିନେ ହଠାତ୍ ଯାଇଁ ବ୍ରାହ୍ମଣ ଦୁଆରେ ପହଞ୍ଚି ଗାଲା | ମଇତ୍ର ଆସିଛନ୍ତି ବୋଲି ବ୍ରାହ୍ମଣୀ ଦୁଇଜଣଙ୍କ ଗୋଡ଼ ତଳେ ଲାଗୁ ନଥାଏ | ସେମାନେ ବିଧିମତେ ଚରଚା କରିବାକୁ ଲାଗି ପଡ଼ିଥାନ୍ତି | ଖାଇସାରି ମଇତ୍ର ସୁସ୍ଥ ହେବାରୁ ବ୍ରାହ୍ମଣ ପଚାରିଲେ ମଇତ୍ର କୁଆଡ଼େ ଆଜି ତମ ଗୋଡ଼ ଏ ଗରିବ ଦୁଆରେ ପଡ଼ିଲା ମ |
ବ୍ରାହ୍ମଣ କଥାଟାକୁ ହଠାତ୍ ନ କହି, ଏଣୁ ତେଣୁ ଦିପଦ ବତାଇ ଦେଇ ତାରି ଭିତରେ ସୁବିଧା ଦେଖି କହିଲା ମୋର ଆସିବା କଥା ଏହି ଯେ, ତୁମେ ଯେଉଁ ଶହେ ଟଙ୍କା ସେଦିନ ମୋଠାରୁ ଧାର ଆଣିଥୁଲ ଏଇ ଦିନେ ଦୁଇଦିନ ଭିତରେ ଦେଇ ଦେଲେ ମୋର ଗୋଟଏ ବଡ଼ କାମରେ ଲାଗନ୍ତା | ସେଥି ସକାଶେ ଆସିବାକୁ ବାଧ୍ୟ ହେଲି |
ଏକଥା ଶୁଣି ବ୍ରାହ୍ମଣ ପ୍ରଥମେ ଭାବିଲା ମଇତ୍ର ବୋଧେ ରହସ୍ୟରେ ଏପରି କହୁଛନ୍ତି | କିନ୍ତୁ ଯେତେବେଳେ କଥାବାର୍ତ୍ତାରୁ ହାତାହାତି ପର୍ଯ୍ୟନ୍ତ ଗଲା, ଲୋକମାନେ ଆସି ଜମା ହୋଇ ପଡ଼ିଲେ | ଆଗରୁ ତ ଏକଥା ସମସ୍ତେ ଜାଣିଥିଲେ, ତେଣୁ ସେମାନେ ବ୍ରାହ୍ମଣ ଉପରେ ଦୋଷ ଲଦିଦେଇ ତାଙ୍କ ଟଙ୍କା ଦେଇଦିଅ ବୋଲି କହିଲେ |
କଣ କରିବ ବୋଲି ବିଚରା ଗରିବ ବ୍ରାହ୍ମଣର ହଲକ ଶୁଖି ଯିବାରେ ଲାଗିଲା | ଭିକ୍ଷା ଯାହାର ସମ୍ବଳ ତା ପକ୍ଷରେ ଶହେଟଙ୍କା ଯେ କେତେବଡ଼ ବୋଝ ଏଇଟା ପାଠକମାନେ ସହଜରେ ଅନୁମାନ କରି ନେବେ | ତାପରେ ପୁଣି କଞ୍ଚାମିଛ କଥାଟା | ଗାଁ ଯାକ ତାରି କଥାରେ ପରିଚାଳିତ | ବ୍ରାହ୍ମଣ ପାଇଁ କେହି ପଦୁଟିଏ ସୁଦ୍ଧା କହୁ ନାହାଁନ୍ତି |
