Tuesday 22 March 2016

ଶିଶୁଗୀତିକା

ଲୋକମୁଖରେ ପ୍ରାଚୀନ କାଳରେ ବହୁ ଶିଶୁଗୀତ ଶୁଣିବାକୁ ମିଳେ | ଏଥିରେ ଶିଶୁବୟସୋଚିତ ଭାବ, ଭାଷା ଓ ଚମତ୍କାରିତା ଦେଖାଯାଏ | ଗାମ୍ଭୀର୍ଯ୍ୟବିହୀନ ଭାବକୁ ବିଝାଇବାପାଇଁ ଅତି ସରଳ ଭାଷାରେ, ସରଳ ଛନ୍ଦରେ ଏଗୁଡ଼ିକ ରଚିତ | ପିଳାମାନଙ୍କର କୌତୂହଳ ଉଦ୍ଦୀପନା ପାଇଁ କେତେକ ନିରର୍ଥକ ପଦ ମଧ୍ୟ ପ୍ରଥମରେ ଓ ଶେଷରେ ଯୁକ୍ତ କରାଯାଇଥାଏ | ପିଲାମାନଙ୍କୁ ଚନ୍ଦ୍ର ଦେଖାଇ ଖେଳାଇବାର ଗୀତ ଅତି ଜନପ୍ରିୟ | ଜହ୍ନ ତ ସମସ୍ତଙ୍କର ମାମୁଁ | ଶିଶୁଙ୍କର ମଧ୍ୟ ମାମୁଁ | ନିର୍ମଳ ଶରଦ ଚନ୍ଦ୍ର ବା ଗୋରା ଜହ୍ନମାମୁଙ୍କୁ ଦେଖି କହ୍ନେଇର ମନ ଖୁସ | ମା ଯଶୋଦା ଜହ୍ନକୁ କହୁଛନ୍ତି, କାହ୍ନୁ ଭଣଜାକୁ ପାଟକାଛି ଦେଇଯାଆ | ଗୋଟିଏ ଦେଲେ କାହ୍ନୁ ହସିବ, ଦୁଇଟି ଦେଲେ ଆନନ୍ଦରେ ପିଢ଼ା ମାଡ଼ି ବସିବ |” କାହ୍ନୁକୁ ପାଟକାଛି ଖୁବ୍ ମାନୁଥିବ | ଶିଶୁମାନଙ୍କୁ କାଛି ପିନ୍ଧେଇବା ରୀତି ସବୁ ଦିନେ ଚଳୁଛି |
ଆ ଆ ଜହ୍ନମାମୁଁ ଶରଦ ଶଶୀ, କାହ୍ନୁ ହାତରେ ମୋ ପଡ଼ରେ ଖସି | ଆ ଆ ଜହ୍ନମାମୁଁ ଆ ଆ ଆ, ପାଟକାଛିଟିଏ ଦେଇ ଯାଆ | ଗୋଟିଏ ଦେଲେ କାହ୍ନୁ ମୋର ହସିବ, ଯୋଡ଼ିଏ ଦେଲେ ପିଢ଼ା ମାଡ଼ି ବସିବ |
ଏହିପରି ବହୁ ଶିଶୁଗୀତ ଅଛି | ପିଲାଙ୍କ ଖେଳଗୀତ, ଶୁଆ ବା ଶୋଇବା ଗୀତ, ପଢ଼ାଗୀତ ପ୍ରଭୃତିରେ ମନସ୍ତତ୍ତ୍ୱର ବିଶ୍ଳେଷଣର ଆଭାସ ମିଳେ | ଏଥିରେ କଳ୍ପନାର ବିଳାସ ଅଳ୍ପମାତ୍ରାରେ ପ୍ରକାଶ ପାଇଥିଲେ ମଧ୍ୟ ରଚନାଭଙ୍ଗୀର ମନୋହରତ୍ତ୍ୱ କବିତାକୁ ସରସ କରିଛି | ସରଳ ଭାବ, ସରଳ ଭାଷା ଓ ଛନ୍ଦର ସ୍ୱାତନ୍ତ୍ର୍ୟ ହିଁ ଏହାର ବିଶେଷତ୍ୱ | କେତୋଟି ଉଦାହରଣ ତଳେ ଦିଆଗଲା |

