Tuesday 22 March 2016

ଲୋକଗୀତିକା, ଢଗ, ଡାକବଚନ, ମନ୍ତ୍ରାଦି

ଓଡିଶାରେ ବହୁତ ଲୋକଗୀତିକା, ପ୍ରବଚନ, ଢଗଢମାଳି, ମନ୍ତ୍ର ପ୍ରଭୃତି ପ୍ରଚଳିତ ଅଛି | ଏଥିରୁ କେତେଗୁଡ଼ିଏ ଓଡ଼ିଆ ଭାଷାର ବିକାଶର ପ୍ରାଥମିକ ଯୁଗରେ ରଚିତ ହୋଇଥିବା ସମ୍ଭବପର | ଗଙ୍ଗବଂଶ ରାଜତ୍ୱ ବେଳକୁ ଯେ ଏଥିରୁ ଅନେକଗୁଡ଼ିଏ ପ୍ରଚଳିତ ଥିବ, ଏଥିରେ ସନ୍ଦେହ ନାହିଁ |
ଢଗ ଡାକବଚନ ପ୍ରଭୃତିର ଭାଷାର ଆଦିମ ସ୍ୱରୂପ କଣ ଥିଲା, ତାହା କହିହେବ ନାହିଁ | କାଳକ୍ରମେ ପରିବର୍ତ୍ତିତ ହୋଇ ଏହି ଭାଷା ମାର୍ଜିତ ଆକାର ଧାରଣ କରିଛି | ଅନୁଭୂତିଲବ୍ଧ କେତେକ ନିରାଟ ସତ୍ୟ ଏଗୁଡ଼ିକର ପ୍ରଭାବ ପରିଲିକ୍ଷିତ ହୁଏ | ପାରିବାରିକ, ସାମାଜିକ, ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମଧ୍ୟ ଢଗଢମାଳିରେ ବହୁତ ବିଷୟ ଦେଖାଯାଏ |
ଏଭଳି ଗୀତିକା, ପ୍ରବଚନ, ଡାକବଚନ, ଢଗଢମାଳି ପ୍ରଭୃତି ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ମଧ୍ୟ ଦେଖାଯାଏ | ଡାକ କିଏ, କେଉଁଠାର ଲୋକ ବା କେଉଁ ସମୟର ଲୋକ ଜାଣିବାର ଉପାୟ ନାହିଁ | ଜ୍ୟୋତିଷ, ବାଣିଜ୍ୟ, କୃଷି ପ୍ରଭୃତି ବିଷୟରେ ଡାକବଚନ ଥିବାର ଦେଖାଯାଏ | ଏସବୁକୁ ଡାକଋଷି ବଚନ ମଧ୍ୟ କହନ୍ତି |
ପଲ୍ଲୀଗୀତ, ଢଗଢମାଳି ପ୍ରଭୃତି ଅଜ୍ଞାତ କବି ଓ ଲେଖକମାନଙ୍କ ଦ୍ୱାରା ରଚିତ | ଏସବୁ ମୁଖରୁ ମୁଖ ହୋଇ ସମାଜରେ ଜୀବିତ ରହିଛି | ପୂର୍ବେ ନଗର ଅପେକ୍ଷା ପଲ୍ଲୀର ବା ଗ୍ରାମର ସଂଖ୍ୟା ବେଶୀ ଥିଲା | ଗ୍ରାମର ଜନସାଧାରଣ ସ୍ତ୍ରୀପୁରୁଷ, ବାଳକବାଳିକା, ବ୍ରାହ୍ମଣ ଅବ୍ରାହ୍ଣଣ ନିର୍ବିଶେଷରେ ଏହା ବୋଲୁଥିଲେ ମଧ୍ୟ ଉଚ୍ଚଶିକ୍ଷିତଙ୍କ ଚକ୍ଷୁରେ ଏ ସବୁ ସେତେ ଆଦରର ସାମଗ୍ରୀ ହୋଇ ପାରି ନଥିଲା | ସାହିତ୍ୟକ ଅଳଙ୍କାର ଓ ଭାବଗାମ୍ଭୀର୍ଯ୍ୟରେ ବିଭୂଷିତ ହୋଇ ନଥିବାରୁ ଶିକ୍ଷିତମାନେ ଏଗୁଡ଼ିକୁ ସାହିତ୍ୟର ପର୍ଯ୍ୟାୟଭୁକ୍ତ କରୁ ନ ଥିଲେ | ବିଶେଷତଃ ସ୍ତ୍ରୀ ଓ ଶୂଦ୍ରାଦି ଜାତିର ଅଳ୍ପଶିକ୍ଷିତ ଲୋକଙ୍କ ମୁଖରୁ ଏହା ନିର୍ଗତ ହେଉଥିବାରୁ ତଥାକଥିତ ପଣ୍ଡିତସମାଜ ଏହାକୁ ବେଶୀ ଆଦର କରୁନଥିଲେ | କିନ୍ତୁ ସାଂସାରିକ ଜୀବନ ନିର୍ବାହ ପକ୍ଷରେ ଏହାର ବିଶେଷତ୍ୱ ଥିବା ଅନୁଭବ କରୁଥିଲେ | ଏହିଗୁଡ଼ିକୁ ମାଇକିନିଆ ପାଠବୋଲି କହି ତାତ୍ସଲ୍ୟ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହାର ପ୍ରଭାବକୁ ଏଡ଼ି ପାରୁନଥିଲେ, କି ଅସ୍ୱୀକାର କରିପାରୁ ନଥିଲେ | କାନ୍ଦଣାରେ ଶିକ୍ଷିତର ଚକ୍ଷୁରୁ ମଧ୍ୟ ଲୋତକ ନିର୍ଗତ ହେଉଥିଲା ଏବଂ ହୃଦୟକୁ ଉଦ୍ୱେଳିତ କରିଦେଉଥିଲା | ଉପଦେଶ ଛଳରେ ସମୟୋଚିତ ଗୀତ, ପ୍ରବଚନ, ଢଗଢମାଳିର ପ୍ରୟୋଗ ଯେ ଜୀବନ ଉପରେ ଅଶେଷ ପ୍ରଭାବ ବିସ୍ତାର କରି ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରୁଥିଲା ଏବଂ ଶାନ୍ତି ପ୍ରଦାନ କରୁଥିଲା ଏହା ସର୍ବସାଧାରଣ ଅନୁଭବ କରୁଥିଲେ |

ଶିକ୍ଷିତ ସମାଜ ଏହି ପଲ୍ଲୀଗୀତ, ଢଗଢମାଳି ପ୍ରଭୃତିକୁ ସାହିତ୍ୟ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରୁ ନଥିଲେ ହେଁ ଏବଂ ଘୃଣା କରୁଥିଲେ ହେଁ ଏହା ଗ୍ରାମ୍ୟ ବା ଭଣ୍ଡ ନୁହେଁ | ଗ୍ରାମରେ ମୁଖ୍ୟତଃ ଆବଦ୍ଧ ଥିବାରୁ ଏହାକୁ ଗ୍ରାମ୍ୟ, ଗ୍ରାମୀଣ, ଗାଉଁଲି ବା ପଲ୍ଲୀଗୀତାଦି ନାମରେ ଅଭିହିତ କରାଯାଇଥାଏ | ବର୍ତ୍ତମାନ ଲୋକ ଶଦ୍ଦଟି ସମୂହଭାବରେ ଜନସାଧାରଣଙ୍କୁ ବୁଝାଏ, ଗ୍ରାମୀୟ ଲୋକଙ୍କୁ ମଧ୍ୟ ବୁଝାଏ | ଏହି ଦୃଷ୍ଟିରୁ ଏହାକୁ ଲୋକଗୀତ ନାମରେ ପରିଚିତ କରାଯାଇପାରେ |