ତେଣୁ ସେ କୌଣସି ଉପାୟ ନ ଦେଖି ରାଜ ଦରବାରରେ ଯାଇ ଫେରାଦ ହେଲା | ବାଦସାହା ଦୁଇ ପକ୍ଷରେ କଥା ମନଯୋଗ ଦେଇ ଶୁଣି ସାରିଲା ପରେ, ସାକ୍ଷୀ ମଗାଇବାକୁ ସେମାନଙ୍କୁ ଆଦେଶ ଦେଲେ | ବ୍ରାହ୍ମଣ ତରଫରୁ କେହି ସାକ୍ଷୀ ମିଳିଲେ ନାହିଁ | କିନ୍ତୁ ତାର ମଇତ୍ର ଦଶଜଣ ବିଶିଷ୍ଟ ଲୋକଙ୍କୁ ନେଇ ଦରବାରରେ ହାଜର କରାଇ ଦେଲା | ସେମାନେ ସମସ୍ତେ ବ୍ରାହ୍ମଣ ବିରୁଦ୍ଧରେ ସାକ୍ଷୀ ଦେଇ ବାଦସାହାଙ୍କ ଆଗରେ କହିଲେ, ଏଇ ବ୍ରାହ୍ମଣ ଆମ ଆଗରେ କହୁଥିଲା ମଇତ୍ରଠାରୁ ଶହେ ଟଙ୍କା ଧାର ଆଣିଛି ବୋଲି | ଦୁଇଜଣଙ୍କ ଝଗଡ଼ା ଦିନ ମଧ୍ୟ ଆମେ ସମସ୍ତେ ଉପସ୍ଥିତ ଥିଲୁ | ବ୍ରାହ୍ମଣଙ୍କୁ ତାର ସାକ୍ଷୀ କଥା ପଚାରିବାରୁ ସେ କହିଲା ମୋର ଏକମାତ୍ର ଭଗବାନ ଭରସା | ଆପଣ ମଧ୍ୟ ହେଉଛନ୍ତି ରାଜ୍ୟର ହର୍ତ୍ତାକର୍ତ୍ତା, ଯାହା ବିଚାର କରିବେ | ଭିକ୍ଷା ଗଣ୍ଡାଏ ହେଉଛି ମୋର ସମ୍ବଳ | ଶହେଟଙ୍କା କିପରି ମୁଁ ଜୀବନରେ ହାତରେ ଧରିନାହିଁ | ସେଇଦିନ କେବଳ ସ୍ବପ୍ନରେ ଯାହା ଦେଖିଥିଲି |
ଦୁଇ ପକ୍ଷର ସମସ୍ତ କଥା ଶୁଣିସାରି ବାଦସାହା କୌଣସି ନିଷ୍ପତ୍ତିରେ ପହଞ୍ଚି ନ ପାରି ବୀରବଲଙ୍କୁ ଡକାଇ ସମସ୍ତ ଘଟଣା ତାଙ୍କୁ ଆମୂଳ ଚୂଳ ବୁଝାଇ ଦେଇ ମୋକଦ୍ଦମାର ଦାୟିତ୍ବ ତାଙ୍କରି ଉପରେ ନ୍ୟସ୍ତ କରିଦେଲେ | କହିଲେ ଏହାର ସନ୍ତୋଷଜନକ ନିଷ୍ପତ୍ତି କରି ମୋତେ ଜଣାଇ ଦେବେ |
ବୀରବଲ ବାଦସାହାଙ୍କ କଥାରେ ସ୍ବୀକୃତି ପ୍ରଦାନ କରି ବ୍ରାହ୍ମଣ ଏବଂ ତାର ମଇତ୍ର ଦୁଇଜଣଙ୍କୁ ଆଦେଶ ଦେଲେ ଯାଅ ତୁମେମାନେ ଆସି କାଲି ମୋତେ ଦେଖା କରିବ | ଆଜି ଆଉ ସମୟ ନାହିଁ |
ଏହାକହି ଚାକର ଦ୍ବାରା ଗୋଟିଏ ବଡ ଦର୍ପଣ ମଗାଇ ତା ସାମନାରେ ଶହେଟଙ୍କା ଏପରି ରଖି ଦେଲେ, ଯଦ୍ବାରା ସେ ଟଙ୍କାର ପ୍ରତିବିମ୍ବ ଦର୍ପଣ ଭିତରେ ପୁରା ମାତ୍ରାରେ ଦେଖାଗଲା |