ଚକୁଳିଆପଣ୍ଡା ଗୀତ

ଓଡିଶାର ବ୍ରହ୍ମଣ ସମ୍ପ୍ରଦାୟ ଜନଜାତି ମଧ୍ୟରୁ କେତେକ ଗୀତ ବୋଲି ଭିକ୍ଷା ମାଗିଥାନ୍ତି | ଏମାନଙ୍କୁ ଚକୁଳିଆପଣ୍ଡା ବୋଲି କୁହାଯାଇଥାଏ | ସେମାନେ ପରଂପରାକ୍ରମେ ଗୀତ ମୁଖସ୍ଥ କରି ପୂର୍ଣ୍ଣିମୀ, ଅମାବାସ୍ୟା, ଏକାଦଶୀ, ଗ୍ରହଣ, ସଂକ୍ରାନ୍ତି ପ୍ରଭୃତି ପ୍ରସିଦ୍ଧ ଦିନମାନଙ୍କରେ ହାତରେ ତାଳପତ୍ର ଛତା ଧରି ଦାଣ୍ଡରେ ଭିକ୍ଷା କରି ବୁଲନ୍ତି | ଦାନର ମହିମା, ସତ୍ ମାର୍ଗର ମର୍ଯ୍ୟାଦା ବୁଝାଇବା ଉଦ୍ଦେଶ୍ୟରେ ସେମାନ ବଡ଼ ମର୍ମ୍ମସ୍ପର୍ଶୀ ଗୀତ ବୋଲନ୍ତି | ଏ ଗୀତକୁ ଗଦ୍ୟ ଭଳି ସେମାନେ ବୋଲିଯାଉଥିଲେ ମଧ୍ୟ ପଦ୍ୟର ପ୍ରଭାବ ଯଥେଷ୍ଟ ପରିମାଣରେ ଅନୁଭୂତ ହୁଏ | ଏଥିରୁ ଧର୍ମଶିକ୍ଷା ମଧ୍ୟ ବହୁତ ହୁଏ | ପ୍ରାଚୀନ ପୌରାଣିକ ଘଟଣାର ସୂଚନା ଏହି ଗୀତମାନଙ୍କରେ ଥିବାରୁ ଶ୍ରୋତାର ଜ୍ଞାନର ବିକାଶ ମଧ୍ୟ କେତେକ ପରିମାଣରେ ହୋଇଥାଏ |

ଚୈତପର୍ବ ଗୀତ

ଚୈତମାସରେ ଓଡ଼ିଶାର କରାପୁଟ ଜିଲ୍ଳାର ଆଦିବାସୀ ଅବିବାହିତ ଯୁବକ ଓ ଅବିବାହିତା ଯୁବତୀମାନେ ଦଳବଦ୍ଧ ଭାବରେ ସମଗ୍ର ମାସଟି ନୃତ୍ୟ ଗୀତରେ କଟାଇ ଚୈତପର୍ବ ପାଳନ କରନ୍ତି | ଦଳେ ଯୁବକ ଓ ଦଳେ ଯୁବତୀଙ୍କ ଭିତରେ ଗୀତରେ ବଚସା ହୁଏ | ଯୁବକମାନେ ଗୀତ ଗାଇ ଯେଉଁ ଭାବ ପ୍ରକାଶ କରନ୍ତି ତାକୁ ଯୁବତୀମାନେ ଗୀତରେ ଉତ୍ତର ଦିଅନ୍ତି | ଯୁବତୀମାନେ ମଧ୍ୟ ପ୍ରଶ୍ନ କରନ୍ତି ଏବଂ ଯୁବକମାନେ ଉତ୍ତର ଦିଅନ୍ତି | ଏପରି ସମଗ୍ର ଦିନ ଗୀତର ସ୍ରୋତ ଚାଲିଥାଏ | ଶେଷରେ ଏହି ପ୍ରତିଯୋଗିତା ବା ବଚସାରେ ଯେ ପରାସ୍ତ ହୁଏ ସେ ହାରମାନେ | ଯୁବତୀ ପରାସ୍ତ ହେଲେ ବିଜେତା ଯୁବକ ତାକୁ ବିବାହ କରିବା ଉଦ୍ଦେଶ୍ୟରେ ଦଳ ଭିତରୁ ଟାଣି ନେଇ ପଳାଇଯାଏ | ଏହି ପର୍ବରେ ଭାଗନେଇଥିବା ଅବିବାହିତ  ଯୁବକମାନଙ୍କୁ ଧେଙ୍ଗଡ଼ା ଓ ଯୁବତୀମାନଙ୍କୁ ଧେଙ୍ଗେଡ଼ି କୁହାଯାଏ | ଏହି ଧେଙ୍ଗଡ଼ା-ଧେଙ୍ଗେଡ଼ି ଦଳଙ୍କ ବଚସା ପ୍ରକାଶ୍ୟ ଭାବରେ ହୁଏ | ଲୋକେ ଏଥିରେ ଆନନ୍ଦ ଉପଭୋଗ କରନ୍ତି ଏବଂ କବିତାର ପଦଯୋଜନା, ଛଟା ଓ ଭାବ ଅନୁସାରେ ପ୍ରଶଂସା ମଧ୍ୟ କରନ୍ତି | ଆଦିବାସୀଙ୍କ ଛଡ଼ା ଅନ୍ୟ ଜାତିମାନଙ୍କ ଭିତରେ ଏହି ରୀତିର ଗୀତ ବୋଲାଯାଉଥିବା ଦେଖାଯାଏ ନାହିଁ |

 ଚଇତି ଘୋଡ଼ାନାଟ ଗୀତ ଚୈତ୍ରମାସରେ ଧୀବର, ଶୁକ୍ଳ ପ୍ରଭୃତି ଜାତିର ଲୋକେ ଅଶ୍ୱମୁଖୀ ବାସୁଳୀ ଠାକୁରାଣୀଙ୍କ ପୂଜାରେ ଅଶ୍ୱନୃତ୍ୟ ବା ଘୋଡ଼ାନାଟ କରିଥାନ୍ତି | ନାଟ ସଙ୍ଗେ ସଙ୍ଗେ ଗୀତ ମଧ୍ୟ ବୋଲାହୁଏ | ଏହି ଗୀତ ଚଇତି ଘୋଡ଼ାନାଟ ଗୀତ ନାମରେ ପରିଚିତ |

ପାଟୁଆ ଯାତ୍ରାଗୀତ

ଓଡ଼ିଶାର କେତେକ ସ୍ଥାନରେ ପାଟୁଆ ଯାତ୍ରା ପ୍ରଚଳିତ ଅଛି | ନୁଆଁ ଉପରେ ଚାଲିବା, ଖଣ୍ଡା ଉପରେ ଚାଲିବା, ଗଛ ଡ଼ାଳରେ ପାଦକୁ ବାନ୍ଧି, ମୁଣ୍ଡ ତଳକୁ ନିଆଁ ଜଳାଇ ତା ଉପରକୁ ଝୁଲିବା ପ୍ରଭୃତି ଅତି କଠୋର ସାଧନା ପାଟୁଆ ସାଧକମାନେ କରନ୍ତି | ଏମାନଙ୍କର ଏହି ସାଧନା ଦେଖି ଲୋକେ ପ୍ରଶଂସା ଓ ଭକ୍ତି କରନ୍ତି | କିନ୍ତୁ ଯାତ୍ରା ଦୃଶ୍ୟଟି ଭୟାନକ ରସ ସୃଷ୍ଟି କରେ, ପ୍ରାଣକୁ ଅତଙ୍କରେ ଉଦ୍ୱେଳିତ କରି ପକାଏ | ପାଟୁଆ ଯାତ୍ରୀମାନେ ଗୀତ ଗାଆନ୍ତି | ଓଡ଼ିଶାର ପାଟୁଆ ଯାତ୍ରା ପରି ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଏପରି ଯାତ୍ରା ଅଛି | ହରପାର୍ବତୀ ଏହି ଉତ୍ସବର ପ୍ରଧାନ ଦେବତା | ପ୍ରଧାନ ଠାକୁରାଣୀ ପୀଠମାନଙ୍କରେ ଏହା ଦେଖାଯାଏ |

ଯୋଗୀଗୀତ

ଓଡ଼ିଶାରେ ଯୋଗୀ ଜାତିର ଲୋକେ ଭିକ୍ଷା ଝୁଲି ଧରି, କେନ୍ଦେରା ବଜାଇ ଗୀତ ବୋଲନ୍ତି | ଏହା ଯୋଗୀଗୀତ ନାମରେ ପରିଚିତ | ଜଣେ କିମ୍ୱା ଦୁଇ ଜଣ ଏହି ଗୀତ ବୋଲନ୍ତି | ଦୁଇ ଜଣ ଥିଲେ ଜଣେ ଗାଏ, ଆଉ ଜଣକ ପାଳି ଧରେ | ଏହିମାନେ ପ୍ରୟତଃ ପୌରାଣିକ କଥାବସ୍ତୁର କିଛି କିଛି ସଂଳାପ ଗାନ କରି ଭିକ୍ଷା କରିଥାନ୍ତି  | ଯୋଗୀମାନଙ୍କ ଗୀତରେ କରୁଣ ରସର ଅବତାରଣା ଥିବାରୁ ମନକୁ ଶୋକାଭିଭୂତ ଓ କରୁଣାସିକ୍ତ କରି ପକାଏ |

ଲୋକଗୀତ

ଅଧିକାଂଶ ଲୋକଗୀତ ମୁଖସ୍ଥ ଗୀତ | ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତା ଅନୁଯାୟୀ ଗୀତର ଅବତାରଣା ହୁଏ | କେତେକ ଗୀତ କୌଣସି ଏକ ସ୍ଥାନରେ ଜନ୍ମଲାଭ କରି କ୍ରମେ ଲୋକମୁଖରେ ବିଭିନ୍ନ ସ୍ଥାନରେ ପହଞ୍ଚି ବିଭିନ୍ନ ରୂପ ଧାରଣ କରିଛି | ଲୋକମୁଖଦ୍ୱାରା ହିଁ ଏହାର ବହୁଳ ପ୍ରଚାର ହେଉଛି | ସ୍ଥାନ, ପାତ୍ର ଓ କାଳ ଅନୁସାରେ ଏହି ଗୀତମାନଙ୍କର ନାନା ରୂପ ମଧ୍ୟ ଦେଖାଯାଏ | ରୂପର ବିଭିନ୍ନତା ସତ୍ତ୍ୱେ ଭାବର ରୂପ ପ୍ରାୟ ସମାନ ଥାଏ | ଉନ୍ନାଦନା, ସାହସିକତା, କର୍ମତନ୍ମୟତା ପ୍ରଭୃତି ପାଇଁ  ବୋଲାଯାଉଥିବା ଗୀତଗୁଡ଼ିକ କ୍ରମେ ଲୋକଗୀତର ମାନ୍ୟତା ପଇପାରିଛି | ଲୋକଗୀତଗୁଡ଼ିକରେ ପୁରୁଷ ଓ ନାରୀ ବିଷୟ ସମ୍ପର୍କୀୟ କବିତା ଅଛି | ପୁରୁଷମାନଙ୍କର ଗୀତ ପୁରୁଷ ପ୍ରକୃତିର ଅନୁରୂପ, ଅପେକ୍ଷାକୃତ ଦୀର୍ଘ, କଠୋର, ଓଜଃପୂର୍ଣ୍ଣ ଗୀତରେ ଅବସରବିନୋଦନ ଓ ଶ୍ରମଲାଘବ ଇତ୍ୟାଦିର ଆଭସ ମିଳୁଥିବା ବେଳେ ସ୍ତ୍ରୀମାନଙ୍କର ଗୀତ ଅଭିମାନପୂର୍ଣ୍ଣ, ଅଧୈର୍ଯ୍ୟବ୍ୟଞ୍ଜକ ଓ ନିତାନ୍ତ କରୁଣ ଦାୟକ | ନାଟଗୀତ, ଯୁଦ୍ଧଗୀତ, ପର୍ବଗୀତ ପ୍ରଭୃତିରେ ପୁରୁଷ ଓ ସ୍ତ୍ରୀମାନଙ୍କର ଯୁଗ୍ମଗୀତ ଥାଏ | ସ୍ତ୍ରୀମାନଙ୍କ ପକ୍ଷରେ କାନ୍ଦଣାହିଁ ପ୍ରଧାନ ଗୀତ |
        ଲୋକଗୀତରେ ଉପଦେଶ ଓ ସମାଲୋଚନାର ଇଙ୍ଗିତ ଦେଖାଯାଏ | କାର୍ଯ୍ୟ କରୁଥିବା ସମୟରେ ଯେଉଁ ଗୀତ ବୋଲାଯାଏ ସେଥିରୁ କେତେକ ନିରର୍ଥକ | ଧାନକଟା, ଗାଡ଼ିଚଲା, ଛାତପିଟା, ସବାରୀବୁହା, ନାଆଚଲା ପ୍ରଭୃତି କାର୍ଯ୍ୟ ସହିତ ବୋଲା ଯାଉଥିବା ଗୀତ କେବଳ ଶ୍ରମକଷ୍ଟ ଲାଘବ, କାର୍ଯ୍ୟ ସମ୍ପାଦନ ପାଇଁ ସୂକ୍ଷ୍ମ ନିର୍ଦ୍ଦେଶ ଏହାର ମୁଖ୍ୟ ଲକ୍ଷ୍ୟ |  
        ନିରର୍ଥକ ପଦଯୋଜନା ସମ୍ୱଳିତ ଗୀତର ସଂଖ୍ୟା ମଧ୍ୟ ଅଳ୍ପ ନୁହେଁ | ଶେଷୋକ୍ତ ଶ୍ରେଣୀର କବିତାରେ ଭାବ ଅପେକ୍ଷା ସ୍ୱରର ପ୍ରାଧାନ୍ୟ ହିଁ ବେଶି | ସବାରୀଗୀତରେ ସ୍ୱରଲୟ କି ଭାବର ଆବଶ୍ୟକତା ନାହିଁ | ଅତଏବ ଦୀର୍ଘ ଶ୍ୱାସ-ପ୍ରଶ୍ୱାସ ଜନିତ ପିଡ଼ାର ଲାଘବ ନିମନ୍ତେ କେତେକ ନିରର୍ଥକ ପଦଯୋଜନା ହଁ ଦେଖାଯାଏ | ଏଥିରେ ସାଥୀ ବେହେରାକୁ ସମ୍ୱୋଧନ କରି କେତେକ ନିର୍ଦ୍ଦେଶ ଦିଆ ଯାଉଛି | ବାଟରେ ପାଣିକାଦୁଅ ଥିବାରୁ ହୁସିଆରରେ ଧାଡ଼ିରେ ଧାବୁଡ଼ିବାକୁ ନିର୍ଦ୍ଦେଶ ଦିଆଯାଉଛି |
        କେତେକ ନୃତ୍ୟ ସମୟର ଗୀତ ମଧ୍ୟ ଦେଖାଯାଏ | ଗୀତ ଓ ବାଦ୍ୟର ତାଳରେ ନୃତ୍ୟ କରିବା କେବଳ ମନୋରଞ୍ଜନର ଏକ ଉପାୟ ମାତ୍ର | ପାଇକ ଗୀତ ଉତ୍ତେଜନାବ୍ୟଞ୍ଜକ, ଏଥିରେ ନୃତ୍ୟର ବିଶେଷ ସମ୍ପର୍କ ନାଥିବାବେଳେ ଘୋଡ଼ାନାଚ ଓ ନାଗାନୃତ୍ୟରେ ଗୀତର ଆବଶ୍ୟକତା ନଥାଏ |