ପୃଥିବୀର ପ୍ରାୟ ସବୁ ଭାଷାରେ ଅଳ୍ପାଧିକ ପରିମାଣରେ ଲୋକଗୀତ, ଲୋକଗଳ୍ପ, ଢଗଢମାଳି ପ୍ରଭୃତି ଦେଖାଯାଏ | ଭାରତର ବିଭିନ୍ନ ଭାଷାରେ ସହସ୍ର ସହସ୍ର ପଲ୍ଲୀଗୀତାଦି ଦେଖାଯାଏ | ଓଡ଼ିଶାରେ ମଧ୍ୟ ଏହାର ସଂଖ୍ୟା ଯଥେଷ୍ଟ ଅଧିକ | ଏହି ସବୁ ଗୀତ ଭିତରେ ପ୍ରାଚୀନ ଭାରତୀୟ ସଂସ୍କୃତିର ଚିତ୍ର ସଂକୀର୍ଣ୍ଣ | କେତେକ ସାମାନ୍ୟ ସାମାଜିକ ବିଶେଷତ୍ୱ ବା ପ୍ରଭେଦର ବିଦ୍ୟମାନତା ଦେଖାଯାଉଥିଲେ ମଧ୍ୟ ମୂଳତଃ ସବୁ ପ୍ରଦେଶର ପଲ୍ଲୀଗୀତାଦିର ମର୍ମ ପ୍ରାୟ ଏକ ପ୍ରକାରର ଥିବା ହିଁ ଦେଖାଯ଼ାଏ |

ଶିଷ୍ଟ ସାହିତ୍ୟ ଓ ଲୋକ ସାହିତ୍ୟ (ବା ଗ୍ରାମ୍ୟ ସାହିତ୍ୟ) ଭିତରୁ ଲୋକ ସାହିତ୍ୟର ପ୍ରସାର ହିଁ ବେଶି | କି ଶିଷ୍ଟ କି ଅଶିଷ୍ଟ ସମସ୍ତଙ୍କ ଭିତରେ, ସବୁ ଶ୍ରେଣୀ ଭିତରେ ଏହାର ପ୍ରସାର ଦେଖାଯ଼ାଏ | ସ୍ୱ-ବେଷ୍ଟନୀ ମଧ୍ୟରେ, ସ୍ୱ-ଭାବ-ରାଜିର ଅକଳଙ୍କ ପ୍ରତିଛବି ଏହି କୃତିଗୁଡ଼ିକରେ ପ୍ରକାଶିତ ହେଉଥିବାରୁ ଏଗୁଡ଼ିକର ରସାସ୍ୱାଦନରେ ତନ୍ମୟତା ଓ ସହୋଦରତା ସ୍ୱାଭାବିକ | ଲୋକଗୀତ ସ୍ୱଭାବସୁଲଭ ସରଳତା ଭାବରେ, ଭାଷାରେ ଓ ଛନ୍ଦରେ ପ୍ରକାଶ ଲାଭ କରିଥିବାରୁ ଏହାର ବହୁଳ ପ୍ରସାର ଓ ଆଦର ସ୍ୱତଃସିଦ୍ଧ |
ଏହି ଲୋକଗୀତାଦି କିଏ କେବେ ରଚନା କରିଛି ତାହା ଜାଣିବା ପାଇଁ କୌଣସି ବିଶେଷ ପ୍ରମାଣ ନାହିଁ | ପଲ୍ଲୀକବିତା ଓ ଗଳ୍ପ-ପ୍ରବାଦ-ପ୍ରବଚନାଦି ସ୍ୱତଃସ୍ଫୂର୍ତ୍ତ ବୋଲି ହିଁ ଏହାର ସରଳତା, ଭାବସଂକ୍ଷିପ୍ତତା, ରସପ୍ରାଚୁର୍ଯ୍ୟ ସମସ୍ତଙ୍କ ମନକୁ ସ୍ପର୍ଶ କରିପାରୁଛି | ଅଜ୍ଞାତନାମା କବି ଘଟଣା ବା ମୁହୂର୍ତ୍ତର ପ୍ରଭାବରେ ଭାବାବେଗକୁ କବିତା ଆକାରରେ ପ୍ରକାଶିତ କରିଥାଏ | କାନ୍ଦଣା, ହଳିଆଗୀତ, ଯାତ୍ରାଗୀତ ପ୍ରଭୃତି ଅନେକ ପ୍ରକାର ଗୀତ ଏହିପରି ଭାବରେ ହିଁ ରଚିତ ହୋଇଥାଏ | ତେବେ କେତେକ କବିତା ସମୟାନୁସାରେ ଏକାଧିକ ସ୍ଥାନରେ ବହୁ ବର୍ଷ ବ୍ୟବହୃତ ହେଇଥିବା ଦେଖାଯାଉଥିବାରୁ ଏଗୁ଼ଡ଼ିକ ଗାୟକର ସ୍ୱତଃସ୍ଫୂର୍ତ୍ତ କୃତି ନୁହେଁ | କେତେକ ପହଳିର ରଚୟିତାଙ୍କ ନାମ ଭଣିତାରୁ ମିଳେ | ଏମାନଙ୍କ ଭିତରୁ ଦନାଇଅଧିକ ଲୋକପ୍ରୀୟ | ଡାକ ଋଷିଙ୍କ ପ୍ରବଚନ ବହୁତ ସାଖ୍ୟାରେ ଥିବା ଜଣାଯାଏ | କବି ବଳରାମ ଦାସ, ହରି ଦାସ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ବ୍ରଜନାଥ ପ୍ରଭୃତିଙ୍କ କବିତାମାନଙ୍କରୁ କିଛି କିଛି ସମୟାନୁସାରେ ମନେ ରଖି ଲୋକେ ବୋଲୁଥିବା ଦେଖାଯାଏ | ଏଗୁଡ଼ିକ ପ୍ରକୃତରେ ପଲ୍ଲୀଗୀତ ର ଅନ୍ତର୍ଗତ ନୁହେଁ, କିନ୍ତୁ ଏଗୁ଼ଡ଼ିକର ବହୁଳ ପ୍ରସାର ଦେଖି ଏହି ପର୍ଯ୍ୟାୟରେ କେହି କେହି ଅନ୍ତର୍ଭକ୍ତ କରିଛନ୍ତି | ପଲ୍ଲୀଗୀତି ସଞ୍ଚୟନ,ଉତ୍କଳ ଗାଉଁଲି ଗୀତ ଏ ଦୁଇଟି ଉପାଦେୟ ଗ୍ରନ୍ଥରେ ଏ ପ୍ରକାର ବହୁ ଗୀତ ସ୍ଥାନ ପାଇଛି | ପ୍ରକୃତରେ ଅଜ୍ଞତନାମା କବିମାନଙ୍କର କୃତି ହିଁ ପଲ୍ଲୀଗୀତ ବିଭାଗର ମୁଖ୍ୟ ଅଂଶ | ଉତ୍ତର ଓ ପଶ୍ଚିମ ଭାରତରେ ପୃଥ୍ୱୀରାଜ ରାସୋ ଓ ଉତ୍କଳରେ ସାରଳା ଦାସଙ୍କ ମହାଭାରତର ହରଣ ଗୀତାଂଶଗୁଡ଼ିକ, ଜଗନ୍ନାଥ ଦାସଙ୍କ ଭାଗବତର ଅନେକ ଅଂଶ, ଅଭିମନ୍ୟୁଙ୍କ ଫୁଲ ବଉଳବେଣୀ ପ୍ରଭୃତି ଅନେକ କବିତା ଗ୍ରାମମାନଙ୍କରେ ବହୁ ଲୋକଙ୍କ ମୁଖରୁ ଶୁଣାଯାଏ | ଏଗୁଡ଼ିକୁ ପଲ୍ଲୀଗୀତ ଭିତରେ ନେଲେ ଓଡ଼ିଶାର ଅନ୍ୟାନ୍ୟ ବହୁ ଖ୍ୟାତାନାମା କବିଙ୍କ କୃତିମାନଙ୍କୁ ମଧ୍ୟ ପଲ୍ଲୀଗୀତ କହିବାକୁ ହେବ | ଉପେନ୍ଦ୍ର ଉଞ୍ଜ, ବଳରାମ ଦାସ, ଦୀନକୃଷ୍ଣ ଦାସ ପ୍ରଭୃତିଙ୍କ ବହୁ କାବ୍ୟର ଅଂଶ ଓ କବିତା ମଧ୍ୟ ଏଥିଭିତରେ ଯିବ | ତେଣୁ ଏପରି ବ୍ୟାପକ ଓ ସୁଦୂରପ୍ରସାରୀ ସଂଜ୍ଞା ଅନାବଶ୍ୟକ ଓ ଅସ୍ପଷ୍ଟ |

ଯେଉଁ ସବୁ ଢଗଢମାଳି, ଗୀତିକା, ପ୍ରବଚନ ପ୍ରଭୃତି ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି ସେଥିରୁ କେତୋଟି ଖ୍ୟାତ ଓ ଅଖ୍ୟାତନାମା କବିଙ୍କ ଦ୍ୱାରା ରଚିତ | ଅପାକ୍ଷାକୃତ ଦୀର୍ଘ କବିତାଗୁଡ଼ିକରେ ଆଧୁନିକ ଆଶୁକବିଙ୍କର କାରିଗରୀ ମଧ୍ୟ ରହିଛି | ସ୍ଥଳବିଶେଷରେ ରଚନାର ଶୈଳୀ, ଭାଷା ଅତି ଆଧୁନିକ | ଅତଏବ ସବୁ ଶ୍ରେଣୀର ଗୀତିକାର ଉଦାହରଣ ପାଇଁ ସେ ସବୁ ଲେଖା ଉପରେ ନିର୍ଭର କରିବା ଉଚିତ ମନେ ହେଉନାହିଁ | ଏ ସବୁ ସଞ୍ଚୟନରୁ ପରିତ୍ୟକ୍ତ ହେବା ହିଁ ଉଚିତ ଥିଲା | ତେବେ, ସଞ୍ଚୟନକର୍ତ୍ତାମାନଙ୍କର ପଲ୍ଲୀଗୀତିକା ବା ଲୋକଗୀତର ସଂଜ୍ଞା ଅତି ବ୍ୟାପକ ଥିବାରୁ ଏହି ତ୍ରୁଟି ଅପରିହାର୍ଯ୍ୟ | ଦନେଇ ଦାସଙ୍କ ପହଳି, ଡାକବଚନ ଓ ଏହିଭଳି କେତେକ ଢଗଢମାଳି, ପ୍ରବଚନ ପ୍ରଭୃତି ଅତି ଉପାଦେୟ ପଦ ପ୍ରତି ଯୁଗରେ ନବ ନବ କର୍ତ୍ତାମାନଙ୍କ ଦ୍ୱାରା ରଚିତ ହୋଇ ଦନାଇ ଦାସ ପ୍ରଭୃତିଙ୍କ ନାମରେ ପ୍ରଚଳିତ ହୋଇ ଆସୁଅଛି | ଏଗୁଡ଼ିକୁ ବାଛି ଚିହ୍ନାଇ ଦେବା ସମ୍ଭବ ନୁହେଁ | ବିଶେଷତଃ ପ୍ରାଚୀନ ଆଲୋଚନାରେ ଏ ସବୁର ସ୍ଥାନ ନିର୍ଣ୍ଣୟ କରିବା ସହଜ ନୁହେଁ |

No comments:

Post a Comment