ତାପରେ ଯେତେବେଳେ ଯାଇ ବ୍ରାହ୍ମଣ ଓ ତାର ଦଗାବାଜ୍ ମଇତ୍ର ଦୁଇଜଣ ଯାକ ଉପସ୍ଥିତ ହେଲେ, ବୀରବଲ ସେ ଦଗାବାଜ୍ ମଇତ୍ରକୁ କହିଲେ ଦେଖ ଏହି ଦର୍ପଣ ଭିତରେ ଯେଉଁ ଟଙ୍କା ଅଛି ସେ ହେଉଛି ତୁମରି ଟଙ୍କ | ଯାଅ ତା ଭିତରୁ ନଇ ଯାଅ |
ଦଗାବାଜ ମଇତ୍ର କହିଲା ତା ଭିତରୁ କିପରି ନେବି ଆଜ୍ଞା ସେ ତ ଟଙ୍କା ନୁହେଁ ତାର ଛାଇ, ଛାଇକି କିଏ କଣ ହାତରେ ଧରି ପାରେ | ଏହି ମଉକା ଉଣ୍ଡି ବୀରବଲ ତତକ୍ଷଣାତ୍ କହିବାକୁ ଲାଗିଲେ ବ୍ରାହ୍ମଣ ସ୍ବପ୍ନରେ ଯେଉଁ ଶହେଟଙ୍କା ଦେଖି ଥିଲା ସେ ମଧ୍ୟ ଏଇପରି ଛାଇ ଅଟେ | ତୁମେ କିପରି ସେ ଟଙ୍କା ନେବାକୁ ଦାବୀ କରୁଛ ?  ବୀରବଲଙ୍କଠାରୁ ଏପରି ଉକ୍ତି ଶୁଣି ସେ ଦଗାବାଜ ମଇତ୍ର କୌଣସି ଉତ୍ତର ନ ଦେଇ ନୀରବରେ ଠିଆ ହେବାରେ ଲାଗିଲା |
କିଛି ସମୟ ପରେ ଖାଲି ହାତରେ ଯିବାକୁ ଅଗ୍ରସର ହେବାରୁ ବୀରବଲ କହିଲେ କିଓ ମହାଜନେ, ଯାଉଛ କୁଆଡେ | ଗରିବ ବ୍ରାହ୍ମଣ ବିଚାରାକୁ ଯେତେ ଗୁଡିଏ ହଇରାଣ କଲଣି ତାର ଫଳ ସ୍ବରୂପ ତୁମକୁ ଉଚିତ୍ ଦଣ୍ଡ ଭୋଗକରିବାକୁ ପଡ଼ିବ | ଚାଲିଯାଉଛ କୁଆଡ଼େ |
ଏକଥା ଶୁଣି ସେ ଧୋକାବାଜ ମିତ୍ରଦ୍ରୋହୀ ଥରିବାକୁ ଲାଗିଲା | କହିଲା, ହଜୁର, ମୋର ଭୁଲ୍ ହୋଇଯାଇଛି | ଆଉ ଜୀବନରେ ଏପରି ଦିନେ ମାତ୍ର କରିବି ନାହିଁ | ଆଜିକ ଏ ଗରିବକୁ କ୍ଷମା ଦିଅନ୍ତୁ |
ବୀରବଲ କହିଲେ ମୁଁ ତୁମକୁ କ୍ଷମାଦେଇ ନପାରେ | ଯେଉଁ ମଇତ୍ର ପାଖରେ ବିଶ୍ବାସଘାତକତା କରିଛ ତାଙ୍କରି ପାଦତଳେ ପଡ଼ି କ୍ଷମା ମାଗ | ଆଉ ଅପରାଧ ସ୍ବରୂପ ଦଶଟଙ୍କା ଜୋରିମନା ବ୍ରାହ୍ମଣକୁ ଦେଇ ଘରକୁ ଯାଅ |