        ସାମାଜିକ, ଶିକ୍ଷାତ୍ମକ, ଧାର୍ମିକ ପ୍ରଭୃତି ଭାବ ଅନୁସାରେ ଲୋକଗୀତର ଶ୍ରେଣୀବିଭାଗ କରାଯାଇପାରେ | କାନ୍ଦଣା, ଦୋଳିଗୀତ, ଖେଳଗୀତ ପ୍ରଭୃତି ସାମାଜିକ ଗୀତ |  ଢଗଢମାଳି, ଡାକବଚନ ପ୍ରଭୃତି ଶିକ୍ଷାତ୍ମକ ବା ଉପଦେଶାତ୍ମକ | ପାଲା, ଘୋଡ଼ାନାଚ ଗୀତ, ଚଇତ ପର୍ବ, ଓଷା ପର୍ବପର୍ବାଣି ଗୀତ ଏ ସବୁ ଧାର୍ମିକ ବା ଧର୍ମାନୁଷ୍ଠାନ ସମ୍ପର୍କୀୟ ଗୀତ | କେତେକ ଗୀତ ଗୋଷ୍ଠୀଦ୍ୱାରା ଓ କେତେକ ବ୍ୟକ୍ତିଦ୍ୱାରା ବୋଲାଯାଏ | କେତେକ ଗୀତ ଯୁଗ୍ମ ଗାୟକଙ୍କଦ୍ୱାରା ବୋଲାଯାଏ | କାନ୍ଦଣା, ଦୋଳିଗୀତ, ଶଗଡ଼ିଆ ଗୀତ, ନାଉରି ଗୀତ ପ୍ରଭୃତି ଜଣେ ବ୍ୟକ୍ତି ଦ୍ୱାରା ବୋଲାଯାଏ | କେତେକ ଗୋଷ୍ଠୀ-ଖେଳ, ଓଷା, ନାଚ ପ୍ରଭୃତିରେ ଗୋଷ୍ଠୀଗୀତ ବୋଲାଯାଏ |

ଲୋକଗୀତିକା, ଢଗ, ଡାକବଚନ, ମନ୍ତ୍ରାଦି

ଓଡିଶାରେ ବହୁତ ଲୋକଗୀତିକା, ପ୍ରବଚନ, ଢଗଢମାଳି, ମନ୍ତ୍ର ପ୍ରଭୃତି ପ୍ରଚଳିତ ଅଛି | ଏଥିରୁ କେତେଗୁଡ଼ିଏ ଓଡ଼ିଆ ଭାଷାର ବିକାଶର ପ୍ରାଥମିକ ଯୁଗରେ ରଚିତ ହୋଇଥିବା ସମ୍ଭବପର | ଗଙ୍ଗବଂଶ ରାଜତ୍ୱ ବେଳକୁ ଯେ ଏଥିରୁ ଅନେକଗୁଡ଼ିଏ ପ୍ରଚଳିତ ଥିବ, ଏଥିରେ ସନ୍ଦେହ ନାହିଁ |
ଢଗ ଡାକବଚନ ପ୍ରଭୃତିର ଭାଷାର ଆଦିମ ସ୍ୱରୂପ କଣ ଥିଲା, ତାହା କହିହେବ ନାହିଁ | କାଳକ୍ରମେ ପରିବର୍ତ୍ତିତ ହୋଇ ଏହି ଭାଷା ମାର୍ଜିତ ଆକାର ଧାରଣ କରିଛି | ଅନୁଭୂତିଲବ୍ଧ କେତେକ ନିରାଟ ସତ୍ୟ ଏଗୁଡ଼ିକର ପ୍ରଭାବ ପରିଲିକ୍ଷିତ ହୁଏ | ପାରିବାରିକ, ସାମାଜିକ, ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମଧ୍ୟ ଢଗଢମାଳିରେ ବହୁତ ବିଷୟ ଦେଖାଯାଏ |
ଏଭଳି ଗୀତିକା, ପ୍ରବଚନ, ଡାକବଚନ, ଢଗଢମାଳି ପ୍ରଭୃତି ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ମଧ୍ୟ ଦେଖାଯାଏ | ଡାକ କିଏ, କେଉଁଠାର ଲୋକ ବା କେଉଁ ସମୟର ଲୋକ ଜାଣିବାର ଉପାୟ ନାହିଁ | ଜ୍ୟୋତିଷ, ବାଣିଜ୍ୟ, କୃଷି ପ୍ରଭୃତି ବିଷୟରେ ଡାକବଚନ ଥିବାର ଦେଖାଯାଏ | ଏସବୁକୁ ଡାକଋଷି ବଚନ ମଧ୍ୟ କହନ୍ତି |
ପଲ୍ଲୀଗୀତ, ଢଗଢମାଳି ପ୍ରଭୃତି ଅଜ୍ଞାତ କବି ଓ ଲେଖକମାନଙ୍କ ଦ୍ୱାରା ରଚିତ | ଏସବୁ ମୁଖରୁ ମୁଖ ହୋଇ ସମାଜରେ ଜୀବିତ ରହିଛି | ପୂର୍ବେ ନଗର ଅପେକ୍ଷା ପଲ୍ଲୀର ବା ଗ୍ରାମର ସଂଖ୍ୟା ବେଶୀ ଥିଲା | ଗ୍ରାମର ଜନସାଧାରଣ ସ୍ତ୍ରୀପୁରୁଷ, ବାଳକବାଳିକା, ବ୍ରାହ୍ମଣ ଅବ୍ରାହ୍ଣଣ ନିର୍ବିଶେଷରେ ଏହା ବୋଲୁଥିଲେ ମଧ୍ୟ ଉଚ୍ଚଶିକ୍ଷିତଙ୍କ ଚକ୍ଷୁରେ ଏ ସବୁ ସେତେ ଆଦରର ସାମଗ୍ରୀ ହୋଇ ପାରି ନଥିଲା | ସାହିତ୍ୟକ ଅଳଙ୍କାର ଓ ଭାବଗାମ୍ଭୀର୍ଯ୍ୟରେ ବିଭୂଷିତ ହୋଇ ନଥିବାରୁ ଶିକ୍ଷିତମାନେ ଏଗୁଡ଼ିକୁ ସାହିତ୍ୟର ପର୍ଯ୍ୟାୟଭୁକ୍ତ କରୁ ନ ଥିଲେ | ବିଶେଷତଃ ସ୍ତ୍ରୀ ଓ ଶୂଦ୍ରାଦି ଜାତିର ଅଳ୍ପଶିକ୍ଷିତ ଲୋକଙ୍କ ମୁଖରୁ ଏହା ନିର୍ଗତ ହେଉଥିବାରୁ ତଥାକଥିତ ପଣ୍ଡିତସମାଜ ଏହାକୁ ବେଶୀ ଆଦର କରୁନଥିଲେ | କିନ୍ତୁ ସାଂସାରିକ ଜୀବନ ନିର୍ବାହ ପକ୍ଷରେ ଏହାର ବିଶେଷତ୍ୱ ଥିବା ଅନୁଭବ କରୁଥିଲେ | ଏହିଗୁଡ଼ିକୁ ମାଇକିନିଆ ପାଠବୋଲି କହି ତାତ୍ସଲ୍ୟ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହାର ପ୍ରଭାବକୁ ଏଡ଼ି ପାରୁନଥିଲେ, କି ଅସ୍ୱୀକାର କରିପାରୁ ନଥିଲେ | କାନ୍ଦଣାରେ ଶିକ୍ଷିତର ଚକ୍ଷୁରୁ ମଧ୍ୟ ଲୋତକ ନିର୍ଗତ ହେଉଥିଲା ଏବଂ ହୃଦୟକୁ ଉଦ୍ୱେଳିତ କରିଦେଉଥିଲା | ଉପଦେଶ ଛଳରେ ସମୟୋଚିତ ଗୀତ, ପ୍ରବଚନ, ଢଗଢମାଳିର ପ୍ରୟୋଗ ଯେ ଜୀବନ ଉପରେ ଅଶେଷ ପ୍ରଭାବ ବିସ୍ତାର କରି ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରୁଥିଲା ଏବଂ ଶାନ୍ତି ପ୍ରଦାନ କରୁଥିଲା ଏହା ସର୍ବସାଧାରଣ ଅନୁଭବ କରୁଥିଲେ |