ବୀରବଲଙ୍କ ଆଦେଶ ଅମାନ୍ୟ କଲେ କଠୋର ଦଣ୍ଡ ହେବାର ଜାଣିପାରି ସେ ମିତ୍ରଦ୍ରୋହୀ ବିଶ୍ବାସଘାତକ, ବ୍ରାହ୍ମଣଙ୍କ ପାଦତଳେ ପଡ଼ି କହିଲା ମଇତ୍ର ମୋତେ କ୍ଷମା ଦିଅନ୍ତୁ | ବ୍ରାହ୍ମଣ ବୀରବଲଙ୍କ ଆଡ଼କୁ ଅନାଇଁ କହିଲା, କ୍ଷମାଦାତାଙ୍କର ଯାହା ନିଦ୍ଦେଶ ହେବ ମୁଁ ତାହା ପାଳନ କରିବି |
ବୀରବଲ କହିଲେ ହଉ ହଉ ଆଜି ଦିନକ ପାଇଁ ତାଙ୍କୁ କ୍ଷମା ଦିଆଗଲା | ଏହା କହିବାରୁ ବ୍ରାହ୍ମଣ ସେ ବିଶ୍ବାସଘାତକର ହାତଧରି ଉଠାଇ କହିଲା, ଯାଅ ଯାଅ ଦେଓ୍ୟାନ ଜୀଏ ବିଚାର ହାତକୁ ନ ନେଇ ଥିଲେ ଏତେ ବେଳକୁ ମୁଁ କାରାଗାରରେ ପଶିସାରନ୍ତିଣି | ଭଗବାନ ଯୁଗେ ଯୁଗେ ତାଙ୍କର ମଙ୍ଗଳ କରନ୍ତୁ | ଏହା କହି ଦୁଇଜଣ ଯାକ ସଭାସ୍ଥଳରୁ ବିଦାୟ ନେଇ ନିଜ ନିଜର ଘରକୁ ଚାଲିଗଲେ |
ବୀରବଲଙ୍କର ଏପରି ବିଚାର କୌଶଳ ଦେଖି ସଭାଯାକ ଲୋକ ଧନ୍ୟ ଧନ୍ୟ କରିବାରେ ଲାଗିଲେ | ବାଦସାହା ମଧ୍ୟ ଏକଥା ଶୁଣି ବୀରବଲଙ୍କ ଉପରେ ଅତିଶୟ ଆନନ୍ଦ ହୋଇଗଲେ | ସେଇ ଦିନଠାରୁ ବୀରବଲଙ୍କ ମହତ୍ତ୍ବ ରାଜ୍ୟରେ ଆହୁରି ବଡ଼ିଯିବାରେ ଲାଗିଲା |
ବୁଦ୍ଧିମାନ ବ୍ୟକ୍ତି ସବୁ କରଇ
ଶୁଖିଲା କାଠରୁ ପାଣି କାଢ଼ଇ ||

ବାଦସାହା ତାଙ୍କ ବେଗମଙ୍କୁ ବହିଷ୍କାର ନିର୍ଦ୍ଦେଶ ଦେବା

ଦିନେ କାହିଁକି ବାଦସାହା ତାଙ୍କର ସର୍ବଶ୍ରେଷ୍ଠା ପ୍ରିୟା ବେଗମ୍ ଉପରେ ଖପା ହୋଇ ତାଙ୍କୁ ନଗର ନଗର ତ୍ୟାଗକରିବାକୁ ନିର୍ଦ୍ଦେଶ ଦେଲେ | ଏପରିକି ବାଦସାହା ବେଗମଙ୍କୁ କହିଲେ ଦୁଇଦିନ ଭିତରେ ତୁମେ ମହଲ ତ୍ୟାସ କରିବ | ନୋହିଲେ ବଡ ଅନିଷ୍ଟ ହେବ |
ବାଦସାହାଙ୍କର ଏପରି ଆଦେଶ ଶୁଣି ବେଗମ୍ କାଷ୍ଠ ପିତୁଳୀ ବତ୍ ଛିଡ଼ାହୋଇ ରହିଲେ | ତୁଣ୍ଡରୁ ତାଙ୍କର କୌଣସି ଉତ୍ତର ବାହାରିଲା ନାହିଁ | ସେ ବାଦସାହାଙ୍କ ପାଦ ଦୁଇଟିକୁ ଧରି କ୍ଷମା ଭିକ୍ଷା ମାଗିଲେ | ବହୁତ ଅନୁନୟ ବିନୟ ହୋଇ କହିଲେ, ଯଦି ଏ ଦାସୀ କିଛି ଅପରାଧୀ କରିଥାଏ, ତାହେଲେ ଥରେ ମାତ୍ର କ୍ଷମା ଦିଅନ୍ତୁ | ଏଣିକି ଯାହା ଆଦେଶ ଦେବେ ତାହା ଅକ୍ଷରେ ଅକ୍ଷରେ ଏ ଦାସୀ ପାଳନ କରିବାକୁ ପ୍ରସ୍ତୁତ ଅଛି | ଏହାକହି ସେ ତାଙ୍କୁ ଖୁସି କରିବାକୁ ଯେତେ ଚେଷ୍ଟା କଲେ ସବୁ ବିଫଳ ହୋଇଗଲା | ତେଣୁ ବେଗମ୍ ଭାବିଲେ ବୃଥା ଚେଷ୍ଟା କରିବା ଅପେକ୍ଷା ନିରବ ରହିବା ସବୁଠାରୁ ଶ୍ରେୟସ୍କର |
ତାପର ଦିନ ସେ ଚାକରକୁ ଡାକି ସମସ୍ତ ଜିନିଷପତ୍ର ବନ୍ଧାବନ୍ଧି କରିବାକୁ ଆଦେଶ ଦେଇ ବାଦସାହା ପାଖକୁ କ୍ଷମା ଭିକ୍ଷା କରିବାକୁ ଗଲେ | ବାଦସାହା ତାଙ୍କର ଆଦେଶ ପ୍ରତ୍ୟାହାର ନକରି ଆହୁରି କଠୋର ହୋଇ କହିଲେ, ତୁମର ସବୁଠାରୁ ଯେ ସ୍ନେହବସ୍ତୁ ତୁମେ ତାକୁ ସଙ୍ଗରେ ନେଇ ଚାଲି ଯାଅ | ମୋ ପାଖକୁ ଆସିବା ଦରକାର ନାହିଁ |
ଏତେବେଳେକେ ବେଗମ୍ କଥାଟା ଉପଲବଧି କରିପାରିଲେ | ଦିନେ ବେଗମ୍ ବାଦସାହାଙ୍କ ନିମନ୍ତେ ଗୋଟିଏ ସୁନ୍ଦର ଆସନ ବୁଣୁଥିଲେ | ଏତିକିବେଳେ ବାଦସାହା ତାଙ୍କୁ ଡକାଇ ପଠାଇଲେ | ସେ ଟିକେ ଡ଼େରିକରି ଆସିବାରୁ ବାଦସାହା ଅପେକ୍ଷା ନ କରି ରାଗରେ ଚାଲି ଯାଇଥିଲେ | ସେଇଦିନଠାରୁ ଆଉ ବେଗମ୍ ମହଲକୁ ଯାଇ ନାହାନ୍ତି | ଏଇ ହେଉଛି ତାର ପ୍ରତିଫଳ | ସାମାନ୍ୟ ଅପରାଧରେ ଏତେବଡ଼ କଠୋର ଦଣ୍ଡ |
ଏହି କଥା ଭାବି ବେଗମ୍ ଆଉ ସେଠାରେ ଅପେକ୍ଷା ନକରି ବାଦସାହାଙ୍କୁ ପ୍ରଣାମ ଜଣାଇ ଚାଲି ଆସିଲେ | ଆସିବା ବାଟରେ ହଠାତ୍ ତାଙ୍କର ବୀରବଲଙ୍କ କଥା ମନେ ପଡ଼ଗଲା | ସେ ସାଥେ ସାଥେ ଚାକରକୁ ପଠାଇ ତାଙ୍କୁ ଡକାଇ ଆଣି ସମସ୍ତ ଘଟଣା ଆମୁଳଚୂଳ ବର୍ଣ୍ଣନା କରିବାରେ ଲାଗିଲେ |