ଶିକ୍ଷିତ ସମାଜ ଏହି ପଲ୍ଲୀଗୀତ, ଢଗଢମାଳି ପ୍ରଭୃତିକୁ ସାହିତ୍ୟ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରୁ ନଥିଲେ ହେଁ ଏବଂ ଘୃଣା କରୁଥିଲେ ହେଁ ଏହା ଗ୍ରାମ୍ୟ ବା ଭଣ୍ଡ ନୁହେଁ | ଗ୍ରାମରେ ମୁଖ୍ୟତଃ ଆବଦ୍ଧ ଥିବାରୁ ଏହାକୁ ଗ୍ରାମ୍ୟ, ଗ୍ରାମୀଣ, ଗାଉଁଲି ବା ପଲ୍ଲୀଗୀତାଦି ନାମରେ ଅଭିହିତ କରାଯାଇଥାଏ | ବର୍ତ୍ତମାନ ଲୋକ ଶଦ୍ଦଟି ସମୂହଭାବରେ ଜନସାଧାରଣଙ୍କୁ ବୁଝାଏ, ଗ୍ରାମୀୟ ଲୋକଙ୍କୁ ମଧ୍ୟ ବୁଝାଏ | ଏହି ଦୃଷ୍ଟିରୁ ଏହାକୁ ଲୋକଗୀତ ନାମରେ ପରିଚିତ କରାଯାଇପାରେ |

ପୃଥିବୀର ପ୍ରାୟ ସବୁ ଭାଷାରେ ଅଳ୍ପାଧିକ ପରିମାଣରେ ଲୋକଗୀତ, ଲୋକଗଳ୍ପ, ଢଗଢମାଳି ପ୍ରଭୃତି ଦେଖାଯାଏ | ଭାରତର ବିଭିନ୍ନ ଭାଷାରେ ସହସ୍ର ସହସ୍ର ପଲ୍ଲୀଗୀତାଦି ଦେଖାଯାଏ | ଓଡ଼ିଶାରେ ମଧ୍ୟ ଏହାର ସଂଖ୍ୟା ଯଥେଷ୍ଟ ଅଧିକ | ଏହି ସବୁ ଗୀତ ଭିତରେ ପ୍ରାଚୀନ ଭାରତୀୟ ସଂସ୍କୃତିର ଚିତ୍ର ସଂକୀର୍ଣ୍ଣ | କେତେକ ସାମାନ୍ୟ ସାମାଜିକ ବିଶେଷତ୍ୱ ବା ପ୍ରଭେଦର ବିଦ୍ୟମାନତା ଦେଖାଯାଉଥିଲେ ମଧ୍ୟ ମୂଳତଃ ସବୁ ପ୍ରଦେଶର ପଲ୍ଲୀଗୀତାଦିର ମର୍ମ ପ୍ରାୟ ଏକ ପ୍ରକାରର ଥିବା ହିଁ ଦେଖାଯ଼ାଏ |

ଶିଷ୍ଟ ସାହିତ୍ୟ ଓ ଲୋକ ସାହିତ୍ୟ (ବା ଗ୍ରାମ୍ୟ ସାହିତ୍ୟ) ଭିତରୁ ଲୋକ ସାହିତ୍ୟର ପ୍ରସାର ହିଁ ବେଶି | କି ଶିଷ୍ଟ କି ଅଶିଷ୍ଟ ସମସ୍ତଙ୍କ ଭିତରେ, ସବୁ ଶ୍ରେଣୀ ଭିତରେ ଏହାର ପ୍ରସାର ଦେଖାଯ଼ାଏ | ସ୍ୱ-ବେଷ୍ଟନୀ ମଧ୍ୟରେ, ସ୍ୱ-ଭାବ-ରାଜିର ଅକଳଙ୍କ ପ୍ରତିଛବି ଏହି କୃତିଗୁଡ଼ିକରେ ପ୍ରକାଶିତ ହେଉଥିବାରୁ ଏଗୁଡ଼ିକର ରସାସ୍ୱାଦନରେ ତନ୍ମୟତା ଓ ସହୋଦରତା ସ୍ୱାଭାବିକ | ଲୋକଗୀତ ସ୍ୱଭାବସୁଲଭ ସରଳତା ଭାବରେ, ଭାଷାରେ ଓ ଛନ୍ଦରେ ପ୍ରକାଶ ଲାଭ କରିଥିବାରୁ ଏହାର ବହୁଳ ପ୍ରସାର ଓ ଆଦର ସ୍ୱତଃସିଦ୍ଧ |
ଏହି ଲୋକଗୀତାଦି କିଏ କେବେ ରଚନା କରିଛି ତାହା ଜାଣିବା ପାଇଁ କୌଣସି ବିଶେଷ ପ୍ରମାଣ ନାହିଁ | ପଲ୍ଲୀକବିତା ଓ ଗଳ୍ପ-ପ୍ରବାଦ-ପ୍ରବଚନାଦି ସ୍ୱତଃସ୍ଫୂର୍ତ୍ତ ବୋଲି ହିଁ ଏହାର ସରଳତା, ଭାବସଂକ୍ଷିପ୍ତତା, ରସପ୍ରାଚୁର୍ଯ୍ୟ ସମସ୍ତଙ୍କ ମନକୁ ସ୍ପର୍ଶ କରିପାରୁଛି | ଅଜ୍ଞାତନାମା କବି ଘଟଣା ବା ମୁହୂର୍ତ୍ତର ପ୍ରଭାବରେ ଭାବାବେଗକୁ କବିତା ଆକାରରେ ପ୍ରକାଶିତ କରିଥାଏ | କାନ୍ଦଣା, ହଳିଆଗୀତ, ଯାତ୍ରାଗୀତ ପ୍ରଭୃତି ଅନେକ ପ୍ରକାର ଗୀତ ଏହିପରି ଭାବରେ ହିଁ ରଚିତ ହୋଇଥାଏ | ତେବେ କେତେକ କବିତା ସମୟାନୁସାରେ ଏକାଧିକ ସ୍ଥାନରେ ବହୁ ବର୍ଷ ବ୍ୟବହୃତ ହେଇଥିବା ଦେଖାଯାଉଥିବାରୁ ଏଗୁ଼ଡ଼ିକ ଗାୟକର ସ୍ୱତଃସ୍ଫୂର୍ତ୍ତ କୃତି ନୁହେଁ | କେତେକ ପହଳିର ରଚୟିତାଙ୍କ ନାମ ଭଣିତାରୁ ମିଳେ | ଏମାନଙ୍କ ଭିତରୁ ଦନାଇଅଧିକ ଲୋକପ୍ରୀୟ | ଡାକ ଋଷିଙ୍କ ପ୍ରବଚନ ବହୁତ ସାଖ୍ୟାରେ ଥିବା ଜଣାଯାଏ | କବି ବଳରାମ ଦାସ, ହରି ଦାସ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ବ୍ରଜନାଥ ପ୍ରଭୃତିଙ୍କ କବିତାମାନଙ୍କରୁ କିଛି କିଛି ସମୟାନୁସାରେ ମନେ ରଖି ଲୋକେ ବୋଲୁଥିବା ଦେଖାଯାଏ | ଏଗୁଡ଼ିକ ପ୍ରକୃତରେ ପଲ୍ଲୀଗୀତ ର ଅନ୍ତର୍ଗତ ନୁହେଁ, କିନ୍ତୁ ଏଗୁ଼ଡ଼ିକର ବହୁଳ ପ୍ରସାର ଦେଖି ଏହି ପର୍ଯ୍ୟାୟରେ କେହି କେହି ଅନ୍ତର୍ଭକ୍ତ କରିଛନ୍ତି | ପଲ୍ଲୀଗୀତି ସଞ୍ଚୟନ,ଉତ୍କଳ ଗାଉଁଲି ଗୀତ ଏ ଦୁଇଟି ଉପାଦେୟ ଗ୍ରନ୍ଥରେ ଏ ପ୍ରକାର ବହୁ ଗୀତ ସ୍ଥାନ ପାଇଛି | ପ୍ରକୃତରେ ଅଜ୍ଞତନାମା କବିମାନଙ୍କର କୃତି ହିଁ ପଲ୍ଲୀଗୀତ ବିଭାଗର ମୁଖ୍ୟ ଅଂଶ | ଉତ୍ତର ଓ ପଶ୍ଚିମ ଭାରତରେ ପୃଥ୍ୱୀରାଜ ରାସୋ ଓ ଉତ୍କଳରେ ସାରଳା ଦାସଙ୍କ ମହାଭାରତର ହରଣ ଗୀତାଂଶଗୁଡ଼ିକ, ଜଗନ୍ନାଥ ଦାସଙ୍କ ଭାଗବତର ଅନେକ ଅଂଶ, ଅଭିମନ୍ୟୁଙ୍କ ଫୁଲ ବଉଳବେଣୀ ପ୍ରଭୃତି ଅନେକ କବିତା ଗ୍ରାମମାନଙ୍କରେ ବହୁ ଲୋକଙ୍କ ମୁଖରୁ ଶୁଣାଯାଏ | ଏଗୁଡ଼ିକୁ ପଲ୍ଲୀଗୀତ ଭିତରେ ନେଲେ ଓଡ଼ିଶାର ଅନ୍ୟାନ୍ୟ ବହୁ ଖ୍ୟାତାନାମା କବିଙ୍କ କୃତିମାନଙ୍କୁ ମଧ୍ୟ ପଲ୍ଲୀଗୀତ କହିବାକୁ ହେବ | ଉପେନ୍ଦ୍ର ଉଞ୍ଜ, ବଳରାମ ଦାସ, ଦୀନକୃଷ୍ଣ ଦାସ ପ୍ରଭୃତିଙ୍କ ବହୁ କାବ୍ୟର ଅଂଶ ଓ କବିତା ମଧ୍ୟ ଏଥିଭିତରେ ଯିବ | ତେଣୁ ଏପରି ବ୍ୟାପକ ଓ ସୁଦୂରପ୍ରସାରୀ ସଂଜ୍ଞା ଅନାବଶ୍ୟକ ଓ ଅସ୍ପଷ୍ଟ |