ବୀରବଲ ସବୁ ଶୁଣିସାରି ତାକୁ ଉପାୟ ବତାଇ ଦେଇ କହିଲେ ମୋ କହିବାମତେ କାର୍ଯ୍ୟ କଲେ ସବୁ ଠିକ୍ ହୋଇଯିବ |
ବେଗମଙ୍କ ମନକୁ କଥାଟା ପାଇଗଲା | ସେ ଯିବାବେଳେ ବାଦସାହାଙ୍କୁ ଦେଖା କରି କହିଲେ, ଜାହାଁପନ୍ନା ଏ ଦାସୀକୁ ତ ଚିରଦିନ ଲାଗି ଅନ୍ତର କରୁଛନ୍ତି, କିନ୍ତୁ ଯିବାବେଳେ ଦାସୀର ଗୋଟିଏ ଅନୁରୋଧ ରଖିବାକୁ ହେବ |
କି ଅନୁରୋଧ ପ୍ରକାଶ କର ବୋଲି ବାଦସାହା କହିବାରୁ ବେଗମ୍ କହିଲେ, ମୁଁ ଯିବାବେଳେ ନିଜ ହାତରେ ଆପଣଙ୍କୁ ଗିଲାସେ ସରବତ ପିଆଇବି | ଏତିକି ଶେଷ ଅନୁରୋଧ |
ବାଦସାହା ଏଥିରେ ଏକମତ ହେବାରୁ ବେଗମ୍ ସାଥେ ସାଥେ ଯାଇ ଗୋଟିଏ ଗ୍ଳାସରେ ନିଦ ଔଷଧ କିଛି ମିଶାଇ ଦେଇ ତାଙ୍କୁ ପିଆଇ ଦେଲେ | ଯେମିତି ସେ ସରବତ ପିଇଛନ୍ତି ବାଦସାହା ଘୋର ନିଦରେ ଅଚେତ ହୋଇ ଶୋଇପଡ଼ିଲେ | ତାଙ୍କର ଜ୍ଞାନ ମଧ୍ୟ ରହିଲା ନାହିଁ | ଏହି ଅବସରରେ ବେଗମ୍ ଗୋଟିଏ ସୁସଜ୍ଜିତ ପାଲିଙ୍କି ଉପରେ ବସି ବାଦସାହାଙ୍କୁ ନିକଟରେ ଶୁଆଇ ଦେଇ ପିତ୍ରାଳୟକୁ ନେଇ ଚାଲିଗଲେ | ତାଙ୍କ ପିତାଙ୍କ ଗୃହରେ ପହଞ୍ଚି ଗୋଟିଏ ସୁ ସଜ୍ଜିତ ଘରେ ଗଜଦନ୍ତ ପଲଙ୍କ ଉପରେ ବାଦସାହାଙ୍କୁ ଶୁଆଇ ଦେଇ ନିଜେ ବସି ପଙ୍ଖା କରିବାରେ ଲାଗିଲେ |
ସାରାରାତି ଅନିଦ୍ରା ରହି ରହି ଯେମତି ଭୋରବେଳକୁ ଥଣ୍ଡା ପବନ ଆସିଲା, ବେଗମ୍ କଣ କଲେ ନାଁ ସେଇ ପଲଙ୍କ ଉପରେ ବାଦସାହାଙ୍କ ଗୋଡ଼ତଳେ ଶୋଇ ପଡ଼ିଲେ | ସକାଳ ହେବାରୁ ବାଦସାହାଙ୍କ ନିଦ୍ରା ଭାଙ୍ଗିବାରେ ଲାଗିଲା | ସେ ଉଠି ଦେଖିଲା ବେଳକୁ ବେଗମ୍ ତାଙ୍କ ଗୋଡ଼ତଳେ ନିଜ ଘରେ ନ ଶୋଇ ଅନ୍ୟ ସ୍ଥାନରେ ଶୋଇଛନ୍ତି |