ଯେଉଁ ସବୁ ଢଗଢମାଳି, ଗୀତିକା, ପ୍ରବଚନ ପ୍ରଭୃତି ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି ସେଥିରୁ କେତୋଟି ଖ୍ୟାତ ଓ ଅଖ୍ୟାତନାମା କବିଙ୍କ ଦ୍ୱାରା ରଚିତ | ଅପାକ୍ଷାକୃତ ଦୀର୍ଘ କବିତାଗୁଡ଼ିକରେ ଆଧୁନିକ ଆଶୁକବିଙ୍କର କାରିଗରୀ ମଧ୍ୟ ରହିଛି | ସ୍ଥଳବିଶେଷରେ ରଚନାର ଶୈଳୀ, ଭାଷା ଅତି ଆଧୁନିକ | ଅତଏବ ସବୁ ଶ୍ରେଣୀର ଗୀତିକାର ଉଦାହରଣ ପାଇଁ ସେ ସବୁ ଲେଖା ଉପରେ ନିର୍ଭର କରିବା ଉଚିତ ମନେ ହେଉନାହିଁ | ଏ ସବୁ ସଞ୍ଚୟନରୁ ପରିତ୍ୟକ୍ତ ହେବା ହିଁ ଉଚିତ ଥିଲା | ତେବେ, ସଞ୍ଚୟନକର୍ତ୍ତାମାନଙ୍କର ପଲ୍ଲୀଗୀତିକା ବା ଲୋକଗୀତର ସଂଜ୍ଞା ଅତି ବ୍ୟାପକ ଥିବାରୁ ଏହି ତ୍ରୁଟି ଅପରିହାର୍ଯ୍ୟ | ଦନେଇ ଦାସଙ୍କ ପହଳି, ଡାକବଚନ ଓ ଏହିଭଳି କେତେକ ଢଗଢମାଳି, ପ୍ରବଚନ ପ୍ରଭୃତି ଅତି ଉପାଦେୟ ପଦ ପ୍ରତି ଯୁଗରେ ନବ ନବ କର୍ତ୍ତାମାନଙ୍କ ଦ୍ୱାରା ରଚିତ ହୋଇ ଦନାଇ ଦାସ ପ୍ରଭୃତିଙ୍କ ନାମରେ ପ୍ରଚଳିତ ହୋଇ ଆସୁଅଛି | ଏଗୁଡ଼ିକୁ ବାଛି ଚିହ୍ନାଇ ଦେବା ସମ୍ଭବ ନୁହେଁ | ବିଶେଷତଃ ପ୍ରାଚୀନ ଆଲୋଚନାରେ ଏ ସବୁର ସ୍ଥାନ ନିର୍ଣ୍ଣୟ କରିବା ସହଜ ନୁହେଁ |