ବାଦସାହାଙ୍କ ନିଦ୍ରାଭଙ୍ଗ ହେବାରୁ ବେଗମଙ୍କର ନିଦ୍ରା ମଧ୍ୟ ଭାଙ୍ଗିଗଲା | ସେ ଉଠି ପଙ୍ଖା କରିବା ସମୟରେ ବାଦସାହା ତାଙ୍କୁ ପଚାରିଲେ ମୁଁ ବର୍ତ୍ତମାନ କେଉଁଠି ? ବେଗମ୍ ସାହେବା ଅତ୍ୟନ୍ତ ନମ୍ର ଭାବରେ କହିଲେ ପ୍ରାଣନାଥ | ଆପଣ ଆପଣଙ୍କ ଶ୍ବଶୁର ଘରେ ଅଛନ୍ତି | ବାଦସାହା ପଚାରିଲେ ମୁଁ ଏଠିକି କେମିତି ଆସିଲି ?
ବେଗମ୍ ତାଙ୍କ ପାଦ ଧରି ପକାଇ କହିଲେ, ସ୍ବାମୀ, ଆପଣ ତ ମୋତେ ଆଦେଶ ଦେଲେ ତୁମେ ତୁମର ସବୁଠାରୁ ସ୍ନେହୀ ଦ୍ରବ୍ୟକୁ ସଙ୍ଗରେ ନେଇ ଚାଲିଯାଅ | ମୁଁ ସତ କହିଛି ଦୁନିଆରେ ସବୁଠାରୁ ସ୍ନେହୀ ଦ୍ରବ୍ୟ ମୋର କିଛିନାହିଁ, ଏକମାତ୍ର ହେଉଛନ୍ତି ଆପଣ ତେଣୁ ଆପଣଙ୍କୁ ଆଣିବାକୁ ଉଚିତ ମନେକଲି |
ବେଗମଙ୍କର ପ୍ରେମପୂର୍ଣ୍ଣ କଥାରେ ବାଦସାହାଙ୍କ ମନ ଏକବାରେ ଶାନ୍ତ ହୋଇଗଲା | ସେ ହସ ହସ ହୋଇ ତାଙ୍କୁ କୋଳକୁ ତୋଳିନେଇ ମଧୁର ସ୍ମୃତି ଆଙ୍କିଦେଇ କହିଲେ, ଆଚ୍ଛା କହିଲ ପ୍ରିୟେ ମୋତେ କେମିତି ଆଣିଲ |
ବେଗମ୍ ଆମୁଳଚୂଳ ସବୁକଥା କହିଯିବାରୁ ବାଦସାହା ମନେ ମନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଚ୍ଛା ତୁମେ ସତ କୁହ ପ୍ରିୟେ, ଏ ବୁଦ୍ଧି ତୁମର ନାଁ ଅନ୍ୟକିଏ ବତାଇଛି ? ବେଗମ୍, ବାଦସାହାଙ୍କ ପାଦତଳେ ପଡ଼ିଯାଇ କହିଲେ, କେବେ ଏ ଦାସୀ ଆପଣଙ୍କ ଆଗରେ ମିଥ୍ୟା କହିନାହିଁ କି ଆଜି କହିବ ନାହିଁ | ମୋତେ ଏସବୁ ଦେଓ୍ୟାନ ସାହେବ ବତାଇ ଦେଲେ | ତାଙ୍କରି ଦୟାରୁ ମୁ ମୋର ହରାଇବା ରତ୍ନକୁ ଆଜି ଫେରି ପାଇଛି |
ଏକଥା ଶୁଣି ବାଦସାହା ବୀରବଲଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇଗଲେ | ତାପରେ ଶ୍ବଶୁର ଘରେ ନିଜର ନିତ୍ୟକର୍ମ ଶେଷ କରି ଆନନ୍ଦରେ କିଛିଦିନ କଟାଇ, ଶ୍ବଶୁର ଏବଂ ଶଳାମାନଙ୍କ ପାଖରେ ମିଳି ଦିଲ୍ଲୀ ଯିବା ସକାଶେ ଅନୁମତି ମାଗିଲେ |
ସେମାନେ ଅତ୍ୟନ୍ତ ଆନନ୍ଦ ହୋଇ ବହୁ ଜାନିଯୌତୁକ ଦେଇ ଜ୍ବାଇଁ ଏବଂ ଝିଅକୁ ଦିଲ୍ଲୀ ପଠାଇ ଦେଲେ |
ଆସିଲାମାତ୍ରେ ବାଦସାହା ବୀରବଲଙ୍କୁ ଦେଖି ହସି ହସି କୋଳକରି ପକାଇ କହିଲେ ତୁମେ ନ ଥିଲେ ଆଜି ମୁଁ ମୋର ଚନ୍ଦ୍ରମୁଖୀ ପ୍ରାଣପ୍ରିୟା ବେସମଙ୍କୁ ହରାଇଥିଲି ସିନା | ଏ ନିମନ୍ତେ ତୁମର ପୁରସ୍କାର ବା କଣ ଦେବି | ଏହାକହି ନିଜର ବଳାରୁ ମୋତି ହାରଟିକୁ ଫିଟାଇ ବୀରବଲଙ୍କ ଗଳାରେ ଲମ୍ବାଇ ଦେଲେ | ବେଗମ୍ ମଧ୍ୟ ବୀରବଲଙ୍କୁ ଡକାଇ ପିତ୍ରାଳୟରୁ ଆଣିଥିବା ମୂଲ୍ୟବାନ ଦ୍ରବ୍ୟରୁ କିଛି କିଛି ଦେବା ସଙ୍ଗେ ସଙ୍ଗେ ନିଜର ରତ୍ନ ହାରଟିକୁ ତାଙ୍କ ହାତକୁ ବଢ଼ାଇ କହିଲେ, ଏଇଟି ନିଅ ତୁମ ରାଣୀଙ୍କୁ ପିନ୍ଧାଇ ଦେବ | ସେ ମୋ କଥା ମନେ ପକାଇଥିବେ |
ତୁମରି ସକାଶେ ଆଜି ମୁଁ ମୋର ହରାଇଥିବା ରତ୍ନକୁ ଫେରି ପାଇଛି | ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | କହିଲେ ଧନ୍ୟ ବୀରବଲ ଧନ୍ୟ ତୁମର ବୁଦ୍ଧି |

ସରିଗଲା ବୀରବଲ କାହାଣୀ
ଶୁଣନ୍ତୁ ମୋ ଦେଶ ଭାଇ ଭଉଣୀ |
ବହୁ ତର୍କ ନ୍ୟାୟ ପୁରିଛି ଏଥେଁ
ପାଠକଙ୍କ ମନ ରଞ୍ଜନ ଅର୍ଥେ |
ଆକବରଙ୍କର ରାଜ ସଭାରେ
ବୀରବଲ ଥିଲେ ମନ୍ତ୍ରୀ ଭାବରେ |
ଅନେକ ଅସାଧ୍ୟ ସାଧନ କରି
(ହିନ୍ଦୁ) ଜାତି ନାମ ରଖୁଛନ୍ତି ଜାହାରି |
ତେଣୁ ଅନୁରୋଧ ସଭିଙ୍କୁ ମୋର
ସାଦରେ ଏହାକୁ ଆଦର କର |



No comments:

Post a Comment